ବୌଦ୍ଧ ଜିଲାରେ ଫେଲମାରିଛି ନିରାମୟ ଯୋଜନା

ବୌଦ୍ଧ: ସରକାର ନିରାମୟ ଯୋଜନାରେ ସରକାରୀ ଡାକ୍ତରଖାନା ମାଧ୍ୟମରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହି ଯୋଜନା ବୈାଦ୍ଧ ଜିଲ୍ଲାରେ ଫେଲ ମାରିଥିବା ଅଭିଯୋଗ ହେଉଛି। ଜିଲାର ସମସ୍ତ ଚିକିତ୍ସାଳୟରେ ନିରାମୟ ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଆବଶ୍ୟକୀୟ ଔଷଧ ନଥିବା ଯୋଗୁଁ ରୋଗୀମାନେ ଔଷଧ ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୌଦ୍ଧଜିଲା ଅବହେଳିତ ହୋଇଥିବା ବେଳେ ଜିଲାରେ ରୋଗୀମାନେ ସରକାରଙ୍କ ନିରାମୟ ଯୋଜନାରେ ମାଗଣାରେ ଔଷଧ ପାଇନପାରିବା ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ ହୋଇଛି। ଯାହାଫଳରେ ରୋଗୀମାନଙ୍କୁ ବିଭିନ୍ନ ସମୟରେ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି।

ସୂଚନା ଯୋଗ୍ୟ ଯେ, ଗରୀବ ଓ ଅନଗ୍ରସର ପରିବାରର ଲୋକେ କୈାଣସି ରୋଗରେ ପଡିଲେ ସେମାନଙ୍କ ପାଖରେ ଔଷଧ କିଣିବା ପାଇଁ ସେତିକି ସମ୍ବଳ ନଥିବାରୁ ବାଧ୍ୟହୋଇ ଧାର କରଜ କରି ଔଷଧ କିଣି ଚିକିତ୍ସିତ ହେଉଥିଲେ। ଏପରିକି ଚିକିତ୍ସା ପାଇଁ ସେମାନଙ୍କ ଘରଡିହ କିମ୍ବା ଜମି ବିକ୍ରି କରିବାକୁ ପଡୁଥିଲା। ହେଲେ ନିରାମୟ ଯୋଜନା ଆରମ୍ଭ ହେବା ଦ୍ୱାରା ଗରୀବ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ଉପକୃତ ହେଉଛନ୍ତି। ଏହି ନିରାମୟ ଯୋଜନା ରୋଗୀଙ୍କ ମଧ୍ୟରେ ନୂତନ ଆଶା ସଂଚାର କରିଛି। ହେଲେ ବର୍ତ୍ତମାନ ଔଷଧ ରୋଗୀଙ୍କୁ ଠିକଭାବରେ ମିଳୁନାହିଁ ତାହା ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଜିଲା ସ୍ୱାସ୍ଥ୍ୟ ବିଭାଗ ରୋଗୀଙ୍କ ପାଇଁ ସରକାର କରିଥିବା ନିରାମୟ ଯୋଜନା ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଏଡିଏମଓ ତଥା ଡିଷ୍ଟିକ ମେଡିକାଲ ଅଫିସର କିଶୋର ଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ପ୍ରାୟ ୯୯ ପ୍ରତିଶତ ଔଷଧ ମିଳୁଛି। ହଠାତ ଯଦି ଔଷଧ ଶେଷ ହୋଇଯାଇଥିବ ତାହାହେଲେ ମିଳି ପାରିନଥିବ ବୋଲି ପ୍ରକାଶ କରିଛନ୍ତି।

Comments are closed.