ବରିଷ୍ଠତା ଭିତ୍ତିରେ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ ପାଇଁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ

ବୌଦ୍ଧ: ବୌଦ୍ଧଜିଲା ଶିକ୍ଷା ବିଭାଗରେ ଅଧିକାରୀମାନଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡିଛି। ଜିଲା ଶିକ୍ଷା ବିଭାଗ ଦ୍ୱାରା ଉପେକ୍ଷିତ ହୋଇଥିବା ବୌଦ୍ଧଜିଲା ସରକାରୀ ଉଚ୍ଚ ପ୍ରାଥମିକ ବଦ୍ୟାଳୟ ବୁଟୁପାଲିର ବରିଷ୍ଠ ଶିକ୍ଷକ ଶ୍ରୀନିବାସ ମିଶ୍ର ଶେଷରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ୮ ସପ୍ତାହ ମଧ୍ୟରେ ସରକାରୀ ନିୟମ ଅନୁଯାୟୀ ବରିଷ୍ଠତା ଭିତିରେ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ ପାଇଁ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପ୍ରକାଶଯୋଗ୍ୟଯେ, କିଛିଦିନ ତଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ କ୍ଷମତା ଦେଖାଇବାକୁ ଯାଇ ଉଦ୍ଦେଶ୍ୟମୂଳକ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଟୁପାଲିର କିଛି ବରିଷ୍ଠ ଶିକ୍ଷକଙ୍କୁ ଉପେକ୍ଷା କରି ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଚିଠି ନମ୍ବର ୩୭୬୬/୧୮ ବିଦ୍ୟାଳୟ ନିୟମ ୩ ଉପଧାରା ୧.୮ ରେ ବରିଷ୍ଠତା ଭିତ୍ତିରେ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିବା ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିବା ସତ୍ୱେ ଏହାକୁ ଉଲଂଘନ କରି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେବାପରେ ଏହାକୁ ନେଇ ଶିକ୍ଷକମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏ ସଂପର୍କରେ ସଂପୃକ୍ତ ବିଦ୍ୟାଳୟରେ ପୂର୍ବରୁ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇ ସାରିଥିବା ବରିଷ୍ଠ ଶିକ୍ଷକ ଶ୍ରୀନିବାସ ମିଶ୍ର ଲିଖିତ ଭାବରେ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ କେଉଁ କାରଣରୁ ତାଙ୍କଠାରୁ ଜଣେ କନିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଏ ସଂପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବାପରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୧୯୪୪/ ତା ୧୯.୦୫.୨୦୨୧ ଅନୁଯାୟୀ, ଗଣଶିକ୍ଷା ବିଭାଗ ଚିଠି ନମ୍ବର ୩୭୬୯/ ତା ୨୦.୦୨.୨୦୧୮ ଅନୁଯାୟୀ ସଂପୃକ୍ତ ବିଦ୍ୟାଳୟର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବରେ ତିନିଦିନ ମଧ୍ୟରେ ଦାୟିତ୍ୱ ପ୍ରଦାନ ପାଇଁ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କିନ୍ତୁ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭିନ୍ନ ସରକାରୀ ଆଳ ଦେଖାଇ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ସମୟ ଗଡାଇ ଚାଲିଥିଲେ। ଜିଲା ଶିକ୍ଷା ବିଭାଗରୁ ନ୍ୟାୟ ନମିଳିବାରୁ ବରିଷ୍ଠ ଶିକ୍ଷକ ଶ୍ରୀମିଶ୍ର ଉଚ୍ଚନ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଉଚ୍ଚ ନ୍ୟାୟାଳୟ ତାଙ୍କର ରାୟ ଶୁଣାଇ ଜିଲାଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହିତ ୮ ସପ୍ତାହ ମଧ୍ୟରେ ବରିଷ୍ଠତା ଭିତ୍ତିରେ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ କରିବାକୁ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ତେବେ ଜିଲାରେ ଜଣେ କନିଷ୍ଠ ଅଧିକାରୀ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକୁ ଖାତିର ନକରିବା ଏବଂ ନ୍ୟାୟ ପାଇବାକୁ ବିଭାଗୀୟ କର୍ମଚାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାଭଳି ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ନିଜ ଜିଲାରେ ଅଧିକାରୀ ଭାବରେ କାର୍ଯ୍ୟ କରି ବ୍ୟକ୍ତିଗତ ଆକ୍ରୋଶ ରଖି ସରକାରୀ ନିୟମକୁ ଅଣଦେଖା କରୁଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲାରେ ବିଭାଗୀୟ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ଶିକ୍ଷକ ମହଲରେ ମତପ୍ରକାଶ ପାଉଅଛି।

Comments are closed.