ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପୋତି ହୋବାକୁ ଯାଉଛି ଅଇଁଳାପାଲି ରାଜବନ୍ଧ

ବୌଦ୍ଧ: ବୌଦ୍ଧଜିଲ୍ଲା ସଦର ବ୍ଲକ ଅଇଁଳାପାଲି ପଂଚାୟତର ଅଇଁଳାପାଲି ଗ୍ରାମ ଠାରେ ଥିବା ଐତିହାସିକ ରାଜବନ୍ଧ ଏବେ ତାର ଅସ୍ଥିତ୍ୱ ଦିନକୁ ଦିନ ହରାଇବାକୁ ବସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଧଟି ପୋତି ହେବାକୁ ଯାଉଛି। ଫଳରେ ଖରାଦିନେ ବନ୍ଧରେ ପର୍ଯ୍ୟପ୍ତ ପାଣି ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଯାହାକି ଏହି ସମୟରେ ଅଂଚଳବାସୀ ଜଳକଷ୍ଟର ସମ୍ମୁଖୀନ ହୋଇଥାନ୍ତି। ବୌଦ୍ଧ ଗଡଜାତ ରାଜାଙ୍କ ସମୟରେ ଏହି ଐତିହାସିକ ରାଜବନ୍ଧଟି ଖୋଳାଯାଇଥିବା ଜଣାଯାଏ। ରାଜଙ୍କ ଉଦ୍ୟମରେ ଏକ ନିଦ୍ଦିଷ୍ଟ ସଂପ୍ରଦାୟର ତିନି ଭାଇ ଜଣେ ଚନ୍ଦ୍ରପୁର ଠାରେ ରାଜମୁଣ୍ଡା ଓ ଅନ୍ୟ ଦୁଇଭାଇ ଅଇଁଲାପାଲି ଠାରେ ରାଜବନ୍ଧ ଓ ଆଉ ଜଣେ ବାଉଁଶୁଣୀ ନିକଟରେ ଡୁଙ୍ଗୁରିବନ୍ଧକୁ ଖୋଳାଇଥିଲେ। ଅଇଁଳାପାଲି ଗ୍ରାମ ଠାରେ ଥିବା ରାଜବନ୍ଧ ପ୍ରାୟ ୧୫ ଶହ ଏକର ଜାଗା ଉପରେ ଏହି ବନ୍ଧଟି ଖୋଲାଯାଇଥିବା କୁହାଯାଉଛି। ସେହି ସମୟରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଉଥିବା ବେଳେ ଏହି ରାଜବନ୍ଧ ଲୋକଙ୍କ ପାଇଁ ସାହା ହୋଇଥିଲା। ପ୍ରାୟ ଆଠରୁ ଦଶ ଖଣ୍ଡ ଗ୍ରାମର ଲୋକେ ପାନୀୟ ଜଳ ସହିତ ଗାଧୋଇବା ଓ ଜଳ ସେଚନ ପାଇଁ ଏହି ପାଣିକୁ ବ୍ୟବହାର କରୁଥିଲେ।

ସେହି ସମୟରେ ଅଇଁଳାପାଲି,କଣ୍ଠା, ହରଡାପାଲି,ଖଜାପଦର,ସାହୁପଡା,ଜରିମାଲ,ଝାରକଟା ଆଦି ଗ୍ରାମର ଜନସାଧାରଣ ଏହି ରାଜବନ୍ଧ ଉପରେ ନିର୍ଭର କରି ଏହାର ଜଳକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଥିଲେ। ସେହିପରି ଏବେ ଖରିଫ ଚାଷ ସମୟରେ ଅଇଁଳାପାଲି,କଣ୍ଠା, ହରଡାପାଲି, ଖଜାପଦର, ସାହୁପଡା, ଜରିମାଲ, ଝାରକଟା, ଗଜରାଜପୁର, ଦନ୍ତାପାଲି,ବୁରମାଲ, ଟାଟରକିଳୀ, ହିଲୁଙ୍ଗ, ପୁରୁଣାବହିରା, ତେନ୍ତୁଳିପାଲି, ପୁଡଖାଲ ଆଦି ଗ୍ରାମର ଚାଷୀମାନେ ଏହି ରାଜବନ୍ଧର ପାଣିକୁ ଜଳସେଚନ ପାଇଁ ବ୍ୟବହାର କରୁଛନ୍ତି ଓ ସେମାନଙ୍କର ପାଣି ସମସ୍ୟାକୁ ଦୂର କରୁଛନ୍ତି। ହେଲେ ବର୍ତ୍ତମାନ ଏହି ରାଜବନ୍ଧର ଉପଯୁକ୍ତ ରକ୍ଷଣା ବେକ୍ଷଣର ଅଭାବ ଦେଖାଦେଇଛି। ଯାହାଫଳରେ ବନ୍ଧଟି ପୋତି ହେବାକୁ ବସିଲାଣି। ଏହାର ଯଦି ଏବେଠୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରାନଯାଏ ତାହାହେଲେ ଏହି ରାଜବନ୍ଧଟି ଦିନେ ପୋତି ହୋଇଯିବ। ତେଣୁ ପ୍ରଶାସନ ଏହି ବନ୍ଧର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବା ସହିତ ବନ୍ଧକୁ ଖୋଳାଗଲେ ଖରା ଦିନ ମଧ୍ୟ ପାଣିର ସମସ୍ୟା ଦୂର ହେବ। ଏବଂ ବନ୍ଧ ମଧ୍ୟରେ ରହିଥିବା ଦଳ ଓ ପଙ୍କକୁ ତୁରନ୍ତ ସଫା କରାଯିବାର ଆବଶ୍ୟକତା ରହିଛି ବୋଲି ଅଂଚଳବାସୀ ଦାବି କରୁଛନ୍ତି।

Comments are closed.