ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଜ୍ଞାନ କର୍ମଶାଳା

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସହଯୋଗରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଗଣପତି ସାବତ ଫାଉଣ୍ଡେସନ ମିଳିତ ଆନୂକୁଲ୍ୟରେ ଏକ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଓøଷଧୀୟ ଉଦ୍ୟାନ ନିର୍ମାଣ,ବୃକ୍ଷ ଚିହ୍ନଟ,ଜିଆଖତ ତିଆରି ସହିତ ବିଭିନ୍ନ ଲୋକ କଳା ମାଧ୍ୟମରେ ବିଜ୍ଞାନ କିପରି ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ସମ୍ପର୍କରେ ଆଲୋଚନା କରି କରାଯାଇଥିଲା। କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡର ଅଧିକାରୀ ଯୋଗଦାନ କରି ଜୈବ ବିଭିନ୍ନତାର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ପଦାର୍ଥ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ମୁଖ୍ୟବକ୍ତା ତଥା ମୁଖ୍ୟ ପୃଷ୍ଠପୋଷକ ଭାବରେ ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ସାବତ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ବିନୋଦ ଚନ୍ଦ୍ର ସାବତ ଯୋଗଦାନ କରି ବିଜ୍ଞାନର ବିଭିନ୍ନ ଉପାଦେୟତା ଉପରେ ବିସ୍ତୃତ ଆଲୋଚନା କରିବାସହ ପାଷ୍ଟିକ ପ୍ରଦୂଷଣ,କଠିନ ବର୍ଯ୍ୟବସ୍ତୁ ପରିଚାଳନା,ବାୟୁ ପ୍ରଦୂଷଣ ଇତ୍ୟାଦି ସାଂପ୍ରତିକ ସଙ୍କଟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଉଦ୍ଭିଦ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରବୀର କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଅବସରରେ ବିଭିନ୍ନ ଲୋକକଳା ମାଧ୍ୟମରେ ବିଜ୍ଞାନକୁ କିପରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଯାଇପାରିବ ସେ ବିଷୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଢେଇ ନୃତ୍ୟ ମାଧ୍ୟମରେ ବିଜ୍ଞାନର ସଚେତନତା ସୃଷ୍ଟି ପାଇଁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ବିଭିନ୍ନ କୌଶଳ ବୁଝାଇଥିଲେ। ପାଲା ମାଧ୍ୟମରେ ସାମ୍ପୋଚ ଗ୍ରାମର ପାଲାଗୁରୁ ଚିତ୍ତରଞ୍ଜନ କର୍ଣ୍ଣ ବିଜ୍ଞାନ ସଚେତନତା ସୃଷ୍ଟି କରିଥିଲେ। ଏହି କର୍ମଶାଳାରେ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ସରସରା ପ୍ରାଥମିକ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀଙ୍କ ସହ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶହେଜଣ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ଅନ୍ୟାନନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ। ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଅମ୍ରିତା କୁମାରୀ ମହାପାତ୍ର,ରସାୟନ ବିଭାଗର ରୋସନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିବା ସହ ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ବିଶ୍ୱର ବୃହତ୍ତମ ରାକ୍ଷୀ ତିଆରିକରି ଗଛରେ ବାନ୍ଧି ବିଶ୍ୱ ରେକର୍ଡ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଏବଂ ମେଡାଲ ପ୍ରଦାନ କରି ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Comments are closed.