କ୍ରସର ବନ୍ଦ ଯୋଗୁଁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ପ୍ରଭାବିତ: ଜୀବନ ଜିବିକା ଚିନ୍ତାରେ ଗ୍ରାମବାସୀ, କ୍ରସର ଚାଲୁ ରଖିବାକୁ ଜିଲାପାଳଙ୍କୁ ଦାବିପତ୍ର

ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକରେ କ୍ରସର ବିରୋଧୀ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। ବ୍ଲକର ଖରଭୂଇଁ ଅଞ୍ଚଳରେ ଚାଲୁଥିବା କ୍ରସର ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ଅଞ୍ଚଳର କିଛିବାସୀନ୍ଦା କିଛିଦିନ ତଳେ ଶୋଭାଯାତ୍ରା କରି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କ୍ରସର ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଏହି ଅଞ୍ଚଳରେ ଚାଲିଥିବା କ୍ରସର ଯୋଗୁଁ ପରିବେଶ ଓ ଜଙ୍ଗଲ ନଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜୀବନ ଜିବିକା ପାଇଁ ବିପଦ ସୃଷ୍ଟି ହେଉଅଛି। କ୍ରସରରୁ ପଥରଗୁଣ୍ଡ ସବୁ ଉଡି ଚାଷ ଜମିରେ ପଡୁଥିବାରୁ ପ୍ରତିବର୍ଷ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ଲୋକମାନଙ୍କ ନିଃଶ୍ବାସପ୍ରଶ୍ୱାସରେ ମଧ୍ୟ ସମସ୍ୟା ଦେଖାଦେଉଅଛି। ଏହାବ୍ୟତୀତ କ୍ରସର ଗୁଣ୍ଡ ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଲୋକ କିଡନୀ ଭଳି ଦୂରାରୋଗରେ ପିଡିତ ହେଉଥିବାବେଳେ ଦିବ୍ୟାଙ୍ଗ ଶିଶୁ ମଧ୍ୟ ଜନ୍ମିତ ହେଉଥିବା ଭଳି ସମ୍ବେଦନଶୀଳ ଅଭିଯୋଗ କରାଯାଇଥିଲା। କିନ୍ତୁ ସରକାରୀ କାଗଜପତ୍ରରେ ଅନୁମତି ନେଇ ସରକାରଙ୍କୁ ଉପଯୁକ୍ତ ରାଜସ୍ୱ ପ୍ରଦାନ କରି କ୍ରସର ଗୁଡିକ ଚାଲୁ ରହିଥିବାବେଳେ ଏଗୁଡିକୁ ସୁରକ୍ଷା ଯୋଗାଇଦେବା ମଧ୍ୟ ପ୍ରଶାସନର ପ୍ରମୁଖ ଦାୟିତ୍ୱ ରହିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ପାଇବା ପରେ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳ ଗସ୍ତ କରି ଅଭିଯୋଗର ସତ୍ୟତା ସଂପର୍କରେ ଅନୁଧ୍ୟାନ କରିଥିଲେ। କିନ୍ତୁ କ୍ରସର ବନ୍ଦ ହେବା ସପକ୍ଷରେ ବିଶେଷ କାରଣ ନପାଇ ପ୍ରଶାସନ ପକ୍ଷରୁ ଲୋକଙ୍କ ଦାବିକୁ ଉପେକ୍ଷା କରାଯାଇଥିଲା।

 

ପଥର ଖାଦାନ ଟେଣ୍ଡର ପ୍ରକ୍ରିୟାରୁ କ୍ରସରମାଲିକମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରଭାବିତ କରି ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିବା ସଧାରଣରେ ଆଲୋଚନା ହୋଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ବାଧ୍ୟ ହୋଇ କ୍ରସରଗୁଡିକୁ ବନ୍ଦ ରଖାଯାଇଥିବାବେଳେ ଗଛିତ ସାମଗ୍ରୀ ବିକ୍ରୟ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥିଲା। କିନ୍ତୁ ଆଜି ଏହି ଆନ୍ଦୋଳନର ବିପରୀତ ଦିଗକୁ ନେଇ ଜିଲାସାରା ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରସର ବନ୍ଦ ଯୋଗୁଁ ଠିକାଦାରଙ୍କ ଠାରୁ ଆରମ୍ଭ କରି ସାଧାରଣଲୋକ ଗୃହ ନିର୍ମାଣ ସାମଗ୍ରୀ ପାଇବାରେ ସମସ୍ୟାର ସମ୍ମୁଖିନ ହେବା ସହିତ ଅନେକ ପ୍ରଧାନମନ୍ତ୍ରୀ ଆବାସ ଗୃହର କାର୍ଯ୍ୟାଦେଶ ପାଇସୁଦ୍ଧା ଆରମ୍ଭ କରିପାରିନଥିବା ଅଭିଯୋଗ ହୋଇଛି। ତେଣୁ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବନ୍ଦ ପଡିଥିବା କ୍ରସର ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। କ୍ରସର ବନ୍ଦ ଯୋଗୁଁ ସମସ୍ତ ପ୍ରକାର ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିବାବେଳେ ସାଧାରଣଲୋକ ଜୀବନ ଜିବିକା ପାଇଁ ସଂଘର୍ଷ କରୁଛନ୍ତି। ତେଣୁ କ୍ରସର ଗୁଡିକୁ ତୁରନ୍ତ ଚାଲୁ କରାଯିବାକୁ ଜିଲାପାଳଙ୍କୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି। ତେବେ କ୍ରସର ଆନ୍ଦୋଳନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଫାଟ ସୃଷ୍ଟି ହୋଇସାରିଥିବାବେଳେ କ୍ରସର ଚାଲୁ କରିବା ପାଇଁ ପ୍ରଶାସନ ଉପରେ ଚାପ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ସ୍ଥାପିତ ସମସ୍ତ କ୍ରସର ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁମତିପତ୍ର ସହିତ ପଥର ଖାଦାନର ଲିଜ ମଧ୍ୟ ରହିଛି। ଯଦି ପ୍ରଶାସନ କ୍ରସର ଚଳାଇବାରେ ବିଫଳ ହୁଏତ କ୍ରସର ମାଲିକମାନେ ଅଦାଲତର ଆଶ୍ରୟ ନେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ କ୍ରସର ସପକ୍ଷବାସୀଙ୍କ ଆନ୍ଦୋଳନ ପରେ ବୁଝାମଣା ଭିତିରେ କ୍ରସର ଗୁଡିକୁ ଚାଲୁ କରାଯିବାକୁ ଉଦ୍ୟମ କରାଯିବାର ସମ୍ଭାବନା ନେଇ ସାଧାରଣରେ ମତପ୍ରକାଶ ପାଉଅଛି।

Comments are closed.