୭୦୦ ଟଙ୍କା ପାଇଁ ହୋଇଥିଲା ହତ୍ୟାକାଣ୍ଡ – ଅଭିଯୁକ୍ତ ଗିରଫ

ବୌଦ୍ଧ,୧ (ନିପ୍ର) : ବୌଦ୍ଧ ଜିଲା ଆଦର୍ଶ ଥାନା ଅର୍ନ୍ତଗତ ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଗତ ସୋମବାର ଦିନ ରକ୍ତ ଜୁଡୁଜୁଡୁ ଅବସ୍ଥାରେ ଏକ ବିଲ ମଧ୍ୟରୁ ଅନାମୁ ମିର୍ଦ୍ଧା (୪୦)ଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା । ଶବ ନିକଟରୁ ରକ୍ତ ଲଗା ଏକ ଟାଙ୍ଗିଆକୁ ମଧ୍ୟ ପୋଲିସ ଜବତ କରିଥିଲା । ଏନେଇ ବୌଦ୍ଧ ଥାନା କେସ ନମ୍ବର ୨୧/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ମଦ୍ୟପାନ ଘଟଣାକୁ ନେଇ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା । କିନ୍ତୁ ହତ୍ୟାକାଣ୍ଡର ତଦନ୍ତ ପରେ ପୋଲିସ ଧାର ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କରିଛି ଓ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

ପୋଲିସ ନିକଟରୁ ମିଳିଥିବା ସୂଚନା ମୁତାବକ ଏହି ହତ୍ୟା କାଣ୍ଡ ଘଟଣାରେ ମୃତକ ଅନାମୁ ଘଟଣା ଦିନ ଗାଁରେ କୁଆଡେ କୁଆଡେ ଯାଇଥିବା ଏବଂ ଗ୍ରାମର କାହାସହ ଶତ୍ରୁତା ଥିଲା କି ଏହି ଅଧାରରେ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ତଦନ୍ତ ପରେ ହତ୍ୟାକାଣ୍ଡ ସଂପର୍କରେ ନୂଆ ତଥ୍ୟ ସବୁ ପଦାକୁ ଆସିଥିଲା । ପୋଲିସର ତଦନ୍ତ ଅନୁଯାୟୀ ଗ୍ରାମର ଚନ୍ଦନ ମଲ୍ଲିକ(ବେଡା)ଙ୍କ ଦ୍ୱାରା ଅନାମୁ ମିର୍ଦ୍ଧା ଧାନ ଅମଳ କରିଥିଲା । ଧାନ ଅମଳ ବାବଦକୁ ଅନାମୁ ବେଡାକୁ ୭୦୦ ଟଙ୍କା ଦେବାକୁ ଥିଲା । ଗତ ୧୩ ତାରିଖରେ ବେଡା ଅନାମୁ ଘରକୁ ବାକି ପଇସା ମାଗିବାକୁ ଯାଇଥିଲା । କିନ୍ତୁ ଅନାମୁ ପରିବାର ଧାନ ବିକ୍ରି କଲାପରେ ଟଙ୍କା ଦେବୁ ବୋଲି କହିଥିଲେ । ପୁର୍ନବାର ଗତ ୧୪ ତାରିଖ ଦିନ ବେଡା ତାର ଜଣେ ସାଙ୍ଗ ସହ ମିଶି ଅନାମୁ ଘରକୁ ଯାଇ ମଦ ପିଇ ଗାଳିମନ୍ଦ କରିବପରେ ଅନାମୁ ସହ ଯୁକ୍ତିତର୍କ ହୋଇଥିଲା । ଏନେଇ କୁଆଡେ ବେଡା ତୋତେ ରାସ୍ତାରେ ଦେଖିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇ ପଲାଇଥିଲା ।

ଗତ ୧୬ ତାରିଖରେ ପୁନର୍ବାର ବେଡା ଓ ଅନାମୁ ମଧ୍ୟରେ ରାତି ୯ଟାରେ ଗାଁର ଏକ ଚାଉମିନ ଦୋକାନରେ ଧାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ବେଡା ଏକ ଟାଙ୍ଗିଆ ଆଣି ରାସ୍ତା କଡରେ ଲୁଚି ରହିଥିଲା । ଅନାମୁ ରାତିରେ ଘରକୁ ଫେରୁଥିବାବେଳେ ଲୁଚି ରହିଥିବା ବେଡା ଟାଙ୍ଗିଆ ଦ୍ୱାରା ହାଣି ଦେଇଥିଲା । ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ବୁଧବାର ଦିନ ସରସରା ଗ୍ରାମର ବେଡା ଓରଫ ଚନ୍ଦନ ମଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ମାଧବାନନ୍ଦ ନାଏକ ପ୍ରକାଶ କରିଛନ୍ତି । ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇପାରିଥିବା ଜଣାଯାଇଛି ।

Comments are closed.