ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି

ବୌଦ୍ଧ: ଦୁଇଦିନ ତଳେ ବୌଦ୍ଧଜିଲା କଣ୍ଟାମା ବ୍ଲକର ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆ କରୋନା ଲକ୍ଷଣ ଥାଇ ପରୀକ୍ଷା କରିବା ପୂର୍ବରୁ ମାତ୍ର ୪୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକ ଚିକିତ୍ସାଳୟକୁ ନେବା ରାସ୍ତାରେ ଆମ୍ବୁଲାନସରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ତେବେ ବୌଦ୍ଧ ଜିଲାରୁ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକ କରୋନାର ଶୀକାର ହୋଇ ମୃତ୍ୟୁ ମୁଖ୍ୟରେ ପଡିଥିବା ବେଳେ ସ୍ୱର୍ଗତ ବସ୍ତିଆଙ୍କୁ କୋଭିଡ ଯୋଦ୍ଧା ଭାବରେ ମାନ୍ୟତା ପ୍ରଦାନ ସହିତ ତାଙ୍କର ପରିବାରକୁ ସରକାର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି।

ଗୁରୁବାର ଅପରାହ୍ନରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ରତ୍ନକାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଅକାଳ ବିୟୋଗରେ ଶୋକପ୍ରସ୍ତାବ ଅଣାଯିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସାମ୍ବାଦିକ ସ୍ୱର୍ଗତ ବସ୍ତିଆଙ୍କ ପରିବାର ପ୍ରତି ସଂଘର ସଦସ୍ୟମାନେ ସମବେଦନା ଜ୍ଞାପନ କରିବା ସହିତ ସରକାର ତୁରନ୍ତ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ମତପ୍ରକାଶ କରିଥିଲେ। ଏହି ସଭାରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ, ଦେବାଶିଷ ପୁରୋହିତ, ଶଶାଙ୍କ ଶେଖର ମିଶ୍ର, ପ୍ରମୋଦ କୁମାର ବାଘ, ବୈଦ୍ୟନାଥ ହୋତା, ଭାର୍ଜନ କୁମାର ପ୍ରଧାନ, ସୀତାକାନ୍ତ ସିଂହ, ରବିନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ବସ୍ତିଆଙ୍କ ସ୍ମୃତିଚାରଣ କରିଥିଲେ। ଜିଲା ସାମ୍ବାଦିକ ସଂଘର ପୂର୍ବତନ ସଦସ୍ୟ ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ଜିଲା ସଂଘର ସଦସ୍ୟମାନଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଶେଷରେ ସଂପାଦିକା ପ୍ରଣତି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.