ବୌଦ୍ଧଜିଲା କ୍ରିକେଟ ସଂଘ ନିର୍ବାଚନ ଉପରେ ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ରହିତାଦେଶ

ବୌଦ୍ଧ: ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲା କ୍ରିକେଟ ସଂଘ। ଅଦାଲତ ମାମଲାରେ ଝୁଲି ରହିଲା ଖେଳାଳୀଙ୍କ ଭବିଷ୍ୟତ। କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସିଂହ (ବର୍ତମାନ ସ୍ୱର୍ଗତ) ଓ ବରିଷ୍ଠ ସଦସ୍ୟ ପ୍ରଭୁଦତ ଦଲାଲଙ୍କ ପକ୍ଷରୁ ଜିଲା କ୍ରିକେଟ ସଂଘରେ ବିଭିନ୍ନ ଅନିୟମିତତା ହୋଇଥିବା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହେବାପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଜିଲାପାଳଙ୍କ ଅଦାଲତରେ ଦୁଇବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିଥିଲା। ଗତ ୫ ତାରିଖ ଦିନ ଜିଲାପାଳଙ୍କ ଅଦାଲତର ରାୟ ପ୍ରକାଶ ପାଇବା ସହ ୧୦୯ ଜଣଙ୍କ ସଦସ୍ୟ ପଦ କାଏମ ରଖି ୧୦ ଦିନ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ଏକମାସ ମଧ୍ୟରେ ସମାପ୍ତ କରିବାକୁ ଅତିରିକ୍ତ ଜିଲାପାଳ ଓ ଜିଲା କ୍ରିଡା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଗତ ୧୦ ତାରିଖ ଦିନ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା କ୍ରିକେଟ ସଂଘ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଜିଲା କ୍ରିକେଟ ସଂଘର ପୂର୍ବତନ କର୍ମକର୍ତ୍ତା ଜିଲାପାଳଙ୍କ ଅଦାଲତର ଆଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ବୌଦ୍ଧ ଜିଲା କ୍ରିକେଟ ସଂଘର ନିର୍ବାଚନ ପ୍ରକ୍ରିୟା ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ଆବେଦନକାରୀଙ୍କୁ ଜିଲା ସିନିୟର ସିଭିଲ ଜଜ୍‍ଙ୍କ ଅଦାଲତରେ ମଇ ୨୫ ତାରିଖ ମଧ୍ୟରେ ମାମଲା ଦାୟର କରିବା ପାଇଁ ସମୟ ପ୍ରଦାନ କରିଥିବା ଜଣାଯାଇଛି। ତେବେ ଜିଲା କ୍ରିକେଟ ସଂଘରେ ଚାଲିଥିବା ଏହି କ୍ଷମତା ଯୁଦ୍ଧ ଓ ଅଦାଲତି ମାମଲା ଯୋଗୁଁ ଜିଲଶର ଯୁବ କ୍ରିକେଟ ଖେଳାଳୀମାନଙ୍କ ଭବିଷ୍ୟତ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ତୁରନ୍ତ ମାମଲାର ଶୁଣାଣୀ କରାଯାଇ ଜିଲା କ୍ରିକେଟ ସଂଘରେ ସୁସ୍ଥ ବାତବାରଣ ଆଣିବାକୁ ଜିଲାର ଅନେକ ବରିଷ୍ଠ ଖେଳାଳୀ ମତପ୍ରକାଶ କରିଛନ୍ତି।

Comments are closed.