ସରିନି ଧାନ ତଳି ରୂଆ, ସାର ଗାଏବ

ବୌଦ୍ଧ: ବିଳମ୍ବରେ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ଚାଷୀମାନେ ଧାନ ତଳି ଲଗାଇ ପାରିନଥିବା ବେଳେ ରାଜ୍ୟ ସରକାର ଚାଷୀମାନଙ୍କୁ ବାଟବଣା କରିବାକୁ ସାରର କୁତ୍ରିମ ଅଭାବ ସୃଷ୍ଟି କରୁଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବୌଦ୍ଧ ସର୍କିଟହାଉସଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନେ ସରକାରଙ୍କ ଚାଷୀ ଶୋଷଣ ନିତିକୁ ଦୃଢ ନିନ୍ଦା କରିଛନ୍ତି। ରାଜ୍ୟର ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରୟ କରିପାରି ନଥିବା ବେଳେ ସରକାର ଜୁଲାଇ ମାସରୁ ଚାଷୀ ପଂଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଚାଷୀ ପଂଜିକରଣ ଅଗଷ୍ଟ ମାସରେ କରାଯାଉଥିବା ବେଳେ ଆଗୁଆ ପଂଜିକରଣକୁ ନେଇ ବିଜେପି ପକ୍ଷରୁ ସଂଶୟ ପ୍ରକାଶ କରାଯାଇଛି।

ସେହିପରି ରାଜ୍ୟର ଚାଷୀ ବର୍ଷା ଅଭାବରୁ ଧାନ ତଳି ପକାଇ ପାରିନଥିବା ବେଳେ ସରକାର ସାରର ଅଭାବ ଦେଖାଇ କେନ୍ଦ୍ରକୁ ଚିଠି ଲେଖି ଚାଷୀମାନଙ୍କୁ ବାଟବଣା କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଯଦି ରାଜ୍ୟରେ ଧାନ ତଳି ରୁଆ ହୋଇ ନାହିଁ ସାର କିପରି ଗାଏବ ହେଲା ବୋଲି ବିଜେପି ପକ୍ଷରୁ ସରକାରକୁ ପ୍ରଶ୍ନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ତଥ୍ୟ ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷରେ ୟୁରିଆ ସାର ୫.୬୫ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୬.୬୬ ଲକ୍ଷ ମେଟ୍ରିକ ଟନ ଯୋଗାଇ ଦିଆଯାଇଛି। ସେହିପରି ଡିଏପି ସାର ୨.୨୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୨.୮୨ ଲକ୍ଷ ମେଟ୍ରିକ ଟନ, ଏମଓପି ସାର ୧.୩୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୧.୮୧ ଲକ୍ଷ ମେଟ୍ରିକ ଟନ, ଏନପିକେଏସ ସାର ୨.୮୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବା ବେଳେ ୩.୨୬ ଲକ୍ଷ ମେଟ୍ରିକ ଟନ ଯୋଗାଇ ଦିଆଯାଇଛି। ଏହିସବୁ ସାର ଆବଣ୍ଟନର ହିସାବ ରାଜ୍ୟ ସରକାର ଦେଇପାରିନଥିବା ବେଳେ ରାଜ୍ୟରେ ସାର ଅଭାବ ଥିବା କହି କେନ୍ଦ୍ରକୁ ଦୋଷ ଦେଉଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ରୀୟ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ ନକରାଇ ଅନୁଦାନକୁ ବାଟମାରଣା କରାଯାଉଅଛି। ତେଣୁ ଆଗାମୀ ଦିନରେ ଚାଷୀର ହକ୍‍ ପାଇଁ ବିଜେପି ପକ୍ଷରୁ ଲଢେଇ ହେବ ଏବଂ ଆବଶ୍ୟକ ହେଲେ ବିଜେପି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତବାନୀ ଦିଆଯାଇଛି। ବୈଠକରେ ବୌଦ୍ଧ, କନ୍ଧମାଳ ଓ ସୁବର୍ଣ୍ଣପୁର କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ରଂଜନ ମଙ୍ଗରାଜ, ରାଜ୍ୟ ସଂପାଦକ ଅଶୋକ କୁମାର ମହାନ୍ତି, ବିଶ୍ୱଜିତ ସ୍ୱାଇଁ, କରମଚାନ୍ଦ ମହାନ୍ତି, କିଶୋର ହୋତା, ରବି କୁମାର ଦେଓ, ଶିବରାମ ବେହେରା, ଅବନେଶ୍ୱର ପ୍ରଧାନ, ସୁନିଲ ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ମନୋରଂଜନ ଦାଶ, ସୂର୍ଯ୍ୟନାରାୟଣ ମହାପାତ୍ର, ସୁଶାନ୍ତ କୁମାର ବାଘ, ବିଶିକେଶନ ପ୍ରଧାନ ଓ ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Comments are closed.