ବୌଦ୍ଧ ଜିଲାର ପୁରପଲ୍ଲୀରେ ବୁଦ୍ଧ ଜୟନ୍ତୀ ପାଳିତ

ବୌଦ୍ଧ: ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ଗ୍ରାମରୁ ସହର ଯାଏ ବୁଦ୍ଧ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏଥି ପାଇଁ ସାରା ଜିଲା ଚଳଚଞ୍ଚଳ ହୋଇପଡ଼ିଛି। ସକାଳେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ରାଜବପ୍ରାସାଦ ନିକଟସ୍ଥ ବୁଦ୍ଧ ମନ୍ଦିରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ , ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଅତରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ଏନଏସି ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଓ ସ୍ଥପତି ସୁମନ ଷଡଙ୍ଗୀ ପ୍ରମୁଖ ସାମିଲ ହୋଇ ଭଗବାନ ବୁଦ୍ଧଙ୍କ ନିକଟରେ ନଡିଆ ଭାଙ୍ଗି ପୁଜାର୍ଚ୍ଚନା କରିଥିଲେ।

ଏହା ପରେ ବିିଧାୟକ ଶ୍ରୀ ଅମାତ ଓ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନ୍ୟାନ୍ୟ ଅଧିକାରୀଙ୍କ ଗହଣରେ ବଲାସିଙ୍ଗା ସ୍ଥିତ ମହୁଲମୁଳଠାରେ ଆୟୋଜିତ ଭୀମଭୋଇ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିଲାରେ ସମସ୍ତ କାର୍ଯ୍ୟାଳୟ ଓ କାର୍ଯ୍ୟକ୍ରମରେ ବୁଦ୍ଧଙ୍କୁ ଚିହ୍ନ ଭାବରେ କରାଯାଇ ଆସୁଥିବାବେଳେ ଏହି ଦିବସକୁ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ପାଳନ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲା। ବୌଦ୍ଧ ଜିଲାର ପ୍ରବେଶପଥ ମନମୁଣ୍ଡା ଓ ମାଧପୁରଠାରେ ଭଗବାନ ବୁଦ୍ଧଙ୍କ ୧୫ ଫୁଟ ଉଚ୍ଚାତାର ପ୍ରତିମୁର୍ତ୍ତି ସ୍ଥାପନ କରାଯାଇଥିଲା। ମାଧପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ମନମୁଣ୍ଡାଠାରେ ବିଧାୟକ ମହୀଧର ରଣା ଯୋଗଦେଇ ବୁଦ୍ଧଙ୍କ ମୂର୍ତ୍ତିକୁ ଅନାବରଣ କରିଥିଲେ। ସେହିପରି ଜିଲାର ହରଭଙ୍ଗା ବ୍ଲକର ପରଗଳପୁର ଓ ଶ୍ୟାମସୁନ୍ଦର ପୁର ଠାରେ ଥିବା ବୁଦ୍ଧ ମନ୍ଦିରରେ ବୁଦ୍ଧଜୟନ୍ତୀ ମହାସମାରୋହରେ ପାଳନ କରାଯିବା ସହିତ କେଳାକଟା ଭୀମ ପାହାଡଠାରେ ମଧ୍ୟ ଆଜି ୪ ଫୁଟ ଉଚ୍ଚର ଏକ ବୁଦ୍ଧ ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା।

ବୌଦ୍ଧ ଏନଏସି କାର୍ଯ୍ୟାଳୟ ମଧ୍ୟରେ ଏକ ୫ ଫୁଟ ଉଚ୍ଚର ପ୍ରସ୍ତର ନିର୍ମିତ ବୁଦ୍ଧ ମୂର୍ତ୍ତିକୁ ବିଧାୟକ ଶ୍ରୀଅମାତ ଉନ୍ମୋଚନ କରିଥିବାବେଳେ ରାଜଙ୍କ ଅମଳର ଛକ ବାଘଗୁଡା ଛକଠାରେ ମଧ୍ୟ ବୁଦ୍ଧଙ୍କ ପ୍ରତିମୁର୍ତ୍ତି ଓ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ସ୍ମୁତି ଉଦ୍ଦେଶ୍ୟରେ ହାତୀଶାଳ ଛକ ଠାରେ ମହାପୁରୁଷମାନଙ୍କ କିଛି ପ୍ରତି ମୁର୍ତ୍ତି ସ୍ଥାପନ କରାଯାଇ ଉନ୍ମୋଚନ କରାଯାଇଛି। ବୁଦ୍ଧ ମନ୍ଦିର ପରିସରରେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଆବାହକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲାପାଳ ଲଲଟେନ୍ଦୁ ମିଶ୍ର ଯୋଗଦେଇ ଐତିହାସିକ ବୌଦ୍ଧ ମାଟି ବୁଦ୍ଧଙ୍କ ନାମରେ ପରିଚିତ ହେବା ସମସ୍ତ ବୌଦ୍ଧବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଡଃ. ହିମାଂଶୁ ଶେଖର ପାଢ଼ୀ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯୋଗଦେଇଥିଲେ। ଏହି ପବିତ୍ର ଦିବସ ଅବସରରେ ବୁଦ୍ଧଙ୍କ ଶାନ୍ତି ବାର୍ତ୍ତା ନେଇ ଏକ ସୁସଜ୍ଜିତ ରଥ ଜିଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିଥିଲା। ବହୁ ସଂଖ୍ୟାରେ ଗ୍ରାମବାସୀ ଓ ସାଧାରଣଲୋକ ଏହି ରଥକୁ ସ୍ୱାଗତ କରିବା ସହିତ ଗ୍ରାମଗୁଡିକରେ କଳସ ଧୂପ ଦୀପ ଦେଇ ରଥ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥାହେଲା ଭାଇଚାରାର ସହର ବୌଦ୍ଧରେ ପବିତ୍ର ବୁଦ୍ଧ ଜୟ୍ରନ୍ତୀ ଅବସରରେ ପ୍ରଶାସନ ଓ ବୁଦ୍ଧ ଜୟନ୍ତୀ କମିଟିର ଅନୁରୋଧ କ୍ରମେ ମାଛ ମାଂସ ବଜାର ବନ୍ଦ ରହିବା ସହିତ ଲୋକମାନେ ନିରାମିଷ ଭୋଜନ କରିଥିଲେ। ସନ୍ଧ୍ୟାରେ ବୌଦ୍ଧ ଐତିହାସିକ ରାମେଶ୍ୱର ମନ୍ଦିର ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ବୁଦ୍ଧ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସରକାରୀ କର୍ମଚାରୀ, ବ୍ୟବସାୟୀ, ସ୍ୱେଛାସେବୀମାନେ ସାମିଲ ହୋଇଥିଲେ। ବୁଦ୍ଧ ଜୟନ୍ତୀ କମିଟିର ସଭାପତି ସତ୍ୟ ନାରାୟଣ ହୋତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡିକ ଆୟୋଜିତ ହୋଇଥିଲା।

Comments are closed.