ବରିଷ୍ଠ ଶିକ୍ଷକଙ୍କୁ ଉପେକ୍ଷା ମାମଲା, ୩ ଦିନ ମଧ୍ୟରେ ବରିଷ୍ଠତା ଭିତ୍ତିରେ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ

ବୌଦ୍ଧ: ବୌଦ୍ଧଜିଲା ଶିକ୍ଷା ବିଭାଗରେ ଅଧିକାରୀମାନଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ବର୍ତ୍ତମାନ ବିଭାଗୀୟ କର୍ମଚାରୀମାନଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି। କିଛିଦିନ ତଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ କ୍ଷମତା ଦେଖାଇବାକୁ ଯାଇ ଉଦ୍ଦେଶ୍ୟମୂଳକ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଟୁପାଲିର କିଛି ବରିଷ୍ଠ ଶିକ୍ଷକଙ୍କୁ ଉପେକ୍ଷା କରି ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଚିଠି ନମ୍ବର ୩୭୬୬/୧୮ ବିଦ୍ୟାଳୟ ନିୟମ ୩ ଉପଧାରା ୧.୮ ରେ ବରିଷ୍ଠତା ଭିତ୍ତିରେ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିବା ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିବା ସତ୍ୱେ ଏହାକୁ ଉଲଂଘନ କରି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେବାପରେ ଏହାକୁ ନେଇ ଶିକ୍ଷକମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏ ସଂପର୍କରେ ସଂପୃକ୍ତ ବିଦ୍ୟାଳୟରେ ପୂର୍ବରୁ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇ ସାରିଥିବା ବରିଷ୍ଠ ଶିକ୍ଷକ ଶ୍ରୀନିବାସ ମିଶ୍ର ଲିଖିତ ଭାବରେ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ କେଉଁ କାରଣରୁ ତାଙ୍କଠାରୁ ଜଣେ କନିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଏ ସଂପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବାପରେ ବର୍ତ୍ତମାନ ଜିଲା ଶିକ୍ଷା ଅଧିକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିଜର କ୍ଷମତା ଦେଖାଇଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୧୯୪୪/ ତା ୧୯.୦୫.୨୦୨୧ ଅନୁଯାୟୀ, ଗଣଶିକ୍ଷା ବିଭାଗ ଚିଠି ନମ୍ବର ୩୭୬୯/ ତା ୨୦.୦୨.୨୦୧୮ ଅନୁଯାୟୀ ସଂପୃକ୍ତ ବିଦ୍ୟାଳୟର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବରେ ତିନିଦିନ ମଧ୍ୟରେ ଦାୟିତ୍ୱ ପ୍ରଦାନ ପାଇଁ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିବା ଜଣାଯାଇଛି। ବୌଦ୍ଧ ଜିଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଏହି କ୍ଷମତା ଯୁଦ୍ଧ ଏବେ ଜିଲା ଶିକ୍ଷା ବିଭାଗରେ ଚର୍ଚ୍ଚାରେ ରହିଛି।

Comments are closed.