ବିଦ୍ୟୁତ ସଂଯୋଗ ବିଛିନ୍ନ ପରେ ବି ଆସୁଛି ବିଲ, ଖାଉଟି ଅଦାଲତ ଯିବେ ଚାଷୀ

ବୌଦ୍ଧ: କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ମାତ୍ର ବାସ୍ତବରେ ତାହା କେତେଦୂର କାମରେ ଆସୁଛି ତୃଣମୂଳ ସ୍ତରରେ ନ ଦେଖିଲେ ଅନୁଭବ କରି ହେବନାହିଁ। ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ କୁଲୁତାଖଲି ଗ୍ରାମର ଜଣେ ଚାଷୀ ହେଉଛନ୍ତି ସିଦ୍ଧାର୍ଥ ନାଏକ। ନିଜ ଜମିକୁ ଜଳ ସେଚନର ସୁବିଧା ପାଇଁ ଉଠା ଜଳ ସେଚନ ବିଭାଗ ଜରିଆରେ ସିଦ୍ଧାର୍ଥ ଏକ ଗଭୀର କୂପ ଖୋଳାଇଥିଲେ। ୨୦୧୪ ମସିହାରେ କୂପ ଖୋଳା ଯାଇଥିଲେ ମଧ୍ୟ ବିଭାଗ ଜଳ ସେଚନ ପାଇଁ ମୋଟର ଏଯାଏଁ ଦେଇ ପାରିନା।

ସେହିପରି ବିଦ୍ୟୁତ୍ ବିଭାଗ ମଧ୍ୟ ଅଦ୍ୟାବଧି ବିଦ୍ୟୁତ ସଂଯୋଗ କରିନାହାନ୍ତି। ତେବେ ଆଶ୍ଚର୍ୟ୍ୟର କଥା କିଛି ଦିନ ତଳେ ବିଦ୍ୟୁତ୍ ବିଭାଗ ୩୯୩୩୯ ଟଂକାର ଏକ ବିଲ୍ ପଠାଇଛି। ବିଲ୍ ଧରି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିଲେ ଓ ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆ ଯାଇନାହିଁ କି ମୋଟର ଏଯାଏଁ ଉଠା ଜଳ ସେଚନ ବିଭାଗ ଦେଇନାହିଁ ବୋଲି କହିବା ପରେ କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ଚାଷୀ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିବା ପରେ ସେ ଓଲଟା ଚାଷୀଙ୍କ ଉପରେ ଦୋଷ ଲଦି ବିଦ୍ୟୁତ୍ ସଂଯୋଗ ବିଛିନ୍ନ ପାଇଁ ୬୦୦ ଟଙ୍କାର ରସିଦ୍ ଚାଷୀଙ୍କ ହାତକୁ ବଢାଇ ଦେଇଥିଲେ। ବିଲ୍ ଆସିଥିବା ଟଙ୍କା ଦେବାକୁ ପଡିବ ଓ କାଗଜ ପତ୍ରରେ ସଂଯୋଗ ବିଚ୍ଛିନ୍ନ କଲା ପରେ ଆଉ ନୁଆ ବିଲ୍ ଆସିବ ନାହିଁ ବୋଲି କହିଥିଲେ। ବିଦ୍ୟୁତ୍ ସଂଯୋଗ ନଦେଇ କାଗଜ ପତ୍ରରେ ସଂଯୋଗ ହୋଇଥିବା ଦର୍ଶା ଯାଇଥିବା ହେତୁ ଆଜି ଜଣେ ଚାଷୀଙ୍କ ମୁଣ୍ଡରେ ପ୍ରାୟ ୪୦ ହଜାର ଟଂକାର ବକେୟା ରହିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଦ୍ୟୁତ୍ ବିଭାଗ ଓ ଉଠା ଜଳ ସେଚନ ବିଭାଗ ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଖାଉଟି ଅଦାଲତରେ ଆଶ୍ରୟ ନିଆଯିବ ବୋଲି ସିଦ୍ଧାର୍ଥ ପ୍ରକାଶ କରିଛନ୍ତି।

Comments are closed.