ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବୌଦ୍ଧ: କୋଭିଡ ମୃତ୍ୟୁରେ ବୌଦ୍ଧଜିଲା ଶତକ ଅତିକ୍ରମ କରିଥିବାବେଳେ ବୌଦ୍ଧଜିଲା ବିଜେପି ପକ୍ଷରୁ ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ତୁରନ୍ତ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟ ଭାବ ପ୍ରଦର୍ଶନ କରିବା ସହିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ଭୀମସାରକୁ ଅବହେଳା ପ୍ରଦର୍ଶନ କରୁଥିବାବେଳେ ଜିଲା ଗୁଡିକରେ ମଧ୍ୟ ସ୍ୱାସ୍ଥ୍ୟ ଭିତିଭୂମି ଅତି ଦୁର୍ବଳ ରହିଛି। ସରକାର ଗୋଟିଏ ପଟେ ଜନନୀ ସୂରକ୍ଷା ଯୋଜନା ନାମରେ ଶତପ୍ରତିଶତ ଡାକ୍ତରଖାନାରେ ପ୍ରସୂତି କରାଇବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବୌଦ୍ଧଜିଲାରେ ନବଜାତକ ଶିଶୁମାନଙ୍କ ଦୟନିୟ ପରିସ୍ଥିତି ଦେଖାଯାଇଛି। ଜିଲା ମୁଖ୍ୟଚିକିତ୍ସାଳୟରେ ସ୍ଥାନାଭାବ ଓ ଶଯ୍ୟା ଅଭାବ ଥିବା ଯୋଗୁଁ ଅନେକ ପ୍ରସୂତୀ ମା ନିଜର ନବଜାତକ ଶିଶୁ ସହିତ ଚିକିତ୍ସାଳୟ ବାରଣ୍ଡାରେ ପଡିରହିଥିବା ଦୃଶ୍ୟ ସାଧାରଣଲୋକଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି। ତେଣୁ ଜିଲାରେ ତୁରନ୍ତ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ପାଇଁ ଜିଲା ବିଜେପି ପକ୍ଷରୁ ଦାବି କରାଯାଇ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତନିଧି ମଣ୍ଡଳୀ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ଆଲୋଚନା କରି ଜିଲାରେ ଲାଗି ରହିଥିବା ସ୍ୱାସ୍ଥ୍ୟସେବା ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାତଦିନ ମଧ୍ୟରେ ସମସ୍ତ ପ୍ରସୂତୀ ମା ଓ ଶିଶୁଙ୍କୁ ଶଯ୍ୟା ଉପଲବ୍ଧ କରାଇବାକୁ ଦାବି କରାଯିବା ସହ ଏହାର ବ୍ୟତିକ୍ରମ ହେଲେ ବିଜେପି ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହିତ ସ୍ୱାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରୁଥିବା ଭୀମସାର ଚିକିତ୍ସାଳୟରେ ଇକମୋ ମେଶିନ ତୁରନ୍ତ ସ୍ଥାପନ କରାଯିବାକୁ ମଧ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, ଓମ ପ୍ରକାଶ ମିଶ୍ର, ମନୋରଂଜନ ଦାଶ, ତ୍ରିପୁରାରୀ ବେହେରା, ଶ୍ୟାମସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ କୁମାର ବାଘ, ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ବିଶିକେଶନ ପ୍ରଧାନ, ପ୍ରଦୋଷ କୁମାର ମିଶ୍ର, ତାପସ ପଟ୍ଟନାୟକ, ମିନାରାଣୀ ମିଶ୍ର, ନମିତାରାଣୀ ଦାଶ, ଦାମ ମିଶ୍ର ଓ ନାରାୟଣ କର୍ମୀଙ୍କ ସମତେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।

Comments are closed.