ମହାନଦୀରେ ଟଳିଲା ବନ୍ୟା ଆଶଙ୍କା, ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ଟି ଗେଟ୍‍

ବୌଦ୍ଧ: ଉପର ମୁଣ୍ଡରେ ବର୍ଷା କମିଥିବା ସତ୍ୱେ ହୀରାକୁଦ ଡ୍ୟାମର ୨୪ଟି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି। ତେବେ ବୌଦ୍ଧ ଜିଲାରେ ବର୍ଷା ନଥିଲେ ମଧ୍ୟ ମହାନଦୀରେ ଜଳସ୍ତର ବିପଦ ସଙ୍କେତ ଠାରୁ ପ୍ରାୟ ୧ ମିଟର ତଳେ ପ୍ରବାହିତ ହେଉଅଛି। ତେଲ,ବାଘ ଓ ସାଲୁଙ୍ଖୀ ନଦୀରେ ଜଳସ୍ତର ଖସୁଥିବା ଯୋଗୁଁ ଜିଲାରେ ବନ୍ୟା ଆଶଙ୍କା ଟଳିଛି। ତେବେ ପୁଣି ଲଗୁଚାପ ନେଇ ସତର୍କ କରାଯାଇ ଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ଔଷଧ ସବୁ ମହାଜୁଦ ରଖାଯାଇଛି ଏବଂ ଦଳୀକୂଳିଆ ଗ୍ରାମଗୁଡିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ ଗତ ଲଗାଣବର୍ଷା ଜିଲାରେ ବ୍ୟାପକ କ୍ଷତି କରିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ଆକଳନ ମଧ୍ୟ ଆରମ୍ଭ ହୋଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ସଂପୁର୍ଣ୍ଣ ଧୋଇ ଯାଇଥିବା ବେଳେ ଛୋଟ ଛୋଟ ପୋଲ ସବୁ ଭାସି ଯାଇଥିବାରୁ ଲୋକମାନେ ଯାତାୟତ ପାଇଁ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଅଛି। ତେଣୁ ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ଭାସିଯାଇଥିବା ପୋଲ ଓ କ୍ଷତିଗ୍ରସ୍ତ ରାସ୍ତା ଗୁଡିକର ମରାମତି କରାଯିବାକୁ ସାଧାରଣରେ ମତପ୍ରକାଶ ପାଉଅଛି। ଲଗାଣବର୍ଷା ଯୋଗୁଁ ଜିଲାରେ ବଳକା ଫସଲ ମଧ୍ୟ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚଳିତବର୍ଷ ଚାଷୀ ପରିବାରମାନେ ସଂପୁର୍ଣ୍ଣ ଭାବରେ ମରୁଡିର ଶୀକାର ହୋଇଛନ୍ତି। ଅନେକ ସ୍ଥାନରେ ମହାନଦୀ ଜଳ ଓ ବର୍ଷାଜଳ ଜମି ରହିଥିବାରୁ ହେକ୍ଟର ହେକ୍ଟର ଚାଷ ଜମି ଏବେ ମଧ୍ୟ ଜଳମଗ୍ନ ରହିଥିବା ଜଣାଯାଇଛି। ତେଣୁ ଜିଲାକୁ ସଂପୁର୍ଣ୍ଣ ମରୁଡି ଘୋଷଣା ସହିତ ସମସ୍ତ ଚାଷୀଙ୍କୁ ବୀମା ରାଶି ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀ ସଂଗଠନମାନଙ୍କ ପକ୍ଷରୁ ଦାବି ହେଉଛି।

Comments are closed.