ବୌଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ; ଭାଙ୍ଗିଲା ବିଧାୟକଙ୍କ ଲୁହାସିଡି

ବୌଦ୍ଧ: ବୌଦ୍ଧ ସହରର ବିକାଶ ପାଇଁ ଜବରଦଖଲ ମୁଖ୍ୟ ସମସ୍ୟା ବୋଲି ଦୀର୍ଘଦିନରୁ ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଇଆସୁଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସହର ମଧ୍ୟରେ ବ୍ୟାପକ ଭାବରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ତିନିଦିନ ହେଲା ଜିଲ୍ଲାପ୍ରଶାସନ ପକ୍ଷରୁ ଡ୍ରେନ ଉପରେ କରିଥିବା ବେଆଇନ ନିର୍ମାଣ ହଟେଇବାକୁ ସହରବାସୀଙ୍କୁ ନିବେଦନ କରାଯାଇଥିଲା । ଗତ ୨୫ ତାରିଖ ଠାରୁ ଏକମାସ ବ୍ୟାପୀ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାଯାଇଛି । ଡ୍ରେନ ଉପରେ ହୋଇଥିବା ବେଆଇନ ନିର୍ମାଣ ସହିତ ସରକାରୀ ଜାଗା ଜବରଦଖଲ କରିଥିଲେ ତାହାକୁ ମଧ୍ୟ ତୁରନ୍ତ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କ୍ରମରେ ଶୁକ୍ରବାର ଦିନ ବୌଦ୍ଧ ଏନଏସି ଛକରେ ହୋଇଥିବା ଅବୈଧ ନିର୍ମାଣ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ସେହିପରି ଏନଏସି ଛକଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଓ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଅବୈଧ ନିର୍ମାଣ ହଟାଯାଇଛି । ଜବରଦଖଲ ଉଚ୍ଛେଦ ଅଭିଯାନରେ ବିଧାୟକ ପ୍ରଦିପ କୁମାର ଅମାତଙ୍କ ଘରର ଏକ ଲୁହାସିଡିକୁ ମଧ୍ୟ ହଟେଇ ଦିଆଯିବା ଚର୍ଚ୍ଚାର ବିଷୟ ପାଲଟିଛି ।  ଯେଉଁମାନେ ନିଜେ ନିଜର ଜବରଦଖଲ ଜାଗାରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ହଟାଇବାକୁ ନିବେଦନ କରିଥିଲେ ସେମାନଙ୍କୁ ସମୟ ମଧ୍ୟ ପ୍ରଦାନ କରାଯାଇଥିବା ଜଣାଯାଇଛି । ପ୍ରକାଶଥାଉ କି ସହରର ପ୍ରମୁଖ ଜନଗହଳି ସ୍ଥାନ ଏନଏସି ଛକ ହୋଇଥିବା ବେଳେ ଏଠାରେ ପୁଲିସ ପକ୍ଷରୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜବରଦଖଲ ଯୋଗୁଁ ଟ୍ରାଫିକ୍‌ ନିୟନ୍ତ୍ରଣ କାର୍ଯ୍ୟ ଠିକରେ ହୋଇପାରୁନଥିବା ସଂପର୍କରେ ଗତ ସଡକ ସୁରକ୍ଷା କମିଟି ବୈଠକରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ବୈଠକରେ ଏସପି ଜ୍ଞାନରଞ୍ଜନ ମହାନ୍ତି ଏନଏସି ଛକଠାରେ ଚାରିପଟଳୁ ୫୦ ମିଟର ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ କରାଯିବାକୁ ମତପ୍ରକାଶ କରିବା ପରେ ପ୍ରଶାସନ ପକ୍ଷରୁ ଏଠାରୁ ଜବରଦଖଲ ହଟାଇବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି । ସହରର ବିଭିନ୍ନ ସ୍ଥାନରେ ପାର୍କିଂ ଜୋନ ଚିହ୍ନଟ ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ  ଓ ନୋ ପାର୍କିଂ ଜୋନ ଚିହ୍ନଟ ପାଇଁ ପୂର୍ତ୍ତ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । କେବେଳ ଯେ ଏନଏସି ଛକ ନୁହେଁ ମହାନଦୀ ବ୍ରିଜ ପଟରୁ ବିଜୁପଟ୍ଟନାୟକ ଛକଠାରୁ ସହର ମଧ୍ୟ ଦେଇ ରଇଠାଣୀ ପର୍ଯ୍ୟନ୍ତ ରାସ୍ତାକୁ ସଂପୂର୍ଣ୍ଣ ଜବରଦଖଲମୁକ୍ତ କରାଯାଇ ଡିଭାଇଡର ନିର୍ମାଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାଯାଇଛି । ସେହିପରି ସହରର ପ୍ରମୁଖ ସ୍ଥାନ ମାନଙ୍କରୁ ମଧ୍ୟ ଜବରଦଖଲ ହଟାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଜନସେବା ମାର୍ଗରେ ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରାଯାଇଥିବା ବେଳେ ତାହାକୁ ମଧ୍ୟ ତୁରନ୍ତ ହଟାଇବାକୁ ସାଧାରଣରେ ମତପ୍ରକାଶ ପାଉଛି ।

ସେହପରି ଏନଏସି ଛକଠାରେ ଥିବା ଏକ ସର୍ବସାଧାରଣ ଅନୁଷ୍ଠାନ ବର୍ତ୍ତମାନ ମଦ୍ୟପଙ୍କ ଆଡ୍ଡା ପାଲଟିଥିବାରୁ ତାହାକୁ ମଧ୍ୟ ଜବରଦଖଲ ମୁକ୍ତ କରାଯିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ସହରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ଜବରଦଖଲ ଉଚ୍ଛେଦ ଅଭିଯାନରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । ଏହି ଜବର ଦଖଲ ଉଚ୍ଛେଦ ଅଭିଯାନରେ ଜଣେ ଏକଜୁକୁଟିଭ ମାଜିଷ୍ଟ୍ରେଟ, ଏନଏସି ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକଙ୍କ ସମେତ ପୋଲିସ ଫୋର୍ସ ଓ ଦୁଇଟି ଜେସିବି ମେସିନକୁ ନିୟୋଜିତ କରାଯାଇଛି । ସପ୍ତାହକୁ ତିନିଦିନ ଜବରଦଖଲ ଚିହ୍ନଟ କରାଯିବା ପରେ ଗୋଟିଏ ଦିନ ମେସିନ ସାହାଯ୍ୟରେ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ଜଣାପଡିଛି ।

Comments are closed.