୧୧ରୁ ରାଜ୍ୟସ୍ତରୀୟ ସିନିୟର ମହିଳା ଭଲିବଲ ପ୍ରତିଯୋଗିତା

ବୌଦ୍ଧ: ରାଜ୍ୟ ଭଲିବଲ ସଂଘ ଆନୁକୂଲ୍ୟରେ ଜିଲା କ୍ରିଡା ସଂସଦର ସହଯୋଗ କ୍ରମେ ବୌଦ୍ଧ ଷ୍ଟାଡିୟମଠାରେ ନଭେମ୍ବର ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ସିନିୟର ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲା କ୍ରିଡା ସଂସଦର ସଭାପତି ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଜିଲାରେ ଏହି ସମ୍ମାନ ଜନକ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଥିବାରୁ ଜିଲାର ମହିଳା ଖେଳାଳୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ। ସଫଳତାର ସହିତ ଏହି କ୍ରିଡା ପ୍ରତିଯୋଗିତା ଆୟୋଜନ ପାଇଁ ଜିଲା କ୍ରିଡା ସଂସଦକୁ ସମସ୍ତ ବିଭାଗୀୟ ଅଧିକାରୀ ସହଯୋଗ କରିବା ସହିତ ଜିଲାର ଖେଳାଳୀ ଓ ଜନସାଧାରଣ ଖେଳ ଉପଭୋଗ କରିବା ସଙ୍ଗେ ସଙ୍ଗେ ଆୟୋଜକ ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ଶ୍ରୀ ଅମାତ ନିବେଦନ କରିଥିଲେ।

କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ସର୍ବଭାରତୀୟ ଭଲିବଲ ଫେଡେରେସନର ସଭାପତି ଭାବରେ ନିର୍ବାଚିତ ହେବାପରେ ନିଜର ସଂସଦୀୟ କ୍ଷେତ୍ର କନ୍ଧମାଳ ଓ ବୌଦ୍ଧଠାରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ଏହି ପ୍ରତିଯୋଗିତା ହେବାକୁ ସ୍ଥିର କରାଯାଇଥିବା ବେଳେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବର୍ତମାନ ସ୍ୱାଭାବିକ ପରିସ୍ଥିତି ଫେରୁଥିବାରୁ ପୁଣିଥରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ସିନିୟର ପୁରୁଷ ବର୍ଗ କନ୍ଧମାଳଠାରେ ହେବାକୁ ଥିବା ବେଳେ ସିନିୟର ମହିଳା ବର୍ଗ ବୌଦ୍ଧଠାରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲାର ଖେଳାଳୀ ଏଥିରେ ଅଂଶଗ୍ରହଣ କରୁଥିବା ବେଳେ ବୌଦ୍ଧରେ ୩୧ ଟି ମ୍ୟାଚ ହେବ ବୋଲି ଜିଲା କ୍ରିଡା ସଂସଦର ସମ୍ପାଦକ ରବିନ୍ଦ୍ର କୁମାର ରାଉତ ସୂଚନା ଦେଇଛନ୍ତି। ପ୍ରତିଯୋଗିତା ଆୟୋଜନର ପ୍ରସ୍ତୁତି ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ପାଇଁ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ବୈଠକରେ ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ଏହି ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ ଜିଲା ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବାହାରୁ ଆସୁଥିବା ଆୟୋଜକ ଓ ମହିଳା ଖେଳାଳୀମାନଙ୍କର ରହିବା, ଖାଇବା, ପାନୀୟ ଜଳ ବ୍ୟବସ୍ଥା, ପଡିଆ ପ୍ରସ୍ତୁତି, ଦର୍ଶକ ଗ୍ୟାଲେରୀ ଆଦି ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୌଦ୍ଧ ପୁର୍ତ୍ତ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜନସ୍ୱାସ୍ଥ୍ୟ ବିଭାଗ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ ପାଇଁ ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଜିଲାପାଳ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଥିଲେ। ବଛା ବଛା କିଛି କ୍ରିଡା ପ୍ରଶିକ୍ଷକଙ୍କୁ ପଡିଆ ପ୍ରସ୍ତୁତି କାର୍ଯ୍ୟରେ ସହାୟତା କରିବାକୁ ଯୋଗାଇଦେବାକୁ ଜିଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ନଭେମ୍ବର ୯ ତାରିଖ ସୁଦ୍ଧା ଷ୍ଟାଡିୟମ ମଧ୍ୟରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପନ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଅତିରିକ୍ତ ଏସପି, ଅଧ୍ୟକ୍ଷ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପ୍ରକାଶ ଚନ୍ଦ୍ର ବେହେରା, ଜିଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ, କ୍ରିଡା ସଂସଦର ଉପସଭାପତି ଧୂରୀଣ କୁମାର ଦେହୁରୀ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା, ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ କୁମାର ନାଏକ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳର ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.