MEllora 950×100

ଲକଡପାଜୁ ଜଙ୍ଗଲରେ ଡିନାମାଇଟ ବିସ୍ଫୋରଣ

ଗଂଜେଇ ବ୍ୟବସାୟୀଙ୍କ ହାତ ନା ମାଓବାଦୀ ?

ବୌଦ୍ଧ: କିଛିବର୍ଷର ବ୍ୟବଧାନ ପରେ ବୌଦ୍ଧଜିଲାରେ ପୁଣିଥରେ ମାଓବାଦୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ରବିବାର ଦିନ ବୌଦ୍ଧ ବନଖଣ୍ଡ ଓ ପୋଲିସ ବିଭାଗର କର୍ମଚାରୀ ଓ ଶ୍ରମିକଙ୍କୁ ମିଶାଇ ପ୍ରାୟ ୫୦ ଜଣ ଗଂଜେଇ ଚାଷ ନଷ୍ଟ କରିବାକୁ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଲକଡପାଜୁ ଜଙ୍ଗଲକୁ ଯାଇଥିଲେ । ଲକଡପାଜୁ ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ପ୍ରାୟ ୩୦୦ ଏକର ଅଞ୍ଚଳରେ ଗଂଜେଇ ଚାଷ ହୋଇଥିବା ସୂଚନାକୁ ଆଧାର କରି ପୁଲିସ ଓ ବନ ବିଭାଗ ପକ୍ଷରୁ ଏହି ଅଭିଯାନ ଯୋଜନା ହୋଇଥିଲା । ଲକଡପାଜୁର ଘାଟି ରାସ୍ତାରେ ଗାଡି ରଖି ପୁଲିସ, ବନ ବିଭାଗ କର୍ମଚାରୀ ଓ ଶ୍ରମିକମାନେ ଯାଉଥିବା ବେଳେ ହଠାତ ଡିନାମାଇଟ ବିସ୍ଫୋରଣ ହୋଇଥିଲା । ପ୍ରାୟ ୫ ଗୋଟି ଡିନାମାଇଟ ଫୁଟିବା ପରେ ଚଢାଉ ଦଳ ପ୍ରଥମେ କିଛି ବୁଝିପାରିନଥିଲେ ।

ଗଂଜେଇ କଟା ଅଭିଯାନକୁ ବନ୍ଦ କରି ଚଢାଉ ଟିମ ସେଠାରୁ ଫେରିଆସିଥିଲେ ।  ସବୁକିଛି ନିରବ ହୋଇଯିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ଦୁଇ ବଣ୍ଡଲ ତାର ଜବତ କରାଯାଇଥିଲା । ଗଂଜେଇ ଚଢାଉ ଦଳର ଗାଡି ଉଡାଇବାକୁ ଡିନାମାଇଟ ଖଞ୍ଜା ଯାଇଥିବା ଜଣାପଡିଥିଲା । ସନ୍ଦେହରେ ବନ ବିଭାଗ ପକ୍ଷରୁ ବହଳପଡା ଗ୍ରାମର ବିଘ୍ନେଶ୍ୱର ଦୀପ(୨୪), ମିଶ୍ର ସୁନା(୩୦) ଓ ଏକାଦଶୀ ଉର୍ମା (୩୪) ସନ୍ଦେହରେ ଉଠାଇ ଆଣି ପୁଲିସର ଜିମା ଦିଆଯାଇଥିଲା । ପୁଲିସ ପକ୍ଷରୁ ସେମାନଙ୍କୁ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ପ୍ରତିଦିନ ଶହ ଶହ ଏକର ଅଞ୍ଚଳରେ ହୋଇଥିବା ଗଂଜେଇ ଚାଷକୁ ପୁଲିସ, ବନବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରଯାଉଅଛି । ଫଳରେ ଏହାକୁ ନେଇ ଗଂଜେଇ ମାଫିଆଙ୍କ ନିଦ ହଜିଯିବା ସହିତ ସେମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଅଛି । ତେଣୁ ଗଂଜେଇ ଚାଷକୁ ସୂରକ୍ଷା ଦେବାକୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଅଛି ।

ଗତବର୍ଷ ଏହି ଅଞ୍ଚଳରେ ଚଢାଉ ଟିମକୁ ରୋକିବାକୁ ରାସ୍ତାରେ ଗଛ କାଟି ପକାଇଦିଆଯାଇଥିଲା । ସରକାର ଗ୍ରାମାଞ୍ଚଳର ବିକାଶ ଓ ବିଶେଷ ଭାବରେ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣିପରି ବୁହାଉଥିବାବେଳେ ଗଂଜେଇ ଚାଷ ପାଇଁ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣକୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି । କାରଣ ରାସ୍ତା ନିର୍ମାଣ ହେଲେ ପୁଲିସ ଟିମ୍‌ ସହଜରେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସେମାନଙ୍କ ଗଂଜେଇ ଚାଷକୁ ନଷ୍ଟ କରିଦେବ । ବୌଦ୍ଧ ଓ  କନ୍ଧମାଳ  ଜିଲା ସୀମାନ୍ତ ଅଞ୍ଚଳ ଗଂଜେଇ ଚାଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି । ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳର ଅନେକ ସ୍ଥାନକୁ ଗୋଟିଏ ଦିନରେ ଯାଇ ଫେରିବା ସମ୍ଭବପର ନୁହେଁ । ଗଂଜେଇ ଚାଷୀମାନେ ପାଣିପମ୍ପ,ଖତ ସାର ପ୍ରୟୋଗ କରି ଉନ୍ନତ ପ୍ରଣାଳୀରେ ଏହି ବେଆଇନ ଚାଷ କରୁଥିବା ଦେଖାଯାଇଛି ।

ଡିସେମ୍ବର ମାସ ଗଂଜେଇ ଅମଳର ସମୟ ହୋଇଥିବାବେଳେ ବର୍ତ୍ତମାନ ପୁଲିସ ଓ ବନ ବିଭାଗ ପକ୍ଷରୁ ହେଉଥିବା ଲଗାତାର ଚଢାଉକୁ ନେଇ ଗଂଜେଇ ମାଫିଆମାନେ ପ୍ରତିକ୍ରିୟାଶୀଳ ହୋଇ ଏହିପରି କାଣ୍ଡ ଭିଆଇଥିବା ଆଲୋଚନା ହେଉଅଛି । ଅନ୍ୟପଟେ ଗଂଜେଇ ଅମଳ ସମୟ ହୋଇଥିବାରୁ ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ହୋଇଥିବା ନେଇ ମଧ୍ୟ ଆଲୋଚନା ହେଉଅଛି । ତେବେ ଡିନାମାଇଟ ଭଳି ବିଷ୍ଫାରକ ଜିଲାରେ ମାଛ ମାରିବା,କୁଅ ଖୋଳିବା ଏବଂ ପଥର ଖାଦାନ ମାନଙ୍କରେ ବହୁଳ ଭାବରେ ବ୍ୟବହାର ହେଉଥିବାବେଳେ ଏହି ବିଷ୍ଫୋରଣ ପଛରେ ପ୍ରକୃତରେ କେଉଁମାନଙ୍କ ହାତ ରହିଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି । ପ୍ରକୃତରେ ଗଂଜେଇ ମାଫିଆମାନେ ମାଓବାଦୀଙ୍କ ଉପସ୍ଥିତି ପ୍ରଚାର କରି ନିଜର ବେଆଇନ ଚାଷକୁ ସୁରକ୍ଷା ଦେବାକୁ ମଧ୍ୟ ଏହି କାଣ୍ଡ ଭିଆଇଥିବା ନେଇ ଆଲୋଚନା ହେଉଅଛି । ବୌଦ୍ଧଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Comments are closed.