ବୌଦ୍ଧ ଜିଲାକୁ ମରୁଡି ଘୋଷଣା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ଭାରତୀୟ କିସାନ ସଂଘ ପକ୍ଷରୁ ବିକ୍ଷୋଭ

ବୌଦ୍ଧ: ବୌଦ୍ଧ ଜିଲାରେ ଶତକଡା ୬୭% କମ୍ ବର୍ଷା ହୋଇଥିବାରୁ ସମଗ୍ର ବୌଦ୍ଧ ଜିଲା ମରୁଡି ଦ୍ୱାରା କବଳିତ ହୋଇସାରିଲାଣି ବର୍ଷା ହେଲେ ମଧ୍ୟ ଆଉ ଧାନ ଫସଲ ଉଧେଇ ପାରିବ ନାହିଁ। ଭାରତୀୟ କିସାନ ସଂଘ ପକ୍ଷରୁ ଜିଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ ଗୁରୁବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୭ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। କିସାନ ସଂଘର ଜିଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ଆହ୍ୱାନକ୍ରମେ ଜିଲାର ବିଭିନ୍ନ ଗ୍ରାମରୁ ଏକ ହଜାରରୁ ଉଦ୍ଧ୍ୱର୍ ଚାଷୀ ଏକାଠି ହୋଇଥିଲେ। ସହରର ରଘୁନାଥ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ପଦଯାତ୍ରା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ପକ୍ଷରୁ ଚାଷୀମାନଙ୍କୁ ଅଟକାଯାଇଥିଲେ ମଧ୍ୟ ସେମାନେ ପାଚେରୀ ଡେଇଁ ଓ ପୋଲିସକୁ ଠେଲି ଫାଟକ ଭିତରକୁ ଧସେଇ ପଶିଥିଲେ। କିନ୍ତୁ ପୋଳିସ ପକ୍ଷରୁ ବିକ୍ଷୋଭରତ ଚାଷୀମାନଙ୍କୁ କାର୍ଯ୍ୟାଳୟର ଭିତର ଫାଟକ ନିକଟରେ ଅଟକେଇ ଦିଆଯାଇଥିଲା। ସରକାରୀ କାର୍ଯ୍ୟରେ ବାହାରକୁ ଯାଇଥିବା ଜିଲାପାଳ ଲଲାଟେନ୍ଦୁ ମିଶ୍ର କିଛି ସମୟ ପରେ ସେଠାରେ ପହଞ୍ଚି ବିକ୍ଷୋଭକାରୀ ଚାଷୀମାନଙ୍କ ସହିତ ଆଲୋଚନା କରିବା ସହିତ ଦାବିପତ୍ର ଗ୍ରହଣ କରିଥିଲେ। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଚାଷକାର୍ଯ୍ୟ ନିମନ୍ତେ ଅଧିକାଂଶ ଚାଷୀ ବିଭିନ୍ନ ବ୍ୟାଙ୍କ ମାନଙ୍କଠାରୁ ଋଣ ଆଣି ଚାଷ କରିଛନ୍ତି ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଯୋଜନାରେ ବୀମାର ପ୍ରିମିୟମ ରାଶି ପୈଠ କରି ପାଣିପାଇଁ ଅପେକ୍ଷା କରିଛନ୍ତି। ଜିଲାରେ ମହାନଦୀ ତେଲନଦୀ, ସାଲୁଙ୍କି ଓ ବାଘନଦୀ ଭଳିଆ ଅନେକ ନଦୀ ପ୍ରବାହିତ ହେଉଥିବା ବେଳେ ସ୍ଥାୟୀ ଜଳ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷ ପାଇଁ ପାଣିର ଘୋର ଅଭାବ ଦେଖାଦେଇଛି।

 

ସାଲୁଙ୍କି ନଦୀର ଗୁରୁଜିମୁଣ୍ଡା(ଗମ୍ବୀରାଦର)ରେ ଏକ ପ୍ରାକୃତିକ ବରଦାନ ରହିଛି, ସେଠାରେ ନଦୀରୁ ଦୁଇପାର୍ଶ୍ବରେ ଦୁଇଟି ସୁଉଚ୍ଚ ପାହାଡ ବିଦ୍ୟାମାନ। ଖରାଦିନରେ ମଧ୍ୟ ସେଠାରେ ଥିବା ଗମ୍ଭିରା ଦରହରେ ୧୦/୧୨ ଫୁଟ ପାଣି ରହେ। ଏହି ଦୁଇ ପାହାଡକୁ ସଂଯୋଗ କରି ଏକ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ଚାଷୀମାନଙ୍କ ପକ୍ଷରୁ ପ୍ରମୁଖ ଦାବି କରାଯାଇଛି। ସେହିପରି କଣ୍ଟାମାଳ ସ୍ଥିତ ଖଡଙ୍ଗ ନଦୀର ସାଡାଙ୍ଗ ମଧ୍ୟ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରକୃଷ୍ଟ ସ୍ଥାନ। ବୌଦ୍ଧଜିଲାରେ ଚାଲିଥିବା ୫ ଗୋଟି ମେଗା ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ହିଲୁଂ ଓ ତିରୋଡଠାରେ କାମ ଆରମ୍ଭ ହୋଇଥିବା ବେଳେ ସାମ୍ପୋଚ, ରାମଗଡ ଓ ଧଳପୁରଠାରେ ହେବାକୁଥିବା ପ୍ରକଳ୍ପ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡିରହିଛି। କୃଷିରେ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଉକ୍ତ ଇନପୁଟ୍ ରାଶି ହେକ୍ଟରକୁ (ଉଭୟ ଜଳସେଚତି ଓ ଅଣଜଳସେଚିତ) ଟ.୫୦,୦୦୦/-ଙ୍କା ବୃଦ୍ଧି କରାଯାଉ। ବୌଦ୍ଧଜିଲାକୁ ତୁରନ୍ତ ମରୁଡି ଘୋଷଣା କରିବା ସହ ଚାଷୀଙ୍କୁ ସମସ୍ତ ପ୍ରକାର କ୍ଷତିର ସହାୟତା ଯୋଗାଇ ଦେଇପାଇଁ ଦାବୀ କରାଯାଇଛି। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ଆସନ୍ତା ରବି ଫସଲ ପାଇଁ ବର୍ତମାନ ଠାରୁ ଚାଷୀମାନଙ୍କ ସମସ୍ତ ସହାୟତା ଦେବାପାଇଁ ସରକାରଙ୍କୁ ଜଣାଇଛନ୍ତି। ଶିଳ୍ପବିହୀନ ବୌଦ୍ଧଜିଲ୍ଲାରେ ଚାଷକାର୍ଯ୍ୟ ପ୍ରତି ଗୁରୁତ୍ୱ ପ୍ରଦାନ କରାନଗଲେ, ଚାଷୀମାନେ ପୋକମାଛି ଭଳି ମରିଯିବେ ବୋଲି ଆଶଙ୍କା ପ୍ରକାଶ କରାଇଛି। ଜିଲାରୁ ପ୍ରତିବର୍ଷ ଅନେକ ଚାଷୀ ପରିବାର ଦାଦନ ଖଟିବାକୁ ବାହାରକୁ ଚାଲିଯାଉଥିବାବେଳେ ବର୍ତମାନ କରୋନା ପାଇଁ ବାହାରକୁ ଦାଦନ ଖଟିବା ମଧ୍ୟ ବନ୍ଦ ହୋଇଯାଇଥିବାରୁ ଚାଷୀ ପରିବାରମାନେ ଚିନ୍ତାରେ ରହିଛନ୍ତି। ତେଣୁ ମରୁଡି ପରିସ୍ଥିତିର ସ୍ଥାୟୀ ପ୍ରତିକାର କରାଯିବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ବୌଦ୍ଧ ଜିଲାପାଳ ଶ୍ରୀ ମିଶ୍ର ଦାବୀପତ୍ର ଗ୍ରହଣ କରିବା ସହିତ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ଜଣାଇଥିଲେ। ଆଜିର ଚାଷୀ ସମାବେଶରେ ଭୋଳାଗିରୀ ସାହୁ, ବିଶିକେଶନ ପ୍ରଧାନ, ନବୀନ ପ୍ରଧାନ, ବିକାଶ ମହାକୁଡ, ଗଣେଷ ବେହେରା, ନବୀନ ହୋତା, ଶମ୍ଭୁ ପ୍ରଧାନ, ଦୁତୁବାହନ କମ୍ପ, କୁନା ମାହାର, ଓମ୍ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ସୌମିତ୍ରୀ କୁମାର ନାୟକ, ପ୍ରେମାନନ୍ଦ ମିଶ୍ର, ତ୍ରୀଜିବ ପାଣିଗ୍ରାହୀ ପ୍ରମୁଖଙ୍କ ପରିଚାଳନାରେ ଜିଲାର ଚାଷୀ, ମହିଳା ଚାଷୀ ଓ ଯୁବଚାଷୀ ସାମିଲ ହୋଇଥିଲେ।

Comments are closed.