ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗକୁ ୩୦ଗୋଟି ଅମ୍ଳଜାନ କନସେନଟ୍ରେଟର ପ୍ରଦାନ

ବୌଦ୍ଧ: କରୋନା ମହାମାରୀ ଆତଙ୍କ ଦୀର୍ଘମାସ ହେଲା ଦେଶରେ ଲାଗିରହିଥିବାବେଳେ ଦ୍ୱିତିୟ ଲହରରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ବୌଦ୍ଧଜିଲାରେ ଏପର୍ଯ୍ୟନ୍ତ ୧୦୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି। ଜିଲାରେ କୌଣସିବି ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁ ମୁଖରେ ନପଡନ୍ତୁ ସେଥିପାଇଁ ବୌଦ୍ଧ ସରସରାସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ମାଧ୍ୟମରେ ୟୁନାଇଟେଡ ୱେ ବାଙ୍ଗାଲୋର, ସହାୟତାରେ ବୌଦ୍ଧ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ୩୦ ଗୋଟି ଅମ୍ଳଜାନ କନସେନଟ୍ରେଟର ପ୍ରଦାନ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଲୋକକଳା ବିକାଶ କେନ୍ଦ୍ର ପକ୍ଷରୁ ଉକ୍ତ କନସେନଟ୍ରେଟର ହସ୍ତାନ୍ତର କରାଯାଇଛି। ଏହାର ମୂଲ୍ୟ ୧୭ଲକ୍ଷ ୮୦ ହଜାର ଟଙ୍କା ବୋଲି ଜଣାପଡିଛି।

ଏହା ପୂର୍ବରୁ କରୋନାର ପ୍ରଥମ ଲହର ସମୟରେ ଲୋକକଳା ବିକାଶ କେନ୍ଦ୍ର ପକ୍ଷରୁ ହରଭଙ୍ଗା ବ୍ଲକର ଗରିବ ଅସହାୟ, ବିଧବା, ଦିବ୍ୟାଙ୍ଗ, ଶଯ୍ୟାଶାୟୀ ଓ ରୋଗାଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍‍ଟନ କରାଯାଇଥିଲା। ସେହପରି ଦ୍ୱିତିୟ ଲହରରେ ୯୦ଟି ପରିବାରକୁ ନିୟମିତ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏବେ ତୃତୀୟ ଲହର ପୂର୍ବରୁ ରୋଗୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନହେବେ ଅନୁଷ୍ଠାନ ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯିବ ବୋଲି ସମ୍ପାଦିକା ପୁଷ୍ପିତା ପ୍ରଧାନ ପ୍ରକାଶ କରିଛନ୍ତି। ଆଗକୁ ୧୦ ହଜାର ଏନ ୯୫ ମାସ୍କ ଓ ଅକ୍ସିମିଟର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କନସେନଟ୍ରେଟର ପ୍ରଦାନ ସମୟରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଜାତୀୟ ସ୍ୱାସ୍ଥ୍ୟ ମିଶନ ବୌଦ୍ଧଜିଲା ପ୍ରୋଗ୍ରାମ ମ୍ୟାନେଜର ରୂପ ମହାପାତ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ଲୋକକଳା ବିକାଶ କେନ୍ଦ୍ରର ସମ୍ପାଦିକ ପୁଷ୍ପିତା ପ୍ରଧାନ, ସଦସ୍ୟ ସୀତାକାନ୍ତ ସାହୁ, ସୁପ୍ରିୟା ଦେହୁରୀ, ପ୍ରତାପ ମେହେର, ବାଞ୍ଛାନିଧି ବିଶି ଓ ସ୍ୱେଛାସେବୀ ପିଣ୍ଟୁ, ତୋଫାନ, ରାମଚନ୍ଦ୍ର ଓ ଦେବାର୍ଚ୍ଚନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.