ବୌଦ୍ଧ ସହର ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱପ୍ନର ପ୍ରକଳ୍ପ ଜରିଖଣ୍ଡିର ପୁନରୁଦ୍ଧାର ପାଇଁ ଭୂମି ପୂଜନ

ବୌଦ୍ଧ: ବୌଦ୍ଧ ରାଜପ୍ରାସାଦ ନିକଟରେ ଅବସ୍ଥିତ ଜରିଖଣ୍ଡି ଭାବରେ ପରିଚିତ ଗଡଖାଇର ପୁନରୁଦ୍ଧାର କରାଯିବା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ସ୍ୱପ୍ନର ପ୍ରକଳ୍ପ ପାଲଟିଥିବା ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୨କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଏହା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶାସନିକ ମଞ୍ଜୁରି ଲାଭ କରିସାରିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟଙ୍କାରେ ଜରିଖଣ୍ଡିର ପୁନରୁଦ୍ଧାର ଓ ଗାର୍ଡ ୱାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ବୁଧବାର ଏହି ପ୍ରକଳ୍ପ କାର୍ଯ୍ୟର ଭୂମି ପୂଜନ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି। ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, କନିଷ୍ଠଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନ ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଉପସ୍ଥିତିରେ ଠିକା ସଂସ୍ଥାର ମାଲିକ ପ୍ରତାପ ଚନ୍ଦ୍ର ପରିଡାଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଅତିଥିମାନେ ନଡିଆ ଭାଙ୍ଗି କାର୍ଯ୍ୟାରମ୍ଭ କରିଥିଲେ।

ଆସନ୍ତା ୪ ମାସ ମଧ୍ୟରେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମାପନ କରାଯିବ ବୋଲି ଠିକା ସଂସ୍ଥାର ମାଲିକ ଶ୍ରୀପରିଡା ପ୍ରକାଶ କରିଛନ୍ତି। ତେବେ ବୌଦ୍ଧ ଗଡଜାତ ଶାସନର ଅନ୍ୟତମ ସ୍ମାରକୀ ଭାବରେ ପରିଚିତ ଏହି ଗଡଖାଇ ଆବର୍ଜନା କୁଣ୍ଡ ହୋଇପଡିଥିବାବେଳେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମ କ୍ରମେ ଏହାକୁ ନୂଆ ରୂପ ଦିଆଯିବାକୁ ଯୋଜନା କରାଯାଇଥିଲା। ଏହି ଐତିହାସିକ ଗଡଖାଇର ଗୋଟିଏ ମୁଣ୍ଡରେ ବୌଦ୍ଧ ରାଜାଙ୍କ ରାଜପ୍ରାସାଦ ରହିଥିବାବେଳେ ଅନ୍ୟ ମୁ୍‍ଣ୍ଡରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି। ଶତ୍ରୁଙ୍କ ଠାରୁ ସୁରକ୍ଷା ପାଇଁ ବୌଦ୍ଧ ରାଜା ରାଜପ୍ରାସାଦ ଚାରିପଟେ ଏହି ଗଡଖାଇ ଖୋଳାଇଥିଲେ। ଏହି ଗଡଖାଇ ପୂର୍ବରୁ ମହାନଦୀ ସହିତ ସଂଯୁକ୍ତ ହୋଇ ରହିଥିବାବେଳେ ରାଜତନ୍ତ୍ରର ଅବସାନ ପରେ ଜନବସତି ବୃଦ୍ଧି ପାଇବା ସହିତ ଗଡଖାଇର ଉଭୟ ପାର୍ଶ୍ବ ମହାନଦୀ ଠାରୁ ବିଛିନ୍ନ ହୋଇ ସହରର ଏକ ଆବର୍ଜନା କୁଣ୍ଡ ଭାବରେ ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥିଲା। ଗଡଖାଇର ପୁନରୁଦ୍ଧାର ଦ୍ୱାରା ଏହା ବୌଦ୍ଧ ସହରର ଏକ ପ୍ରମୁଖ ଆକର୍ଷଣୀୟ ସ୍ଥାନ ହୋଇପାରିବ। ଗଡଖାଇ ମଧ୍ୟରେ ବୁଦ୍ଧଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ସହିତ ନୌକା ବିହାରର ବ୍ୟବସ୍ଥା ମଧ୍ୟ କରାଯିବାକୁ ଲକ୍ଷ ରଖାଯାଇଥିବା ଜଣାଯାଇଛି।

ତେବେ ଗଡଖାଇ ପୁନରୁଦ୍ଧାର ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ୧ କୋଟି ଟଙ୍କାର ଅନୁଦାନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ମଧ୍ୟ ନବ କଳେବର କରାଯାଉଅଛି। ମନ୍ଦିର ସମ୍ମୁଖରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସରିଥିବାବେଳେ ରଥଖଳା ପର୍ଯ୍ୟନ୍ତ ପଡିଆରେ ସୁସଜ୍ଜିତ ଉଦ୍ୟାନ ନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି। ସେହିପରି ରାଜାଙ୍କ ଦ୍ୱାରା ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଭିତର ଓ ବାହାରପଟର ସଂପୁର୍ଣ୍ଣ ମରାମତି କରାଯିବା ସହିତ ରଙ୍ଗ ଦିଆଯାଇ ଆକର୍ଷଣୀୟ କରାଯାଇଛି। ମନ୍ଦିର ବେଢାର ଉନ୍ନତି କରଣ ସହିତ ଚାରି ଦ୍ୱାର ଖୋଲାଯିବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ମୁଖ୍ୟ ପ୍ରତିବନ୍ଧକ ଥିବା ମନ୍ଦିର ପଛପଟେ ରହିଥିବା ପ୍ରାଣୀ ଚିକିତ୍ସା ବିଭାଗ ପଟରେ ପ୍ରାୟ ୨୦ ଫୁଟ ସ୍ଥାନ ଖାଲି କରାଯାଇ ପଶ୍ଚିମ ଦ୍ୱାର ପାଇଁ ରାସ୍ତା କରାଯିବ ବୋଲି ଜଣାପଡିଛି। ସେହିପରି ମନ୍ଦିର ସମ୍ମୁଖ ସିଂହ ଦ୍ୱାରରେ ଭକ୍ତମାନଙ୍କ ଗୋଡ ଧୋଇ ମନ୍ଦିର ବେଢାରେ ପ୍ରବେଶ କରିବା ବ୍ୟବସ୍ଥା କରାଯିବା ସହିତ ରଥଖଳା ପର୍ଯ୍ୟନ୍ତ ବଡଦାଣ୍ଡକୁ ମଧ୍ୟ ପ୍ରସସ୍ତ କରାଯାଉଅଛି। ଜରିଖଣ୍ଡି ର ପୁନରୁଦ୍ଧାର ସହିତ ଶ୍ରୀଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟ ସମାପନ ପରେ ଏହି ସ୍ଥାନ ଜିଲାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହୋଇପାରିବ। ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର,ବଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର,ଜିଲା ବ୍ରାହ୍ମଣ ସମାଜ ସମ୍ପାଦକ ଦେବାଶିଷ ପୁରୋହିତ,ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.