ମହାନଦୀରେ ଭାସିଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ

ବୌଦ୍ଧ: ବୌଦ୍ଧଠାରେ ମହାନଦୀରେ ଜଣେ ବୃଦ୍ଧା ଭାସି ଯାଉଥିବା ବେଳେ ନୂଆସାହିର ୧୭ ବର୍ଷର ଜଣେ ଯୁବକ ତାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର କରିଥିବା ଯୁବକର ନାମ ମିଲନ ବେହେରା ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ ଜଣେ ବୃଦ୍ଧା ମହାନଦୀରେ ଭାସି ଯାଉଥିବା ବେଳେ ନୂଆସାହିର ଯୁବକମାନେ ଦେଖିଥିଲେ। ଦୁଇକୂଳ ଖାଇ ମହାନଦୀରେ ପାଣି ରହିଥିଲେ ମଧ୍ୟ ମିଲନ ସାହସ କରି ବୃଦ୍ଧା ଜଣକୁ ନଦୀ ପାଣିରୁ ଉଦ୍ଧାର କରି କୂଳକୁ ଆଣିଥିଲେ।

ବୃଦ୍ଧା ଜଣକ ନିଜର ପରିଚୟ ଦେବା ଅବସ୍ଥାରେ ନଥିବାବେଳେ ସେ ଭୀଷଣ ଭାବରେ ଥରୁ ଥିଲେ ଏବଂ ଅସୁସ୍ଥ ଜଣା ପଡୁଥିଲେ। ସାହିର ମହିଳାମାନେ ତାଙ୍କୁ ପିନ୍ଧାଲୁଗା ଓ ଘୋଡେଇ ହେବାକୁ ସାଲ ପ୍ରଦାନ କରିବାସହ ତାଙ୍କର ସେବା ଶୁଶ୍ରୁଷା କରିଥିଲେ। ଏ ସଂପର୍କରେ ସୂଚନା ପାଇ ବୌଦ୍ଧଥାନା ପିସିଆର ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଞ୍ଚି ବୃଦ୍ଧା ଜଣକୁ ତୁରନ୍ତ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ନଦୀକୁ ଶୌଚ କିମ୍ବା ଗାଧୋଇବାକୁ ଆସି ବୃଦ୍ଧା ଜଣକ ଭାସି ଆସିଥିବା ସନ୍ଦେହ କରାଯାଉଅଛି। ପୋଲିସ ପକ୍ଷରୁ ବୃଦ୍ଧାଙ୍କ ପରିଚୟ ସଂଗ୍ରହ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ବୃଦ୍ଧାଙ୍କ ଜୀବନ ବଞ୍ଚାଇଥିବା ନୂଆସାହିର ଯୁବକ ଓ ମହିଳାମାନଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.