ବୌଦ୍ଧ ପୁଲିସକୁ ବଡ ସଫଳତା; ୨ଲକ୍ଷ ଟଙ୍କା ସହ ଜଣେ ଲୁଟେରା ଗିରଫ

ବୌଦ୍ଧ: ବୌଦ୍ଧ ସହରରେ ବାରମ୍ବାର ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଲୁଟେରାମାନେ ଟଙ୍କା ନେଇ ଫେରାର ହେବାରେ ସଫଳ ହେଉଥିବା ବେଳେ, ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇପାରୁନଥିଲା । ଟଙ୍କା ଲୁଟ୍‌ ଘଟଣା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାକୁ ଗୁରୁତର ସହିତ ଗ୍ରହଣ କରାଯାଉନଥିଲା । ଫଳରେ କ୍ଷତିଗ୍ରସ୍ତ ଲୋକ ବାରମ୍ବାର ଥାନାକୁ ଧାଇଁ ନିରାଶ ହେବାପରେ ଭାଗ୍ୟକୁ ଆଦରି ନିରବ ରହିବାକୁ ବାଧ୍ୟ ହେଉଥିଲେ । ଦୀର୍ଘଦିନ ପରେ ବୌଦ୍ଧ ପୁଲିସ ଟଙ୍କା ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହୋଇପାରିଛି ।

ଜିଲାରେ ନୂତନ ଏସପି ଭାବରେ ଯୁବ ଆଇପିଏସ ଅଧିକାରୀ ପ୍ରହଲ୍ଲାଦ ସହାୟ ମୀନା ଯୋଗଦେବା ପରେ ବିଭାଗୀୟ ଅଧିକାରୀମାନେ ନିଜର ଦାୟିତ୍ୱ ନେଇ ଅଧିକ ତତ୍ପର ହୋଇଥିବା ଦେଖାଯାଇଛି । ଫଳରେ ନିକଟରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଟଙ୍କା ଲୁଟ୍‌ ଘଟଣାରେ ଜଣେ ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇଛି । ମିଳିଥିବା ସୂଚନା ମୁତାବକ ଗତ ୨୧ ତାରିଖ ଦିନ ବୌଦ୍ଧ ଜିଲା ବିଶ୍ୱନାଥପୁର ଗ୍ରାମର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲା ବୌଦ୍ଧ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ରଖିବା ପରେ ପରିବାର ସହିତ କାର ଯୋଗେ ମହାନଦୀ ବ୍ରିଜଛକ ଆଡକୁ ଯାଉଥିବାବେଳେ ରାସ୍ତାରେ ଅଟକି ଜଣେ ବ୍ୟକ୍ତିଙ୍କୁ ଧରିଥିବା ଟଙ୍କାରୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଏବଂ ୫୦ ହଜାର ଟଙ୍କା ନିଜ ପକେଟରେ ରଖି ବଳକା ୨ଲକ୍ଷ ୫୦ ହଜାର ଟଙ୍କାକୁ ବ୍ୟାଗ ଭିତରେ କାରରେ ରଖିଥିଲେ ।

ସେଠାରୁ ଗଲାବେଳେ ଏକ ବାଇକ୍‌ ସୋରୁମ ଆଗରେ ଗାଡି ରଖି କିଛି ସମାଗ୍ରୀ କିଣିବାକୁ ଏକ ତେଜରାତି ଦୋକାନକୁ ଯାଇଥିଲେ । ଗାଡିରେ ଟଙ୍କା ବ୍ୟାଗ ସହିତ ତାଙ୍କର ପତ୍ନୀ ଓ ପୁଅ ଝିଅ ମଧ୍ୟ ବସିଥିଲେ । ଏହି ସମୟରେ ତାଙ୍କୁ ଏକ କଳା ପଲସର ଗାଡିରେ ପିଛା କରୁଥିବା ଦୁଇଜଣ ଯୁବକ ଗାଡିଠାରୁ ଅଳ୍ପ ଦୂରରେ ଗାଡି ଅଟକାଇଥିଲେ । ବାଇକରୁ ଜଣେ ଯୁବକ ଓହ୍ଲାଇ ହାଠାତ କାର ନିକଟକୁ ଆସିବା ସହିତ ଗେଟ ଖୋଲି ଟଙ୍କା ବ୍ୟାଗ୍‌କୁ ଟାଣି ନେଇ ଅନ୍ୟ ଯୁବକ ସହିତ ସେଠାରୁ ଫେରାର ହୋଇଯାଇଥିଲା । ପରିବାରଲୋକ ଏହି ଲୁଟ ସଂପର୍କରେ କିଛି ବୁଝିବା ପୂର୍ବରୁ ଯୁବକ ଦୁଇଜଣ ଅନ୍ତର୍ଦ୍ଧାନ ହୋଇସାରିଥିଲେ । ବ୍ୟବସାୟୀ ଗାଡି ନିକଟକୁ ଆସି ପରିବାରଲୋକଙ୍କ ନିକଟରୁ ଘଟଣା ସଂପର୍କରେ ଜାଣିବାପରେ କିଛିଦୂର ପର୍ଯ୍ୟନ୍ତ କାର ଦୌଡାଇଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ କୌଣସି ସୂଚନା ପାଇପାରିନଥିଲେ ।

ଏନେଇ ଶ୍ରୀ ଅଗ୍ରୱାଲାଙ୍କ ଅଭିଯୋଗ କ୍ରମେ ବୌଦ୍ଧ ପୁଲିସ ଥାନା କେସ ନମ୍ବର ୨୬୪/୨୨ରେ ଏକ ମାମଲା ରୁଜୁ କରିବା ସହିତ ଗୁରୁତ୍ୱ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗର ସୂଚନାକୁ ଆଧାର କରି ଲୁଟେରାମାନେ ଫେରାର ହୋଇଥିବା ରାସ୍ତାର ସିସିଟିଭି ଫୁଟେଜ୍‌ ପୁଲିସ ପକ୍ଷରୁ ସଂଗ୍ରହ କରାଯାଇଥିଲା । ସେଥିରୁ ଲୁଟେରା ମାନଙ୍କ ଫଟୋ ପୁଲିସର ହସ୍ତଗତ ହୋଇଥିଲେ ମଧ୍ୟ ସେମାନଙ୍କ ପରିଚୟ ମିଳିପାରିନଥିଲା । ଲୁଟେରାମାନଙ୍କ ଫଟୋକୁ ବିଭିନ୍ନ ଥାନାକୁ ପ୍ରେରଣ କରାଯିବାପରେ ଗଂଜାମ ଜିଲା ଆସିକାରୁ ଲୁଟେରାଙ୍କ ଚିହ୍ନଟ କରାଯିବା ସଂପର୍କରେ ସୂଚନା ମିଳିଥିଲା ।

ଏସପି ଶ୍ରୀମୀନାଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦନ ନାଏକଙ୍କ ନେତୃତ୍ୱରେ ଏକ ଟିମ ଆସିକାରେ ପହଞ୍ଚି ସେଠାକାର ପୁଲିସ ସହାୟତାରେ ଜଣେ ଲୁଟେରାକୁ ଧରିବାରେ ସଫଳ ହେବା ସହିତ ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଥିବା ଜଣାଯାଇଛି । ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ବୌଦ୍ଧ ଆଣିବାପରେ ପୁଲିସ ପୁଣିଥରେ ପଚରାଉଚୁରା କରିଥିଲା । ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ସଂପୃକ୍ତ ଅଭିଯୁକ୍ତ ଗ୍ୟାଙ୍ଗ ପୂର୍ବରୁ ବୌଦ୍ଧ ସରସରାର ବିଦ୍ୟାଳୟ ପରିସରରୁ  ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ଡିକିରୁ ମଧ୍ୟ ଟଙ୍କା ଚୋରି କରିଥିଲେ । ଏସପି ଶ୍ରୀମିନାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ନେତୃତ୍ୱରେ ଏହି ତଦନ୍ତ କରି ପୁଲିସ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହେବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Comments are closed.