ପଶ୍ଚିମ ଓଡ଼ିଶାର ହଟସ୍ପଟ ହେବାରେ ଲାଗିଛି ବୌଦ୍ଧ ଜିଲା !

ବୌଦ୍ଧ : ବୌଦ୍ଧଜିଲା ଧିରେ ଧିରେ ପଶ୍ଚିମ ଓଡ଼ିଶାର ହଟସ୍ପଟ ଆଡକୁ ମହାଁଇବାରେ ଲାଗିଛି। ଜିଲାରେ ରେଳଲାଇନ ନାହିଁ କି କୌଣସି ଶିଳ୍ପନାହିଁ ତଥାପି ଦୈନିକ ସଂକ୍ରମଣ ସଂଖ୍ୟାକୁ ଦେଖିଲେ ଏହାକୁ ପଶ୍ଚିମ ଓଡ଼ିଶାର ହଟସ୍ପଟ ହିଁ କୁହାଯାଇପାରେ। ରାଜ୍ୟର କେନ୍ଦ୍ରସ୍ଥଳରେ ଥିବା ଏହି ଜିଲା ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଓଡ଼ିଶାର ସୀମାନ୍ତ ଜିଲା ଭାରେ ସଂଯୁକ୍ତ ରହିଛି। ତେଣୁ ସଡକ ପଥରେ ଏଠାରୁ ସବୁ ଜିଲାକୁ ଉତ୍ତମ ସଂଯୋଗ ରହିଛି। ଲୋକ ସଂଖ୍ୟା ଓ ଆୟତନ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ସବୁଠାରୁ ଛୋଟ ଜିଲା ଭାବରେ ପରିଗଣିତ ବୌଦ୍ଧରେ କରୋନା ସଂକ୍ରମଣର ଗ୍ରାଫ ଯେଉଁଭଳି ଭାବରେ ବଢିବାରେ ଲାଗିଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛି। ମାତ୍ର ତିନିଦିନ ମଧ୍ୟରେ ଜିଲାରେ ୫୦୦ରୁ ଊର୍ଦ୍ଧ୍ବ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ହରଭଙ୍ଗା ବ୍ଲକ ଏହାର ହଟସ୍ପଟ ଭାବରେ ଚିହ୍ନଟ ହୋଇଛି। ସଂକ୍ରମଣ ରୋକିବା ପାଇଁ ସରକାର ଅନେକ କଟକଣା ଜାରି କରିଥିଲେ ମଧ୍ୟ ଗାଁ ଗାଁରେ ରାମଲୀଳା, ଦଣ୍ଡଯାତ୍ରା ପରେ ଏବେ ବିବାହ ଉତ୍ସବ ଆୟୋଜନ ସଂକ୍ରମଣ ବୃଦ୍ଧିର କାରଣ ବୋଲି କୁହାଯାଉଅଛି।

ଜିଲା ପ୍ରଶାସନ ପକ୍ଷରୁ ରାମଲୀଳା ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯିବା ସତ୍ୱେ ଅନେକ ଗ୍ରାମରେ ଏହା ଧୁମଧାମରେ ପାଳନ କରାଗଲା। ସେହିପରି ଦଣ୍ଡଯାତ୍ରାକୁ ନେଇ କଟକଣା ଜାରି ସତ୍ୱେ ଗ୍ରାମାଞ୍ଚଳରେ ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିଲା। ବିବାହ ଉତ୍ସବ ଗୁଡିକରେ ମାତ୍ର ୫୦ ଜଣ ଓ ଅନ୍ତେଷ୍ଟି କାର୍ଯ୍ୟରେ ୨୦ ଜଣ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଉଥିବାବେଳେ ବାସ୍ତବ କ୍ଷେତ୍ରରେ ଏହି କଟକଣାକୁ ମଧ୍ୟ ଠିକ୍‍ ଭାବରେ ପାଳନ କରାଯାଉନଥିବା ଦେଖାଯାଉଛି। ପୂର୍ବଭଳି ବହୁ ସଂଖ୍ୟାରେ ଲୋକ ଏହି ଉତ୍ସବ ଗୁଡିକରେ ଏକାଠି ହେଉଥିବାରୁ କରୋନା ସଂକ୍ରମଣ ଜିଲାରେ ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହାବ୍ୟତୀତ କେବଳ ବୌଦ୍ଧ ସହରକୁ ଛାଡିଦେଲେ ଗ୍ରାମାଞ୍ଚଳରେ ଦୈନିକ ହାଟବଜାର ଗୁୁଡିକରେ ମଧ୍ୟ ପୂର୍ବଭଳି ଜନଗହଳି ଲାଗି ରହୁଥିବା ଦେଖାଯାଉଅଛି। କୋଭିଡ କାର୍ଯ୍ୟକ୍ରମର ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ତିନୋଟି ବ୍ଲକ ଓ ବୌଦ୍ଧ ଏନଏସି ପାଇଁ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ ବିଶେଷ ଭାବରେ କରୋନା କଟକଣା କାର୍ଯ୍ୟକାରୀ କରିବା ଓ ଅମାନିଆଁଙ୍କ ଉପରେ ଲଗାମ ଲଗାଇବାରେ ପୋଲିସର ମୁଖ୍ୟ ଭୂମିକା ରହିଥିବାବେଳେ ଜିଲା ପୁଲିସର ନିଷ୍କ୍ରିୟତା ଯୋଗୁଁ ବୌଦ୍ଧଜିଲା ଭୟଙ୍କର ବିପଦ ଆଡକୁ ମୁହାଁଉଥିବା ନେଇ ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଛି।

ପୁଲିସ ପକ୍ଷରୁ ଜିଲାର ପ୍ରବେଶ ଦ୍ୱାର ଗୁଡିକରେ ଯେଉଁଭଳି ଭାବରେ ଯାଞ୍ଚ କରାଯିବା କଥା ତାହା କରାଯାଉ ନଥିବାବେଳେ କେବଳ ନାମକୁ ମାତ୍ର ଯାଞ୍ଚ ପଏଣ୍ଟ କରାଯାଇଛି। ଏବେ ପ୍ରବାସୀ ଶ୍ରମିକ ଫେରିବା ନେଇ ଆଶଙ୍କା କରାଯାଉଥିବାବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଞ୍ଚାୟତକୁ ନେଇ ଗୋଟିଏ କ୍ଲଷ୍ଟର କରାଯିବା ସହିତ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। କିନ୍ତୁ ବାହାର ଜିଲାରୁ ଓ ରାଜ୍ୟରୁ ଲୋକମାନେ ବିନା ପ୍ରତିବନ୍ଧକରେ ଜିଲାରେ ପ୍ରବେଶ କରୁଛନ୍ତି ଓ ବାହାରକୁ ଯାଉଛନ୍ତି। ଫଳରେ ଗ୍ରାମାଞ୍ଚଳରେ ଦିନକୁ ଦିନ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ପ୍ରଥମଥର କରୋନା ମୁକାବିଲା ସମୟରେ ସରପଞ୍ଚମାନେ ଜିଲାପାଳ କ୍ଷମତା ସହିତ ଯେଉଁଭଳି ଭାବରେ ଆଗ୍ରହ ଦେଖାଉଥିଲେ ସରକାର ଖର୍ଚ୍ଚ ହିସାବ ମାଗିବା ପରେ ବର୍ତ୍ତମାନ ଆଉ ସେହିଭଳି ଆଗ୍ରହ ଦେଖାଉନଥିବା ନଜରକୁ ଆସୁଅଛି। ଫଳରେ ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ପାଲଟୁଥିବା ଜଣାଯାଇଛି। ଜିଲାରେ କରୋନା ସଂକ୍ରମଣରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଥିବାବେଳେ ସରକାରୀ ଭାବରେ କିନ୍ତୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ତେଣୁ ତୁରନ୍ତ ଜିଲାର ଗ୍ରାମାଞ୍ଚଳରେ କଟକଣାକୁ ଜୋରଦାର ଭାବରେ ଲାଗୁ କରାନଗଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ।

Comments
Loading...