ନକଲି ସାର୍ଟିଫିକେଟ, ଧରାପଡି ବହିଷ୍କୃତ ହେଲେ ତୃତୀୟଲିଙ୍ଗୀ ନକଲି ଶିକ୍ଷକ

ବୌଦ୍ଧ: ଗତବର୍ଷ ଜାଲ୍‍ ଓଟିଇଟି ସାର୍ଟିଫିକେଟ ଦାଖଲ କରି ୪୦ ଜଣ ଗଣଶିକ୍ଷକ ନିଜ ନିଜ ଚାକିରୀରୁ ବହିଷ୍କୃତ ହେବା ପରେ ଏବେ ପୁଣି ଜାଲ୍‍ ଓଟିଇଟି ସାର୍ଟିର୍ଫିକେଟ ଦାଖଲ କରିଥିବା କାରଣରୁ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜଣେ କନିଷ୍ଠ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରିଥିବା ଜଣାଯାଇଛି। ପ୍ରକାଶ ଥାଉ କି, ଏସ. ତୃପ୍ତିମୟୀ ପ୍ରଧାନ ନାମ୍ନୀ ଜଣେ ତୃତୀୟ ଲିଙ୍ଗୀ ୨୦୧୨ ମସିହାରେ ବୌଦ୍ଧ ବ୍ଲକର ଗୁନ୍ଦୁଳିଆ ପଂଚାୟତ ଅଧିନସ୍ଥ ଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ। ଅଥଚ ସରକାରଙ୍କ ନିୟମ ଅନୁସାରେ ୨୦୧୨ ମସିହାରେ ନିୟୋଜିତ ହୋଇଥିବା ଶିକ୍ଷା ସହାୟକମାନଙ୍କ ଚାକିରୀ ନିୟମିତ ପାଇଁ ଅନ୍ୟୁନ ୬ ବର୍ଷ ସଫଳତାର ସହ କାର୍ଯ୍ୟ ସମ୍ପାଦନ ସହ ଓଟିଇଟି ଯୋଗ୍ୟତା ବାଧ୍ୟତାମୂଳକ ହୋଇଥିବା ବେଳେ, ଏସ୍‍.ତୃପ୍ତିମୟୀ ୬ ବର୍ଷ କାର୍ଯ୍ୟ କରିଥିଲେ ସୁଦ୍ଧା ବର୍ତମାନ ଓଟିଇଟି ପରୀକ୍ଷାରେ ପାସ୍‍ କରିଛନ୍ତି ବୋଲି ସାର୍ଟିଫିକେଟ ପ୍ରଦାନ କରିଥିଲେ।

ନିୟମ ଅନୁସାରେ ଜିଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଉକ୍ତ ସାର୍ଟିଫିକେଟଟିକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ, କଟକକୁ ତନଖି ପାଇଁ ପଠେଇଥିଲେ। ମାତ୍ର ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ, କଟକ ଉପଯୁକ୍ତ ଭାବେ ତନଖି କରି ଉକ୍ତ ସାର୍ଟିଫିକେଟି ନକଲି ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ତଦନୁସାରେ ବୌଦ୍ଧ ଜିଲାପାଳ, ବୌଦ୍ଧ ଏସ. ତୃପ୍ତିମୟୀଙ୍କୁ ଏ ବିଷୟରେ ଏକମାସ ସମୟ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅଥଚ, ଏ ପ୍ରସଙ୍ଗରେ ଏସ. ତୃପ୍ତିମୟୀ ପ୍ରଧାନ ନିଜର ସାର୍ଟିଫିକେଟକୁ ଅସଲି ବୋଲି ପ୍ରମାଣ କରିପାରିଲେ ନାହିଁ। ପରୋକ୍ଷରେ ତାଙ୍କୁ ଏହି ସାର୍ଟିଫିକେଟଟି ସହଦେବ ଭିବର ନାମକ ଜଣେ ଶିକ୍ଷକ ଯୋଗାଇ ଦେଇଥିବା ନିଜର ସ୍ୱୀକାରୋକ୍ତିରେ ଦର୍ଶାଇଛନ୍ତି। ଏହି ଘଟଣାରେ ନକଲି ସାର୍ଟିଫିକେଟ୍‍ ଦେଇଥିବା ଶିକ୍ଷକଙ୍କୁ ଚାକରୀରୁ ବହିଷ୍କାର କରାଯିବା ସହିତ ଉକ୍ତ ଦୁଇଜଣଙ୍କ ନାମରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାଯାଇଛି।

ବୌଦ୍ଧ ଥାନା କେସ ନମ୍ବର ୨୭୨/୨୧ରେ ୪୬୫, ୪୬୮, ୪୭୧, ୪୨୦, ୩୪ ଦଫାରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ବହୁଦିନ ଧରି ନକଲି ସାର୍ଟିଫିକେଟର ଏକ ବଡ ର‍୍ୟାକେଟ୍‍ କାମ କରୁଥିବାର ଅନୁମାନ କରାଯାଉଥିଲା। ଅଥଚ ଏହି ରାକେଟ୍‍ର ଚେର ଜିଲା ତଥା ଜିଲା ବାହାରେ କନ୍ଧମାଳ ପର୍ଯ୍ୟନ୍ତ ପରିବ୍ୟାପ୍ତ, ଏହା ଏଥିରୁ ପ୍ରମାଣିତ ହୋଇଛି। ଉଭୟ ଜିଲାରେ ଏବେ ମଧ୍ୟ ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି। ଅନେକ ଶିକ୍ଷକ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ସରକାରୀ ନିଯୁକ୍ତି ପାଇଥିବା ବେଳେ ସେମାନେ ସାଧାରଣ ଜୀବନଯାପନ କରୁଥିବା ଜଣାଯାଇଛି। ଦିବ୍ୟାଙ୍ଗ ସାର୍ଟିଫିକେଟ ଯାଞ୍ଚ କରାଗଲେ ଶତାଧିକ ନକଲି ଶିକ୍ଷକ ଧରାପଡିବେ ବୋଲି ଆଲୋଚନା ହେଉଅଛି।

Comments are closed.