ଜିଲା ଶିକ୍ଷା ବିଭାଗରେ ଛିଣ୍ଡୁନାହିଁ ପଦୋନ୍ନତି ପାଲା : ପଦୋନ୍ନତି ନହେଲେ ୨୭ରୁ ଧାରଣା ଚେତାବନୀ

ବୌଦ୍ଧ : ବୌଦ୍ଧଜିଲା ଶିକ୍ଷା ବିଭାଗରେ ପଦୋନ୍ନତିକୁ ନେଇ ଦୀର୍ଘଦିନ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାଅଧିକାରୀଙ୍କ ମଧ୍ୟରେ ଟାଳଟୁଳ ନୀତି ଚାଲୁରହିଛି। ଆଜି ଜିଲାର ଲେବଲ-୫(ବି)ରୁ ଲେବଲ-୪କୁ ପଦୋନ୍ନତି ପାଇଁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ତୁରନ୍ତ ପଦୋନ୍ନତି ପ୍ରଦାନ କରିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ମତେ, ଗତ ୩୧.୫.୨୩ ତାରିଖରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୭୩୦ ଅନୁସାରେ ୭୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ଲେଭଲ-୫(ବି)ରୁ ଲେଭଲ ୪କୁ ଅନୁମୋଦନ ହୋଇଛି। କିନ୍ତୁ ଦୁଇମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ଦିଆଯାଇନାହିଁ। ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୩୪୨୫ ତା. ୦୮.୦୬.୨୩ ଅନୁସାରେ କାଉନସିଲିଙ୍ଗ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡକାଯାଇଥିଲା। କିନ୍ତୁ କୌଣସି କାରଣ ନ ଦର୍ଶାଇ ସେହିଦିନ କାଉନସେଲିଂ ବନ୍ଦ କରାଯାଇଥିଲା। ପରେ ପତ୍ର ସଂଖ୍ୟା ୪୦୬୧ ରେ ଚଳିତ ମାସ ୧୫ ଓ ୧୮ ତାରିଖରେ କାଉନ୍‌ସେଲିଂ ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଆଦେଶ ଦିଆଯାଇଥିଲା। ହେଲେ ପୁଣିଥରେ କୌଣସି କାରଣ ନଦର୍ଶାଇ ୧୮ ତାରିଖ ଅପରାହ୍ନରେ ଲେଭଲ ୪ର କାଉନ୍‌ସେଲିଂ ହେବନାହିଁ ବୋଲି କହି ଗୋଷ୍ଠୀ ଶିକ୍ଷାଧିକାରୀ ସେମାନଙ୍କୁ ଫେରାଇ ଦେଇଥିଲେ। ଗତ ୧୮ ତାରିଖ ଲେଭଲ ୫(ବି)ରୁ ଲେବେଲ ୪କୁ ପଦୋନ୍ନତି ପାଇବାକୁ ଥିବା ୭୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଷୟରେ ଜିଲାପାଳଙ୍କୁ ସୂଚନା ଦିଆଯାଇନଥିଲା। ଗତ ୨୫ ତାରିଖରେ ଜିଲାପାଳଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଏ ବିଷୟରେ ଜଣାଇ ଥିଲେ। ଜିଲାପାଳ ଅନୁମୋଦନ ହୋଇଯାଇଛି ଆପଣମାନେ ପାଇବେ ଏବଂ ଏ ବାବଦରେ ଜିଲା ଶିକ୍ଷାଧିକାରୀଙ୍କ ସହିତ କଥା ହେବି ବୋଲି ଜଣାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ୨୨ ଜଣ ଶିକ୍ଷକ ( ଯେଉଁମାନେ ୨୦୧୧ ପରେ ବିଏ ପାସ କରିଛନ୍ତି ଏବଂ ଓଟିଇଟି ପାସ କରିନାହାନ୍ତି)ଙ୍କ ସ୍ୱାର୍ଥକୁ ଦେଖି ପଦୋନ୍ନତି ପାଇବାକୁ ଯୋଗ୍ୟ ଥିବା ୭୮ ଜଣ ଶିକ୍ଷକଙ୍କୁ ଅଣଦେଖା କରାଯାଇଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ତେଣୁ ସମସ୍ତ ଲେଭଲ ୫(ବି)ରୁ ଲେଭଲ ୪କୁ ପଦୋନ୍ନତି ପାଇବାକୁ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ୨୬ ତାରିଖ ସୁଦ୍ଧା ସେମାନଙ୍କୁ ପଦୋନ୍ନତି ଦେବାର ବ୍ୟବସ୍ଥା ନ କରନ୍ତି ତାହାହେଲେ ୨୭ ତାରିଖ ଠାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ ସମ୍ମୁଖରେ ଧାରଣା ଦେବୁ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ନିଷ୍ପତି ନେଇଥିବା ଜଣାଯାଇଛି। ତେବେ ଜିଲା ଶିକ୍ଷା ଅଧିକାରୀ ଚଳିତମାସରେ ଅବସର ନେଉଥିବାବେଳେ ଯେନତେନ ପ୍ରକାରେ ଶିକ୍ଷକଙ୍କ ପଦୋନ୍ନତି ଫାଇଲ ପାର କରାଇବାକୁ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରତିଶ୍ରୁତି ଦେଇ ମୋଟା ଅର୍ଥ ଆଦାୟ କରିଥିବା ନେଇ ଆଲୋଚନା ହେଉଅଛି। ପ୍ରକାଶ ଥାଉକି ପଦୋନ୍ନତି ପାଇବାକୁ ଥିବା ୨୩ ଜଣ ଶିକ୍ଷକ ତାଲିକାରୁ ବାଦ ପଡ଼ିବାପରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ପଦୋନ୍ନତି ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ରହିତାଦେଶ ଥିବା ସତ୍ତ୍ବେ ଜିଲା ଶିକ୍ଷା ବିଭାଗର କରିତକର୍ମା ଅଧିକାରୀ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପଦୋନ୍ନତି ଚିଠିକୁ ବାତିଲ କରାଇ ନ୍ୟାୟାଳୟର ଆଶ୍ରୟ ନେଇଥିବା ଶିକ୍ଷକଙ୍କୁ ବାଦ ଦେଇ ବଳକା ଶିକ୍ଷକଙ୍କୁ କାଉନ୍‌ସେଲିଂ ପରେ ପଦୋନ୍ନତି ଦେଇଥିଲେ। ହେଲେ ୨୩ ଜଣ ଶିକ୍ଷକ ନ୍ୟାୟାଳୟରୁ ମାମଲା ପ୍ରତ୍ୟାହାର କରିବା ପରେ ପଦୋନ୍ନତି ପାଇଁ ପ୍ରତିଶ୍ରୁତି ପାଇଥିଲେ। କିନ୍ତୁ ଶିକ୍ଷା ନିର୍ଦ୍ଦେଶାଳୟ ଏବେ ଉକ୍ତ ଶିକ୍ଷକଙ୍କ ପଦୋନ୍ନତିକୁ ଅନୁମୋଦନ କରୁନଥିବା ଆଲୋଚନା ହେଉଅଛି। ଏପଟେ ପଦୋନ୍ନତିରେ ୭୮ ଜଣ ଶିକ୍ଷକଙ୍କୁ ଅଣଦେଖା କରାଯାଇଥିବା ନେଇ ଦାବିପତ୍ର ପ୍ରଦାନ ପରେ ଏବେ ଜିଲା ଶିକ୍ଷା ବିଭାଗରେ ଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଅଗଷ୍ଟ ୧ ତାରିଖଠାରୁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଜିଲା ଶିକ୍ଷା ଅଧିକାରୀ ଦାୟିତ୍ୱ ପ୍ରଦାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୧୭୯୨୪ ତା ୨୫/୭/୨୦୨୩ ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତୁରନ୍ତ ଏ ସମ୍ପର୍କରେ ଜିଲାପାଳ ହସ୍ତକ୍ଷେପ କରି ଯୋଗ୍ୟ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ ପାଇଁ ବ୍ୟବସ୍ଥା କରାଇବା ସହିତ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ବାତାବରଣ ଆଣିବାକୁ ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଉଅଛି।

Comments are closed.