ବୌଦ୍ଧରେ ବିପଦ ସଙ୍କେତ ଉପରେ ମହାନଦୀ, ଜଗନ୍ନାଥ ସଡକରେ ଯୋଗଯୋଗ ବିଛିନ୍ନ

ବୌଦ୍ଧ: ଏକ ସପ୍ତାହ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବୌଦ୍ଧରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଲାଗି ରହିଥିବାରୁ ତେଲନଦୀ,ବାଘନଦୀ ଓ ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧଠାରେ ମହାନଦୀରେ ବିପଦ ସଙ୍କେତ ୮୭.୮୦ ମିଟର ରେକର୍ଡ କରାଯାଇଥିବା ବେଳେ ଅପରାହ୍ନ ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଉପରେ ୮୮.୦୭ ମିଟରରେ ପ୍ରବାହିତ ହେଉଅଛି। ଫଳରେ ବୌଦ୍ଧ ସହରର ତଳି ଅଞ୍ଚଳ ଗୁଡିକରେ ମହାନଦୀ ଜଳ ପ୍ରବେଶ କରିସାରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ, ବାଣିଜ୍ୟକର କାର୍ଯ୍ୟାଳୟ ଆଦି ପାଣି ଘେରରେ ରହିଛି।

ଜଗନ୍ନାଥ ସଡକରେ କୃଷ୍ଣମୋହନପୁର ପୋଲ ଉପରେ ପ୍ରାୟ ୮ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହି ରାସ୍ତାରେ ହରଭଙ୍ଗା ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏହାବ୍ୟତୀତ ହରଭଙ୍ଗା ଓ ବୌଦ୍ଧ ବ୍ଲକର ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହେବା ସହିତ ଧାନ ଫସଲ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ବୌଦ୍ଧ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମହାନଦୀ ଜଳ କୂଳ ଲଂଘି ଜାତୀୟ ରାଜପଥ ପର୍ଯ୍ୟନ୍ତ ମାଡି ରହିଛି। ଫଳରେ ଏଠାରେ ମଧ୍ୟ ଚାଷଜମି ଜଳମଗ୍ନ ହେବା ସହିତ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ରାସ୍ତା ଅତିକ୍ରମ କରି ଜନବସତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ସହରର ଗାଈଗୋଠ ପଡ଼ିଆ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ ବସ୍ତିରେ ମହାନଦୀ ଜଳ ପ୍ରବେଶ କରିଥିବାରୁ ସେଠାରେ ରହୁଥିବା ପରିବାରମାନଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ସୂଚନା ମୁତାବକ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡା ସହରର ବିଭିନ୍ନ ତଳି ଅଞ୍ଚଳ ବୁଲି ଦେଖିବା ସହିତ ଗାଈଗୋଠ ପଡ଼ିଆ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ ବସ୍ତିରେ ରହୁଥିବା ପ୍ରାୟ ୩୦ ଟି ପରିବାରର ୧୫୦ ଜଣଙ୍କୁ ମାଳିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟର ଓ ବନ୍ୟା ଆଶ୍ରୟସ୍ଥଳୀକୁ ଉଠାଇ ଆଣିବା ସହିତ ବନ୍ୟା ପାଣି ନଛାଡିବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଇଛନ୍ତି।

ବନ୍ୟା ପରିସ୍ଥିତି ଉପରେ ସଂପୁର୍ଣ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକ ହେଲେ ଅଧିକ ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ତେବେ ରବିବାର ସକାଳୁ ଜିଲାରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ସାଧାରଣରେ ବନ୍ୟା ପରିସ୍ଥିତି ନେଇ ଚିନ୍ତା ପ୍ରକାଶ ପାଇଛି। ତେବେ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରୁ ୩୪ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ତଳ ମୁଣ୍ଡରେ ସତର୍କ ସୂଚନା ଜାରି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ତଳି ଅଞ୍ଚଳରେ ରହୁଥିବା ଲୋକମାନେ ବନ୍ୟାପାଣି ପ୍ରବେଶ ନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଜିଲା ଜଳସଂପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ମହାନଦୀରେ ଜଳସ୍ତର ରେକର୍ଡ କରାଯାଉଅଛି। ପ୍ରଶାସନ ପକ୍ଷରୁ ମଧ୍ୟ ଜରୁରିକାଳୀନ ବିଭାଗ ବ୍ଲକ ପ୍ରଶାସନମାନେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏଯାଏ ଜିଲାରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବାବେଳେ ଲୋକମାନେ ନଦୀକୂଳ ଅଞ୍ଚଳ ଓ ମର୍ଜାକୁଦ ବ୍ରିଜ ଓ ପୁରୁଣା ମହାନଦୀ ବ୍ରିଜ ଉପରେ ପରିବାର ସହ ବୁଲି ବନ୍ୟା ପାଣି ଦେଖିବାକୁ ଭିଡ ଜମାଇଥିବା ଦେଖାଯାଇଛି। ମହାନଦୀ ଭିତରକୁ ମାଛମରା ଡଙ୍ଗା ନେଇ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ନୂତନ ଜିଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବାପରେ ବ୍ୟକ୍ତିଗତ ଭାବରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହିତ ସବୁ ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.