ଜମିକୁ ମିଳୁନି ପାଣି ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବୌଦ୍ଧ : ବୌଦ୍ଧ ଏକ କୃଷିପ୍ରଧାନ ଜିଲା ଅଟେ। ଜିଲାରେ ୮୦ ପ୍ରତିଶତ ଲୋକମାନେ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଜିଲାର ଚାଷ କହିଲେ ମୁଖ୍ୟତଃ ଧାନ ଚାଷ। କିନ୍ତୁ ଚଳିତ ବର୍ଷ ବର୍ଷା ଠିକ ଭାବେ ହୋଇନଥିବାବେଳେ ଚାଷ ମଧ୍ୟ ଭଲ ଭାବେ ହୋଇନାହିଁ। କିନ୍ତୁ କାଁଭାଁ ଚାଷୀ ଚାଷ କରିଥିବା ବେଳେ ବର୍ତ୍ତମାନ ଜମିକୁ କେନାଲ ପାଣି ମିଳୁନଥିବାରୁ ଚାଷୀମାନେ ଫସଲ ବଞ୍ଚାଇବାକୁ ଚିନ୍ତାରେ ପଡିବା ସହ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ ସାଲୁଙ୍କି ଜଳସେଚନ ପ୍ରକଳ୍ପ ଦ୍ୱାରା ବୌଦ୍ଧ ବ୍ଳକର କିଛି ଗ୍ରାମକୁ କେନାଲ ଦ୍ୱାରା ପାଣି ଯୋଗାଇ ଦିଆଯାଇଥାଏ। କିନ୍ତୁ ଆଜି ପର୍ଯ୍ୟନ୍ତ ବାଉଁଶୁଣୀ ରାଜସ୍ୱ ନୀରିକ୍ଷକ ଅଧିନରେ ଥିବା ଟାଲୁପାଲି ଗ୍ରାମର ଜମିକୁ ବୁନ୍ଦାଏ ପାଣି ମିଳିପାରିନାହିଁ ।

 

ଫଳରେ ବୁଣାଧାନ ବେଉଷଣ ହୋଇପାରିନଥିବାବେଳେ ମରିବାକୁ ବସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ବର୍ଷ ପରି ଅନ୍ୟ ବର୍ଷରେ ମଧ୍ୟ ଗ୍ରାମର ଜମିକୁ ପାଣି ମିଳିପାରୁନଥିବାବେଳେ ଚାଷୀଙ୍କ ଠାରୁ ଜଳକର ଆଦାୟ କରଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏପଟେ ବିଭାଗ ପକ୍ଷରୁ କେନାଲ ମରାମତି ନାମରେ ବହୁ ଟଙ୍କା ଖର୍ଚ୍ଚକରୁଥିବା ବେଳେ କିନ୍ତୁ ଏହାର ସୁଫଳ ଚାଷୀ ପାଇପାରୁନାହାନ୍ତି। ଏନେଇ ଗ୍ରାମବାସୀମାନେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପାଣି ଯୋଗାଇଦେବାକୁ ଦାବୀ କରିବାସହ ନହେଲେ ଜଳକର ଛାଡ କରିବାକୁ ଦାବୀ କରିଛନ୍ତି। ତୁରନ୍ତ ଜିଲାପ୍ରଶାସନ ଏଥି ପ୍ରତି ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି। କମଳ ମେହେର, ସତ୍ୟ ନାରାୟଣ ପୋଢ, ବବୁଲୁ ମହାକୁଡ, ଗୌତମ ମହାକୁଡ, ସରତ ମହାକୁଳ, ଧ୍ରୁବ ଚରଣ ମହାକୁଳ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.