ହାତୀ ଶିକାର ମାମଲାରେ – ଜଣେ ଅଟକ, ସ୍ୱାମୀଙ୍କ ସହ ଆସିଥିବା ମହିଳାଙ୍କ ସନ୍ଦେହଜନକ ଭାବେଆହତ,ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି

ବୌଦ୍ଧ : ବୌଦ୍ଧଜିଲା ବଘିଆପଡା ଅଞ୍ଚଳରେ ଦୁଇଗୋଟି ହାତୀ ଶିକାର ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତନାଘନା ଚଢାଉ ଚାଲିଥିବାବେଳେ ସନ୍ଦେହରେ ବିଭିନ୍ନ ଲୋକଙ୍କୁ ଧରିଆଣି ପଚରା ଉଚୁରା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମୃତ ହାତୀର ଦାନ୍ତ ଉଦ୍ଧାର ହୋଇନପାରିବା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଗତକାଲି ହାତୀ ଶିକାର ମାମଲାରେ ସଂପୃକ୍ତି ସନ୍ଦେହରେ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବିରିଗଡ ଗ୍ରାମର ସୁଦର୍ଶନ ମାଝୀଙ୍କୁ ବନ ବିଭାଗ କର୍ମଚାରୀମାନେ ଘରୁ ଉଠାଇ ଆଣିଥିଲେ । ସୁଦର୍ଶନଙ୍କ ପତ୍ନୀ ସୁଲତା ମାଝୀ ତାଙ୍କ ସ୍ୱାମୀ ନିର୍ଦ୍ଦୋଷ ହୋଇଥିବାବେଳେ ତାଙ୍କୁ କାହିଁକି ନେଉଛନ୍ତି କହି ବନ ବିଭାଗ କର୍ମଚାରୀଙ୍କୁ ପ୍ରତିବାଦ କରିବା ସହିତ ସେ ମଧ୍ୟ ସ୍ୱାମୀଙ୍କ ସହିତ ଆସିଥିଲେ ।

ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ବନ ବିଭାଗ କର୍ମଚାରୀମାନେ ଗାଡିରେ ବସାଇ ଆଣିବାପରେ ସୁଦର୍ଶନଙ୍କୁ ଅଟକ ରଖି ସୁଲତାଙ୍କୁ ଚାଲିଯିବାକୁ କହିଥିଲେ ମଧ୍ୟ ସେ ଯାଇନଥିଲେ । କିନ୍ତୁ ଶନିବାର ସକାଳୁ ସୁଦର୍ଶନଙ୍କ ପତ୍ନୀଙ୍କୁ ଅଚେତ ଅବସ୍ଥାରେ ବନ ବିଭାଗ କର୍ମଚାରୀମାନେ ଗ୍ରାମରେ ନେଇ ଛାଡିଦେବାପରେ ଗ୍ରାମବାସୀମାନେ ତାଙ୍କୁ ଆଣି ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୁଲତାଙ୍କୁ ଚେତା ଏଯାଏ ଚେତା ଫେରିନଥିବାବେଳେ ତାଙ୍କର ଜୀବନ ପ୍ରତି ବିପଦ ରହିଥିବା କହି ଡାକ୍ତରମାନେ ବାହାରକୁ ଚିକିତ୍ସା ପାଇଁ ନେଇଯିବାକୁ ପରାମର୍ଶ ଦେଇଛନ୍ତି । ତେବେ ସୁଲତାଙ୍କ ଛୋଟ ଛୋଟ ୪ ଟି ପିଲା ଥିବାବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାରଲୋକ ବାହାରକୁ ଚିକିତ୍ସା ପାଇଁ ନେବାକୁ ସମ୍ବଳ ନଥିବା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ବନ ବିଭାଗର ଭୂମିକା ସନ୍ଦେହଜନକ ରହିଥିବାବେଳେ ସ୍ୱାମୀଙ୍କୁ ଅଟକ ରଖି ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହିତ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଦୀର୍ଘ ସମୟଧରି ଗ୍ରାମବାସୀମାନେ ବନ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରି ରଖିବାପରେ ତାଙ୍କୁ ବୁଝାଶୁଝା କରାଯାଇ ବନବିଭାଗ ପକ୍ଷରୁ ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବାକୁ ପ୍ରତିଶୃତି ପ୍ରଦାନ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପ୍ରକାଶଥାଉକି ହାତୀ ଶିକାର ମାମଲାରେ ବରିଗଡ ଗ୍ରାମରୁ ପୂର୍ବରୁ ମଧ୍ୟ ୩ ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯିବାପରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ବନ ବିଭାଗ କାର୍ଯ୍ୟାଳୟ ଆଗରେ ରାସ୍ତା ରୋକ କରିଥିଲେ । ଜିଲାପାଳ ଘଟଣାର ନିରପେକ୍ଷ ତଦନ୍ତ ପ୍ରତିଶୃତି ପ୍ରଦାନ ପରେ ଗ୍ରାମବାସୀମାନେ ଫେରିଯାଇଥିଲେ । ହାତୀ ଶିକାର ତଦନ୍ତ ମାମଲାରେ ଏପର୍ଯ୍ୟନ୍ତ ବନ ବିଭାଗ ବିଶେଷ ଅଗ୍ରଗତି କରିପାରିନଥିବାବେଳେ ଅନ୍ଧାରରେ ବାଡି ବୁଲାଇବା ଭଳି ନିରିହ ଲୋକମାନଙ୍କୁ ସନ୍ଦେହରେ ପଚରା ଉଚୁରା ପାଇଁ ଆଣି ନିର୍ଯ୍ୟାତନା ଦେବା ସହିତ କୋର୍ଟ ଚାଲାଣ କରୁଥିବା ଅଭିଯୋଗ ହେଉଅଛି । ଗୋଟିଏପଟେ ଘଟଣାକୁ ଏକ ସପ୍ତାହ ଅତିକ୍ରାନ୍ତ କରିଥିଲେ ମଧ୍ୟ ବନ ବିଭାଗ ନା ଶିକାରୀମାନଙ୍କ ସୂରାକ ପାଇପାରୁଛି ନା ମୃତ ହାତୀର ଦାନ୍ତ ଉଦ୍ଧାର କରିପାରୁଛି । ଅନ୍ୟପଟେ ବନ ବିଭାଗର ବଡ ଅଧିକାରୀମାନେ ତଳିଆ କର୍ମଚାରୀଙ୍କ ଉପରେ ସବୁ ଦୋଷ ଲଦି ଶିତ ତାପ ନିୟନ୍ତ୍ରିତ କୋଠରୀରେ ବସି ତଦନ୍ତ ଚଳାଉଥିବା ଅଭିଯୋଗ ହେଉଅଛି । ତେଣୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଶିକାରୀମାନଙ୍କୁ ଧରାନଗଲେ ବୌଦ୍ଧଜିଲାରେ ବନ୍ୟଜନ୍ତ୍‌ୁଙ୍କ ସୂରକ୍ଷା ନେଇ ଆଶଙ୍କା ଲାଗି ରହିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।

Comments are closed.