କ୍ରସର ବନ୍ଦ ଓ ହରଭଂଗା ତହସିଲଦାରଙ୍କୁ ବରଖାସ୍ତ ଦାବୀ ନେଇ ବିକ୍ଷୋଭ

ବୌଦ୍ଧ: ବୌଦ୍ଧ ଜିଲା ହରଭଂଗା ବ୍ଳକ ଅନ୍ତର୍ଗତ ଖରଭୂଇଁ ଗ୍ରାମ ନିକଟରେ ଚାଲିଥିବା କ୍ରସର ଓ ପଥର ବ୍ଳାଷ୍ଟିଙ୍ଗକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ଦାବୀ କରି ଗତକିଛିଦିନ ହେଲା ଆନ୍ଦୋଳନ ଚାଲିଅଛି। ପରିବେଶ, ଜୀବନ ଓ ଜିବିକାର ସୁରକ୍ଷା ଦାବୀ କରୁଥିବା ଗ୍ରାମବାସୀଙ୍କ ଜିଦ ଫଳରେ କିଛିଦିନ ହେଲା କ୍ରସର ଓ ପଥର ବ୍ଳାଷ୍ଟିଙ୍ଗ ସବୁ ବନ୍ଦ ରହିଛି। ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ତିନିଥର ଆଲୋଚନା ହେଲେ ମଧ୍ୟ ସମାଧାନ ର ପନ୍ଥା ବାହାରି ପାରୁନାହିଁ। ଆଲୋଚନା ସମୟରେ ହରଭଂଗା ତହସିଲଦାର ଗ୍ରାମବାସୀମାନଙ୍କୁ ଅଶାଳିନ ବ୍ୟବହାର ଦେଖାଇଥିବା ଓ ଧମକ ଚମକ ଦେଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅଶାଳୀନ ବ୍ୟବହାର ଦେଖାଇଥିବା ହରଭଂଗା ତହସିଲଦାରଙ୍କୁ ତୁରନ୍ତ ହଟାଇବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ଆଜି ଶହଶହ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ଉପଜିଲାପାଳ ଅଶ୍ୱିନି ମେହେରଙ୍କୁ ପ୍ରଦାନ କରିଥିଲେ। ଖରଭୂଇଁ ଗ୍ରାମ୍ୟ କମିଟି ର ସଭାପତି ଅକ୍ଷୟ ନାୟକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଂପାଦିକା ତିଳୋତମା କହଁର ଓ ଜିଲା ପରିଷଦ ସଦସ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Comments are closed.