ବାଉଁଶୁଣୀବାସୀଙ୍କ ଜଳକଷ୍ଟ, ପ୍ରକଳ୍ପ ଚାଲୁଛି ହେଲେ ମେଣ୍ଟୁନି ଶୋଷ

ବୌଦ୍ଧ: ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହି ଏଥିପାଇଁ କୋଟି କୋଟି ଟଙ୍କା ପଞ୍ଚାୟଗୁଡିକୁ ଯୋଗାଇଦେଉଛନ୍ତି। ପାନୀୟଜଳ ପ୍ରକଳ୍ପ ଗୁଡିକର ନିର୍ମାଣ ପରେ ଏହାର ପରିଚାଳନା ଦାୟିତ୍ୱ ସ୍ଥାନୀୟ ପଞ୍ଚାୟତ ଦ୍ୱାରା କରାଯିବାକୁ ଅନୁଦାନ ଯୋଗାଇଦେବା ସହ ତାଲିମପ୍ରାପ୍ତ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ହେଲେ ପଞ୍ଚାୟତସ୍ତରରେ ରାଜନୈତିକ ପକ୍ଷପାତିତା ଓ ପରିଚାଳନାରେ ଅପାରଗତା କାରଣରୁ ଅନେକ ପଞ୍ଚାୟତ ଲୋକଙ୍କୁ ପାନୀୟଜଳ ଯୋଗାଇଦେବାରେ ବିଫଳ ହୋଇଛନ୍ତି। ଯାହାର ଏକ ସ୍ପଷ୍ଟ ନମୁନା ବୌଦ୍ଧ ବ୍ଳକ ଅନ୍ତର୍ଗତ ବାଉଁଶୁଣୀ ପଞ୍ଚାୟତରେ ଦେଖିବାକୁ ମିଳିଥାଏ। ବାଉଁଶୁଣୀ ବୌଦ୍ଧବ୍ଲକର ସବୁଠାରୁ ଜନବହୁଳ ଅଞ୍ଚଳ ଅଟେ। ଶିକ୍ଷା,ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ ପାଇଁ ଦୈନିକ ହଜାର ହଜାର ଲୋକ ବାଉଁଶୁଣୀ ଉପରେ ନିର୍ଭର କରିିଥାନ୍ତି। ତେଣୁ ଆଖପାଖ ଅଞ୍ଚଳର ଲୋକ ବାଉଁଶୁଣୀରେ ଘର ଖଣ୍ଡିଏ କରି ସ୍ଥାୟୀବାସିନ୍ଦା ହେବାକୁ ଇଛାପ୍ରକାଶ କରିଥାନ୍ତି। ଏଭଳି ସ୍ଥତିରେ ଦିନକୁଦିନ ଏଠାରେ ଜନବସତି ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଠାରେ ପାନୀୟଜଳ ସମସ୍ୟା ଦିନକୁଦିନ ଉତ୍କଟ ହେବାରେ ଲାଗିଛି।

ଏଠାକାର ଅଧିକାଂଶ କୂଅ ଓ ନଳକୂଅର ପାଣି କ୍ଷାରୀୟ ହୋଇଥିବାରୁ ଏହାକୁ ପାନୀୟଜଳ ରୂପରେ ବ୍ୟବହାର ହୋଇପାରୁନାହିଁ। ଫଳରେ ବାଉଁଶୁଣୀବାସୀ ମାଉଳିମୁଣ୍ଡା ପାନୀୟଜଳ ପ୍ରକଳ୍ପ ଉପରେ ସଂପୁର୍ଣ୍ଣ ନିର୍ଭରଶୀଳ ଅଟନ୍ତି। କିନ୍ତୁ ପରିତାପର ବିଷୟ ଏହି ପ୍ରକଳ୍ପରୁ ପାଣି ଯୋଗାଣ ହେଉଥିଲେ ମଧ୍ୟ ତାହା ସବୁ ଅଞ୍ଚଳକୁ ପହଞ୍ଚି ପାରୁନାହିଁ। ପ୍ରକଳ୍ପରେ ବ୍ୟବହୃତ ହେଉଥିବା ଦୁଇଗୋଟି ମୋଟରରୁ ଗୋଟିଏ ଅଚଳ ହୋଇଯାଇଥିବା ଯୋଗୁଁ ସବୁ ଅଞ୍ଚଳକୁ ଅଳ୍ପ ସମୟ ପାଇଁ ପର୍ଯ୍ୟାୟକ୍ରମେ ଜଳଯୋଗାଣ କରାଯାଉଅଛି। କିନ୍ତୁ ଏହି ଜଳ ଶେଷ ମୁଣ୍ଡ ପହଞ୍ଚି ପାରୁନଥିବା ଯୋଗୁଁ ଡାକ୍ତରଖାନାଛକ,ବିଦ୍ୟାଳୟ ଛକ,ଗୁନ୍ଦୁଳିଆ ରୋଡ,ବୈଜୟନ୍ତୀ ବଜାର ଆଦି ଅଞ୍ଚଳରେ ସର୍ବସାଧାରଣଙ୍କ ପାଇଁ ବସାଯାଇଥିବା ପାଣିଟେପ ରେ ୧୦ ମାସ ହେଲା ପାଣି ଆସୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗ୍ରୀଷ୍ମରୂତୁରେ ଏସବୁ ଅଞ୍ଚଳରେ ରହୁଥିବା ପ୍ରାୟ ୬୦ରୁ ଊର୍ଦ୍ଧ୍ବ ପରିବାର ପାନୀୟଜଳ ପାଇଁ ବଡ ହନ୍ତସନ୍ତ ହେଉଥିବା ଜଣାଯାଇଛି। ଏନେଇ ଗ୍ରାମପଞ୍ଚାୟତ,ବ୍ଲକ ପ୍ରଶାସନ ଏପରିକି ଦିଆଯାଇଥିବା ଟୋଲ ଫ୍ରି ନମ୍ବରରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ କିଛି ମିଳିପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କୁ ପାଣି ଯୋଗାଇଦେବା ପଞ୍ଚାୟତର ଦାୟିତ୍ୱ ଏଥିପାଇଁ ଆବଶ୍ୟକୀୟ ଅନୁଦାନ ସରକାର ସିଧାସଳଖ ପଞ୍ଚାୟତକୁ ଯୋଗାଇଦିଆଯାଉଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଥିବାବେଳେ ଏଠାରେ ଲୋକଙ୍କ ଜଳକଷ୍ଟ ନେଇ ପଞ୍ଚାୟତ କର୍ତ୍ତୃପକ୍ଷ କିନ୍ତୁ ନିରବଦ୍ରଷ୍ଟା। ଏପଟେ ପ୍ରକଳ୍ପର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ନପାରିବା ଯୋଗୁଁ ପମ୍ପ ଚାଳକଙ୍କୁ ଦାୟି କରୁଥିବାବେଳେ ଭୋଟବ୍ୟାଙ୍କ ରାଜନିତୀ ଓ ବ୍ୟାପକ ଅର୍ଥ କାରବାର ଯୋଗୁଁ ପ୍ରକଳ୍ପର କ୍ଷମତା ଠାରୁ ଅଧିକ ଲୋକଙ୍କୁ ପାଣି ସଂଯୋଗ ଦିଆଯାଇଥିବାରୁ ଜାଣିଶୁଣି ସର୍ବସାଧାରଣ ଟେପ ଗୁଡିକୁ ଅଚଳ କରିଦିଆଯାଇଥିବା ମଧ୍ୟ ଅଭିଯୋଗ ହେଉଅଛି। ତେବେ ବାଉଁଶୁଣୀବାସୀଙ୍କ ଜଳକଷ୍ଟ ବଢିବା ସହିତ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ କରାନଗଲେ ଏହି ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେବାର ଆଶଙ୍କା ରହିଛି।

Comments are closed.