ବହୁ ଚର୍ଚ୍ଚିତ ପିତୃ ହତ୍ୟା ମାମଲା: ଅଭିଯୁକ୍ତ ପୁତ୍ର ନିର୍ଦ୍ଦୋଷର ଖଲାସ

ବୌଦ୍ଧ: ବୌଦ୍ଧ ଜିଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା ମଙ୍ଗଳବାର ଦିନ ଏକ ପିତୃ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ପୁତ୍ରକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ ବୌଦ୍ଧ ସହରର ନିକଟସ୍ଥ ସରଣ୍ଡା ଗ୍ରାମର ସଦାଶିବ ପାତ୍ର ମଦ୍ୟପାନ କରି ତାଙ୍କ ସ୍ତ୍ରୀ ଯଶୋବନ୍ତୀ ପାତ୍ରକୁ ସବୁବେଳେ ଗାଳି ଗୁଲଜ କରିବା ସହ ପିଟାମରା କରିବା ସହ ପୁଅମାନଙ୍କୁ ମଧ୍ୟ ଗାଳି ଗୁଲଜ କରିଆସୁଥିଲା। ଗତ ୬.୬.୨୦୧୯ ମସିହାରେ ସଦାଶିବ ରାତି ୯ଟା ସମୟରେ ସ୍ତ୍ରୀ ଯଶୋବନ୍ତୀକୁ ପିଟାମରା କରିବା ସହ ଏକ ଲୂହା ରଡରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର ବଡପୁଅ ଆଶିଷ ପାତ୍ର ମା’କୁ ମାରୁଥିବା ଦେଖି ବାପା ହାତରୁ ଲୁହା ରଡଟିକୁ ଛଡାଇ ବାପାଙ୍କ ପେଟରେ ଭୁସି ଦେବାସହ ଏକ ଛୁରୀ ଦ୍ୱାରା ବେକକୁ କାଟି ଦେଇଥିଲା।

ଘଟଣାରେ ସଦାଶିବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଏନେଇ ବୌଦ୍ଧ ଥାନାରେ ମାଆ ଯଶୋବନ୍ତୀ ତାଙ୍କ ପତିକୁ ପୁଅ ମାରିଥିବା ନେଇ ଅଭିଯୋଗ କରିଥିଲେ। ମାଆର ଅଭିଯୋଗ ଆଧାରରେ ପୁଅ ଆଶିଷ ନାମରେ ବୌଦ୍ଧ ଥାନାରେ କେସ ନଂ ୧୩୦/୧୯ରେ ଏକ ହତ୍ୟା ମାମଲା ରୁଜ ହୋଇଥିଲା। ମାମଲାରେ ପୋଲିସ ଆଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତି ସମୟରେ ମାମଲାଟି ଜିଲା ଦୌରାଜଜଙ୍କ ଅଦାଳତରେ ଏସଟି କେସ ନଂ ୪୪/୧୯ ହୋଇ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଆଶିଷକୁ ମଙ୍ଗଳବାର ଦିନ ଜିଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାଟିକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜିବୀ ରାଜୀବ କୁମାର ଦଲାଲ ପରିଚାଳନା କରୁଥିଲେ।

Comments are closed.