ଜିଲାସ୍ତରୀୟ ଧାନକ୍ରୟ ବୈଠକ, ଖୋଲିବ ମଣ୍ଡି

ବୌଦ୍ଧ: ବୌଦ୍ଧ ଜିଲାସ୍ତରୀୟ ଧାନକ୍ରୟ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୭ ତାରିଖରୁ କଣ୍ଟାମାଳ ବ୍ଲକରେ ଏବଂ ଡିସେମ୍ବର ୨୧ ତାରିଖରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଧାନମଣ୍ଡି ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୧୩,୬୩,୨୩୫.୩୦ କୁଇଣ୍ଟାଲ ଧାନକ୍ରୟ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବା ବେଳେ କୌଣସି ଚାଷୀ କିମ୍ବା ମିଲର ଯେପରି କ୍ଷତିଗ୍ରସ୍ତ ନହେବେ ତେଣୁ ମଣ୍ଡି ଗୁଡିକରେ ଏଫଏକ୍ୟୁ ମାନର ଧାନ କିଣାକୁ କଡାକଡି ଭାବରେ ଲାଗୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ପ୍ରତିବର୍ଷ ମିଲରମାନେ ଚାଷୀମାନଙ୍କ ଧାନକୁ ନିମ୍ନ ମାନର କହି କଟନି ଛଟନୀ କରୁଥିବା ଅଭିଯୋଗ ହୋଇଆସୁଥିବାବେଳେ ଚଳିତବର୍ଷ ଏହା ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀମିଶ୍ର ପରାମର୍ଶ ଦେଇଛନ୍ତି। ତେଣୁ ଚାଷୀମାନେ ଏଫଏକ୍ୟୁ ମାନ ଅନୁଯାୟୀ ଧାନ ପ୍ରଦାନ କରିବେ ଓ ସେହି ଅନୁଯାୟୀ ନିର୍ଦ୍ଧାରିତ ମୂଲ୍ୟ ପାଇବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ସେଥିପାଇଁ ଏଫଏକ୍ୟୁ ମାନ ନିର୍ଣ୍ଣୟ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ ବ୍ୟବସ୍ଥା ଓ ଯନ୍ତ୍ରପାତି ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ସାଂସଦ ପ୍ରତିନିଧି ତାରେଣି କୁମାର ମହାପାତ୍ର କୋଭିଡ ସମୟରେ ଚାଷୀମାନେ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଆଖିରୁ ଏଯାଏ ଲୁହ ଶୁଖିନଥିବାବେଳେ ଜିଲାରେ ଯେପରି କଟନି ଛଟନି ନାମରେ ଶୋଷଣ କରାନଯାଇ ସମସ୍ତ ଚାଷୀଙ୍କ ଠାରୁ ଧାନ ଠିକରେ କିଣାଯାଇ ପାରିବ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷ ଜିଲାରେ ୩୮୬୬୫ ଜଣ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଂଜିକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୧୮୨ ଜଣ ଚାଷୀଙ୍କ କାଗଜପତ୍ର ଯାଞ୍ଚ କରାଯିବା ପରେ ଧାନ ବିକ୍ରୟ ପାଇଁ ଟୋକେନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଚଳିତ ବର୍ଷ ପ୍ରତିକୁଳ ପାଣିପାଗ ଯୋଗୁଁ ଜିଲାରେ ଧାନ ସଂଗ୍ରହ କମ ହେବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି। ଜିଲାର ୧୧ ଜଣ ମିଲରଙ୍କ ମଧ୍ୟରୁ ୯ ଜଣ ମିଲର ଟାର୍ଗେଟ ପୂରଣ କରି ଧାନ କ୍ରୟ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି। ତେବେ ଜିଲାରେ ମିଲରମାନଙ୍କ ଧାନ ସଂଗ୍ରହ କ୍ଷମତା ବୃଦ୍ଧି ଘଟିଥିବା ବେଳେ ବାହାର ମିଲରମାନଙ୍କୁ ଧାନ କିଣାରେ ସୁଯୋଗ ନଦେବାକୁ ମିଲର ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ମିଲରମାନେ ଠିକ୍‍ ସମୟରେ ଧାନମଣ୍ଡିରେ ଗାଡି ପହଞ୍ଚାଇବା ନେଇ ବୈଠକରେ ପ୍ରତିଶୃତି ଦେଇଥିଲେ। ମିଲରମାନଙ୍କ ପକ୍ଷରୁ ଧାନମଣ୍ଡିରେ ଲୋଡିଂ ଖର୍ଚ୍ଚ ଓ ବସ୍ତା ବଦଳ ନେଇ ରହିଥିବା ସମସ୍ୟା ସଂପର୍କରେ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିପାଇଁ ନିର୍ଦ୍ଦିଷ୍ଟ ସରକାରୀ ଗାଇଡଲାଇନ ଥିବାରୁ ବୁଝାମଣା ଭିତିରେ ଚଳିତ ବର୍ଷ ମଣ୍ଡି ପରିଚାଳନା ଦାୟିତ୍ୱ ସମବାୟ ସମିତି ସଂପାଦକମାନେ ତୁଲାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଯଦି ପରେ କିଛି ସମସ୍ୟା ହୁଏ ଜରୂରୀ ନିଷ୍ପତି ଗ୍ରହଣ କରାଯାଇ ମିଲର ସଂଘ ସହଯୋଗ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷ ୪୧ ଗୋଟି ସୋସାଇଟି ସମେତ ୫୪ଗୋଟି ମଣ୍ଡି ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ସମବାୟ ସମିତି ଗୁଡିକରେ ଚାଷୀମାନଙ୍କଠାରୁ ସଂଗୃହୀତ ଧାନ ଗଛିତ ରଖିବା ପାଇଁ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା, ତାରପୋଲିନ, ପାନୀୟ ଜଳ ଆଦି ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛିି। ଧାନ କିଣାକୁ ଜିଲାରେ ସୁବ୍ୟବସ୍ଥିତ ଭାବରେ କରିବା ସହିତ ଚାଷୀମାନଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ବୈଠକରେ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବିଧାୟକ ପ୍ରତିନିଧି ଶିତାଂଶୁ ମହାକୁଳ, ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ, ମିଲ ମାଲିକ ସଂଘ ସଭାପତି ଅଶୋକ କୁମାର ଅଗ୍ରୱାଲାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଚାଷୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Comments are closed.