ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ମାନସ ମନ୍ଥନ

ବୌଦ୍ଧ: ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁଦଳ ପକ୍ଷରୁ ଆରମ୍ଭ ହୋଇଛି ସଜବାଜ। ଗୋଟିଏ ପଟେ ପ୍ରମୁଖ ବିରୋଧୀ ଦଳ ବିଜେପି ବିଭିନ୍ନ ମାମଲାରେ ଶାସକ ଦଳକୁ ଘେରିବାକୁ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, ଧାନର ଅଭାବି ବିକ୍ରି ଭଳି ସମସ୍ୟା ନେଇ ବିକ୍ଷୋଭ ଓ ଧାରଣା ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଶାସକ ବିଜେଡି ପକ୍ଷରୁ ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପୁଣିଥରେ ଶାସନକୁ ଫେରିବାକୁ ମାନସ ମନ୍ଥନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଜେଡିର ଦୁଇ ପର୍ଯ୍ୟବେକ୍ଷକ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସୌଭାଗ୍ୟ ରଂଜନ ନାୟକ ବୌଦ୍ଧଜିଲା ଗସ୍ତରେ ଆସି ଦଳୀୟ ନେତା, କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ପଞ୍ଚାୟତ ନିର୍ବାଚନ ନେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି।

ବୌଦ୍ଧ ବନ୍ୟା ଆଶ୍ରୟସ୍ଥଳୀଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଦଳୀୟ ସାଂଗଠନିକ ଆଲୋଚନା କରାଯାଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ସକ୍ରିୟ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଏବଂ ଜିଲାସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନିର୍ବାଚନ ପାଇଁ ବୌଦ୍ଧ ଓ କଣ୍ଟାମାଳ ଉଭୟ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରସ୍ତୁତି ଆରମ୍ଭ କରିବାକୁ ପର୍ଯ୍ୟବେକ୍ଷକମାନେ ଗୁରୁତ୍ୱ ପ୍ରଦାନ କରିଥିଲେ। ବୈଠକରେ ଉଭୟ ପର୍ଯ୍ୟବେକ୍ଷକ ସିଧାସଳଖ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କଠାରୁ ବିଭିନ୍ନ ସାଂଗଠନିକ ସମସ୍ୟା ସଂପର୍କରେ ଶୁଣିଥିଲେ ଏବଂ ତାହାର ସମାଧାନ ପାଇଁ ଉଭୟ ବିଧାୟକଙ୍କୁ ପରାମର୍ଶ ଦେଇଥିଲେ।

ଜିଲାରେ ବିଜେପି ସଂଗଠିତ ହୋଇ ଚାଲିଥିବା ବେଳେ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ବିଜେଡିରେ ସମନ୍ୱୟର ଅଭାବ ଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଜିଲା ବିଜେଡି ସଭାପତି ଭାବରେ ଦୁଇବର୍ଷରୁ ଅଧିକ ସମୟ ହେଲା କଣ୍ଟାମାଳ ବିଧାୟକ ମହୀଧର ରଣା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏପର୍ଯ୍ୟନ୍ତ ଦଳର ଜିଲା କମିଟି, ବ୍ଲକ କମିଟି କିମ୍ବା ୱାର୍ଡ କମିଟି ଘୋଷଣା ହୋଇ ନଥିବା ବେଳେ ସକ୍ରିୟ ସଦସ୍ୟ ଅଭିଯାନ ମଧ୍ୟ ଆରମ୍ଭ ହୋଇନଥିବା ନେଇ ପର୍ଯ୍ୟବେକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଥିବା ବିଶ୍ୱସ୍ତସୁତ୍ରରୁ ଜଣାଯାଇଛି। ବୈଠକର ଆଲୋଚନା ନେଇ ଗୋପନୀୟତା ରକ୍ଷା କରିବାକୁ ପର୍ଯ୍ୟବେକ୍ଷକମାନେ ପରାମର୍ଶ ଦେବା ସହିତ ଗଣମାଧ୍ୟମକୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇନଥିଲା। ତେବେ ଖୁବଶୀଘ୍ର ନିର୍ବାଚନ ପୂର୍ବରୁ ବିଜେଡି ନିଜର ଶକ୍ତିପ୍ରଦର୍ଶନ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି।

Comments are closed.