ବୌଦ୍ଧ ରାଜାଙ୍କ ଶତାୟୁ କଚେରୀ କୋଠା ହେବ ସଂଗ୍ରହାଳୟ

ବୌଦ୍ଧ: ଐତିହାସିକ ବୌଦ୍ଧ ଜିଲ୍ଳାରେ ବହୁ ପ୍ରାଚୀନ କାଳରୁ ସଭ୍ୟତା ବିକଶିତ ହେବା ସହିତ ପୂରାତନ ଗଡଜାତ ଅଞ୍ଚଳ ଭାବରେ ଓଡ଼ିଶା ଇତିହାସରେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି। ଏକଦା ୧୨୦ ବର୍ଗ ମାଇଲ ଅଞ୍ଚଳ ବ୍ୟାପ୍ତ ଥିବା ବୌଦ୍ଧ ଗଡଜାତ ରାଜ୍ୟ ଉଡ୍ର ମଣ୍ଡଳର ପ୍ରମୁଖ ସ୍ଥାନ ଥିବା ଏହି ଅଞ୍ଚଳ ପୂରାତନ କାଳରୁ କେତେବେଳେ ଯଯାତିନିଗର କେତେବେଳେ ଝାଡ଼ଖଣ୍ଡ ତ ପୁଣି ବୌଦ୍ଧ ନାମରେ ନାମିତ ହୋଇ ଅନେକ ପ୍ରାଚୀନ ଇତିହାସର ମୁକସାକ୍ଷୀ ପାଲଟିଛି। କିନ୍ତୁ ସ୍ୱାଧୀନତା ପରେ ରାଜନୈତିକ ଓ ପ୍ରଶାସନିକ ଷଡଯନ୍ତ୍ରର ଶୀକାର ହୋଇ ବୌଦ୍ଧ ଗଡଜାତ ଅଞ୍ଚଳ ନିଜର ସ୍ୱତନ୍ତ୍ର ପରିଚୟ ହରାଇ ସାରିଥିଲା। ୧୯୯୪ ମସିହାରେ ନୂତ୍ତନ ଜିଲ୍ଳା ଭାବରେ ମାନ୍ୟତା ପାଇବା ପରେ ଏହି ଜିଲ୍ଳା ପୁଣିଥରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ବିକାଶ ଦିଗରେ ସାମିଲ ହୋଇପାରିଛି। ଜିଲ୍ଳାକୁ ଏବେ ୨୬ବର୍ଷ ପୁରିବାକୁ ଯାଉଥିବାବେଳେ ଜିଲ୍ଲା ମୁଖ୍ୟାଳୟରେ ଅନେକ ନୂତନ ଭିତିଭୂମି ସୃଷ୍ଟି ହୋଇସାରିଛି। ହେଲେ ସବୁରି ମଧ୍ୟରେ ରାଜାଙ୍କ କଚେରୀ ଭାବରେ ପରିଚିତ ଶତାୟୁ ନାଲିକୋଠା ଆଜି ମଧ୍ୟ ତାର ସ୍ୱତନ୍ତ୍ରତା ପ୍ରମାଣ କରୁଅଛି।

୧୯୨୧ରେ ରାଜା ଯୋଗୀନ୍ଦ୍ରଦେବଙ୍କ ଦ୍ୱାରା ନିର୍ମିତ ଏହି କଚେରୀ କୋଠା ବୌଦ୍ଧ ଉପଖଣ୍ଡ ଗଠନ ସମୟରୁ ପ୍ରଶାସନିକ କୋଠା ଭାବରେ ମାନ୍ୟତା ପାଇଥିଲା। ନବଗଠିତ ଜିଲ୍ଲାରେ ଏହି କୋଠା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାବରେ ପରିଚିତ ହୋଇଥିଲା। ନୂତନ କଲେକ୍ଟୋରିଏଟ କୋଠା ନିର୍ମାଣ ପରେ ଏହି କୋଠାରୁ ସମସ୍ତ ସରାକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଥିବାବେଳେ ଭିତିଭୂମି ଅଭାବରୁ ବାହାରେ ଭଡାରେ ଚାଲୁଥିବା କିଛି କାର୍ଯ୍ୟାଳୟ ବର୍ତମାନ ଏହି କୋଠାରେ କାର୍ଯ୍ୟ କରୁଥିବା ଜଣାଯାଇଛି। ତେବେ ଏହି ଶତାୟୁ କୋଠା ଏବେ ନୂଆ ପରିଚୟରେ ପରିଚିତ ହେବାକୁ ଯାଉଅଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଶତାୟୁ କୋଠାକୁ ସଂଗ୍ରହାଳୟରେ ପରିଣତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ଏଠାରେ କାର୍ଯ୍ୟ କରୁଥିବା ସରକାରୀ କାର୍ଯ୍ୟାଳୟଗୁଡିକୁ ତୁରନ୍ତ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ଏହି ସଂଗ୍ରହାଳୟରେ ଜିଲାର ଐତିହ୍ୟ, କଳା,ସଂସ୍କୃତି ଓ ପରମ୍ପରା ସଂପର୍କିତ ବିଭିନ୍ନ ତଥ୍ୟ ଓ ସାମଗ୍ରୀ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା କରାଯିବ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଳାବାସୀଙ୍କୁ ଏହି ସଂଗ୍ରହାଳୟର ଶୋଭାବର୍ଦ୍ଧନ ଦିଗରେ ସହାୟକ ହେବା ନିମନ୍ତେ ଅନୁରୋଧ କରିବା ସହିତ ଏହି ଅଞ୍ଚଳର ଐତିହ୍ୟ ସଂପର୍କିତ ପୂରାତନ ସାମଗ୍ରୀ ଥିଲେ ବ୍ଲକ ବିଡିଓ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ସଂଗ୍ରହାଳୟ ପାଇଁ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲ୍ଲାରେ ସପ୍ତମ ଶତାବ୍ଦୀରେ ଭଂଜ ରାଜାଙ୍କ ଦ୍ୱାରା ନିର୍ମିତ ବିରଳ ଗନ୍ଧରାଢୀ ମନ୍ଦିର ସହିତ ନବମ ଶତାବବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ନିମିର୍ତ ରାମେଶ୍ୱର ମନ୍ଦିର ଭଳି ପ୍ରାଚୀନ ଇତିହାସର ମୁକାସାକ୍ଷୀ ବିଦ୍ୟମାନ ରହିଛି। ଭାରତ ସରକାରଙ୍କ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ସଂରକ୍ଷିତ ଥିବା ୫ ଗୋଟି କିର୍ତ୍ତିରାଜୀ ମଧ୍ୟରୁ କେବଳ ବୌଦ୍ଧଜିଲ୍ଲାର ଏହି ଦୁଇଟି ମନ୍ଦିର ସ୍ଥାନ ପାଇପାରିଛି। ଯଦିଓ ଆଜି ପର୍ଯ୍ୟନ୍ତ ବୌଦ୍ଧର ପ୍ରାଚୀନ ଇତିହାସ ଏକକାଳୀନ ଭାବରେ ଲିପିବଦ୍ଧ ହୋଇପାରିନାହିଁ, ଜିଲ୍ଳାରେ ଅନେକ ବୁଦ୍ଧବିହାର ସହିତ ଅସୁରଗଡ, ଦେଢଶୁର ଭାଇବୋହୁ ପାହାଡ, ପଞ୍ଚୁପାଣ୍ଡବ ମନ୍ଦିର ଭଳି ପ୍ରାଚୀନ ଇତିହାସର ଅନେକ ସ୍ୱାକ୍ଷର ରହିଛି। ନିକଟରେ ବୌଦ୍ଧ ସର୍କିଟ ହାଉସଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଇନଟାକ୍‍ ଓଡ଼ିଶା ଚାପ୍ଟରର ପ୍ରକଳ୍ପ ସଂଯୋଜକ ଅନୀଲ ଧିର ସୂଚନା ଦେଇ କହିଥିଲେଯେ, ବିଭିନ୍ନ ଐତିହାସିକ, ଗବେଷକ ଓ ପ୍ରତ୍ନତାତ୍ୱିକ ଅନୁସନ୍ଧାନ ସଂସ୍ଥା ଦ୍ୱାରା ବୌଦ୍ଧର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସାମଗ୍ରୀ ଗୁଡିକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ୩୬ଟି ମ୍ୟୁଜିୟମରେ ରଖାଯାଇଛି। ଉକ୍ତ ସାମଗ୍ରୀଗୁଡିକୁ ଅଣାଯାଇ ନୂତ୍ତନ ଭାବରେ ସ୍ଥାପିତ ହେବାକୁ ଯାଉଥିବା ସଂଗ୍ରହାଳୟ ମଧ୍ୟରେ ସ୍ଥାନ ଦିଆଯାଇପାରିଲେ ଏହା ବୌଦ୍ଧ ଅଞ୍ଚଳର ପ୍ରାଚୀନ ଇତିହାସ ଗବେଷଣା ପାଇଁ ପଥ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ।

 

Comments are closed.