ଧାନ ବିକ୍ରି କରିନପାରି କୃଷି ପ୍ରଦର୍ଶନୀ ଆଗରେ ବସି କାନ୍ଦିଲେ ଅସହାୟ ଚାଷୀ

ବୌଦ୍ଧ: ଜିଲାସାରା ଧାନ ମଣ୍ଡିରେ ଧାନ କ୍ରୟ ହେଉନଥିବାରୁ ଚାଷୀମାନେ ବିକ୍ଷୋଭ ଜାରି ରଖିଥିବାବେଳେ ଏପଟେ ବୌଦ୍ଧ ଜିଲା କୃଷି କାର୍ୟ୍ୟାଳୟ ପରିସରରେ କୃଷି ପ୍ରଦର୍ଶନୀ କାର୍ୟ୍ୟକ୍ରମ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଜଣେ ଅସହାୟ ଚାଷୀ ତା’ର ଧାନ ବିକ୍ରି କରିପାରୁନଥିବାରୁ ସେ ପ୍ରଦର୍ଶନୀ ଆଗରେ ବସି କାନ୍ଦିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ ସରସରା ଗ୍ରାମର ଚାଷୀ ଚାପଧାରୀ ପ୍ରଧାନ ନିଜର ୧ ଏକର ସହ ଭାଗରେ ନେଇଥିବା ମୋଟ ୪ ଏକର ଜମିରେ ଧାନ ଚାଷ କରିଥିଲେ। ଧାନ ଅମଳ ହେବା ପରେ ତାଙ୍କ ଘରେ ୨୫୦ ପ୍ୟାକେଟ ଧାନ ଏଯାଏ ବିକ୍ରି ନହୋଇ ପଡ଼ିରହିଛି। ଗତ ମାସ ୨୪ ଓ ୨୭ ତାରିଖରେ ଧାନ ବିକ୍ରି ପାଇଁ ସେ ଟୋକନ ପାଇଛନ୍ତି। ହେଲେ ପେକ୍ସର ଟାର୍ଗେଟ ନଥିବାରୁ ବିକ୍ରି କରି ପାରି ନାହାନ୍ତି। ସେପଟେ ତାଙ୍କ ୨୫ ବର୍ଷର ଭେଣ୍ଡିଆ ପୁଅ ଗଜେନ୍ଦ୍ର ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇଛି। ତା’ର ବାମ ଜଙ୍ଘର ହାଡ଼ ମଧ୍ୟ ବଢ଼ୁଛି। ବାପାକୁ ଚାଷରେ ସାହାଯ୍ୟ କରିବା ବୟସରେ ପୁଅ ଶଯ୍ୟାଶାୟୀ। ଧାନ ବିକ୍ରି କରିନପାରିବାରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ଅସହାୟ ଚାଷୀ ଚାପଧାରୀ ।
ଏ ବିଷୟରେ ଜିଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଧାନ ବିକ୍ରି କରିନପାରିଲେ ଆତ୍ମହତ୍ୟା କରିବେ ବୋଲି ଚାପଧାରୀ କାନ୍ଦି କାନ୍ଦି କହିଥିଲେ । ଯଦିଓ ଜିଲ୍ଲାପାଳ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଜିଲାର ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏବଂ ନୂତନ ଟାର୍ଗେଟ ପ୍ରଦାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପତ୍ର ଲେଖାଯାଇଛି କିନ୍ତୁ କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଜଣେ ଚାଷୀ ଧାନ ବିକ୍ରି କରିନପାରି ଶେଷରେ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବସି କାନ୍ଦିବା ବୁଦ୍ଧିଜୀବି ମହଲରେ ଉଦବେଗ ସୃଷ୍ଟି କରିଛି।

Comments are closed.