ବୌଦ୍ଧରେ ଅର୍ଥମନ୍ତ୍ରୀ ଓ ପରିବହନଙ୍କୁ ବିଜେପି କର୍ମୀଙ୍କ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ

ବୌଦ୍ଧ: ସୁବର୍ଣ୍ଣପୁର ଜିଲାର କାର୍ଯ୍ୟକ୍ରମ ସାରି ବୌଦ୍ଧଜିଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କୁ ଜାତୀୟରାଜପଥର ବଲାସିଙ୍ଗାଠାରେ ବିଜେପି କର୍ମୀମାନଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ପୋଲିସ ଗାଡି ସମ୍ମୁଖରେ ବିଜେପି କର୍ମୀମାନେ ଖୋଲାଖୋଲି କଳାପତାକା ପ୍ରଦର୍ଶନ କରିବାସହ ଫେରିଯିବାକୁ ସ୍ଲୋଗାନ ଦେଇଥିଲେ। ଅର୍ଥମନ୍ତ୍ରୀଙ୍କ ପରେ ପରେ ଆସୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ପୁନର୍ବାର କଳାପତାକା ଦେଖାଇବା ସହିତ ଅଣ୍ଡାମାଡ କରିଥିଲେ। ତେବେ ମନ୍ତ୍ରୀଙ୍କ ଗାଡିରେ ଅଣ୍ଡା ନବାଜି ରାସ୍ତାରେ ପଡିଥିବା ଜଣାଯାଇଛି।

ପରିବହନ ମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ପୋଲିସମାନେ ଗାଡି ଅଟକାଇ ବିଜେପି କର୍ମୀଙ୍କୁ ଟାଣିଟାଣି ରାସ୍ତାରୁ ହଟାଉଥିବା ଦେଖାଯାଇଥିଲା। ଏଥିରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ନାରାୟଣ କର୍ମୀ, ବରିଷ୍ଠ ବିଜେପି ନେତା ସୁର୍ଯ୍ୟ ନାରାୟଣ ମହାପାତ୍ର,ଦାମୋଦର ମିଶ୍ର, ଅରୁପା ଦୀପ ଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ଥିଲେ। ଜିଲାରେ ବିଜେପି କର୍ମୀଙ୍କ ଦ୍ୱାରା ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ହେବା ଏହା ଦ୍ୱିତିୟ ଘଟଣା ହୋଇଥିବାବେଳେ ମମିତାକୁ ରାଜ୍ୟ ସରକାର ନ୍ୟାୟ ପ୍ରଦାନ ନକରିବା ପର୍ଯ୍ୟନ୍ତ ଏଣିକି ପଞ୍ଚାୟତରେ ମଧ୍ୟ ବିଜେଡି ମନ୍ତ୍ରୀ ଓ ନେତାଙ୍କୁ ବିରୋଧ କରାଯିବ ବୋଲି ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.