ବୌଦ୍ଧ ଜିଲାରେ ହେବ ତିନି ପର୍ଯ୍ୟାୟରେ ନିର୍ବାଚନ

ବୌଦ୍ଧ: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ବିଗୁଲ ବାଜିଛି। ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ବୌଦ୍ଧଜିଲାରେ ତିନୋଟି ପର୍ଯ୍ୟାୟରେ ଫେବୃଆରୀ ୧୬, ୧୮ ଓ ୨୦ ତାରିଖରେ ୯ଟି ଜିଲାପରିଷଦ ଜୋନ , ୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,୯୫୫ଟି ୱାର୍ଡ ମେମ୍ବର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ୩୧୦୫୧୭ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଜିଲାରେ ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଣ୍ଟାମାଳ ବ୍ଲକର ୩ଟି ଜିଲାପରିଷଦ ଜୋନ ଓ ୨୪ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୩୩୦ଟି ୱାର୍ଡ ମେମ୍ବର ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ କଣ୍ଟାମାଳ ବ୍ଲକର ୧୦୭୯୭୩ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ହେବ।

ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକର ୩ଟି ଜିଲାପରିଷଦ ଜୋନ, ୨୩ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୩୨୫ଟି ୱାର୍ଡ ମେମ୍ବର ପଦବି ପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକର ୧୦୮୧୮୬ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ ଫେବୃଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ପାଇଁ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତ ସଭ୍ୟ ପାଇଁ ଏବଂ ୩୦୦ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ହରଭଙ୍ଗା ବ୍ଲକର ୯୪୩୫୮ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ମାର୍ଚ୍ଚ ୧୧ ତାରିଖରେ ନାଏବ ପରପଂଚ ପଦବି ପାଇଁ ନିର୍ବାଚନ ହେବାକୁ ଥିବାବେଳେ ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷ, ମାର୍ଚ୍ଚ ୧୩ରେ ଜିଲାପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ବ୍ଲକ ଉପାଧ୍ୟକ୍ଷ ପାଇଁ ମାର୍ଚ୍ଚ ୨୩ ଓ ଜିଲାପରିଷଦ ଉପାଧ୍ୟକ୍ଷ ପାଇଁ ମାର୍ଚ୍ଚ ୨୫ରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ।

କରୋନା ମହାମାରୀ ଯୋଗୁଁ ରାଜ୍ୟରେ ପଂଚାୟତ ନିର୍ବାଚନ ହେବ କି ନାହିଁ ଯେଉଁ ଦ୍ୱନ୍ଦ ରହିଥିଲା। ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତାହା ଦୂର ହୋଇଛି। ତେବେ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ୧୩ ତାରିଖରେ ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନୋଟିସ ଜାରି କରାଯିବାପରେ ଜାନୁୟାରୀ ୧୭ ରୁ ୨୧ ତାରିଖ ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୟନ ପତ୍ର ଦାଖଲ କରାଯିବ। ଜାନୁୟାରୀ ୨୨ ତାରିଖରେ ମନୋନୟନପତ୍ର ଯାଞ୍ଚ,୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ ବୋଲି ଜଣାପଡିଛି।

Comments are closed.