ସହାୟତାର ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’

ବୌଦ୍ଧ: ଦେଶରେ ପ୍ରତିଦିନ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। କରୋନା ଦ୍ୱାରା ଆକ୍ରାନ୍ତ ହୋଇ ହଜାର ହଜାର ଲୋକେ ନିଜ ଘରେ ଏକା ଏକା ହେଉ ଅବା ପରିବାର ସହ ଘର ଭିତରେ ଗୃହ ସଙ୍ଗରୋଧରେ ରହୁଛନ୍ତି। ଏହିପରି ସମୟରେ ପାଖପଡିଶା ଏପରିକି ଜ୍ଞାତିକୁଟୁମ୍ବ ମଧ୍ୟ ପାଖ ମାଡୁନାହାନ୍ତି। ଘରୁ ବାହାରକୁ ବାହାରିବା ନେଇ ରହିଥିବା କଟକଣା ଫଳରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ଓ ପରିବାର। ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ଓ ପରିବାର ସଦସ୍ୟଙ୍କ ପାଇଁ ଦୁଇ ବେଳି ଖାଦ୍ୟ ମିଳିବା କଷ୍ଟ ହୋଇପଡୁଛି। ଘର ଭିତରେ ଅତ୍ୟନ୍ତ ଦୟନିୟସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି। କରୋନା ଦ୍ୱାରା ଆକ୍ରାନ୍ତ ବୋଲି କୌଣସି ବ୍ୟକ୍ତି ପାଖ ମାଡୁନାହାନ୍ତି , ଏପରିକି ହୋମ ଡେଲିଭରି ବାଲା ମଧ୍ୟ ମନା କରିଦେଉଛନ୍ତି। ଏପରି ଏକ ଅଛୁଆଁ ଭାବ ବେଳେ କରୋନା ପିଡିତଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’।

ଅମୂଲ୍ୟ ଆହାର ଯୋଜନା ମାଧ୍ୟମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ରନ୍ଧାଖାଦ୍ୟ ଯୋଗାଇ ଦେଉଛି। ବୌଦ୍ଧର ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ କରୋନା ମହମାରୀ ଦ୍ୱାରା ପିଡିତ ହୋଇ ଗୃହ ସଙ୍ଗରୋଧରେ ରହିଥିବା ଅସହାୟ ରୋଗୀଙ୍କ ପାଇଁ ଅମୂଲ୍ୟ ଆହାର ଯୋଜନା ଆରମ୍ଭ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପିଡିତ ରୋଗୀମାନଙ୍କ ପାଇଁ ଦୁଇଓଳି ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯିବା ସହିତ ଏଥିପାଇଁ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି।

୯୯୩୭୨୦୬୮୪୧/୯୧୭୮୪୫୪୭୦୪/୯୯୩୭୦୬୦୧୯୬ ଆଦି ନମ୍ବର ଅନୁଷ୍ଠାନ ପକ୍ଷରୁ ଜାରି କରାଯିବା ସହିତ ଖାଦ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷ ଚାରିଘଣ୍ଟା ପୂର୍ବରୁ ନମ୍ବରରେ ଯୋଗାଯୋଗ କଲେ ସେମାନଙ୍କ ନିକଟକୁ ଅନୁଷ୍ଠାନର ସ୍ୱେଛାସେବୀମାନଙ୍କ ଦ୍ୱାରା ମାଗଣାରେ ଖାଦ୍ୟ ପହଂଚାଇ ଦିଆଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ଆବାହକ ସଂପଦ କୁମାର ଅଗ୍ରୱାଲା ସୂଚନା ଦେଇଛନ୍ତି। ବିଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ଯୋଜନାରେ ଅନୁଷ୍ଠାନର ସ୍ୱେଛାସେବୀମାନେ ବିଭିନ୍ନ ସ୍ଥାନରେ ଖାଦ୍ୟ ପ୍ରସ୍ତୁତ ଓ ପ୍ୟାକିଙ୍ଗ କରି ପାନୀୟ ଜଳ ସହିତ ପିଡିତ ରୋଗୀମାନଙ୍କ ଘରକୁ ଦୁଇଓଳି ପହଁଚାଇ ଦେଉଥିବା କହିଛନ୍ତି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଗତବର୍ଷ କରୋନା ସମୟରେ ଗ୍ରାମାଚଂଳରେ ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ବଂଟନ, ଅସହାୟ ଓ ନିରାଶ୍ରୟଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ବଂଟନ , କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ କରୋନା ଯୋଦ୍ଧା ପଦକ ଓ ପୁଷ୍ପ ଦେଇ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ଗରିବ, ଅସହାୟ ଓ ନିରାଶ୍ରୟଙ୍କୁ ମାନଙ୍କୁ ଶୀତବସ୍ତ୍ର, ନୂତନ ବସ୍ତ୍ର ବଂଟନ ସହିତ ବିଭିନ୍ନ ସେବାକାର୍ଯ୍ୟ କରାଯାଇଥାଏ।

Comments are closed.