କାହିଁକି ସନ୍ଦେହକୁ ଆସିଲା ସରୋଜ ? ଜାଣନ୍ତୁ, କ’ଣ କହିଲେ ବୋଥ୍ରା

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗାଁର ସରୋଜ ସେଠୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଆଇଟି। ସରୋଜ ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା। ଏ କଥା ସେ ନିଜେ ସ୍ବୀକାର କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ ସରୋଜ କାହିଁକି ସନ୍ଦେହ ଘେରକୁ ଆସିଲା ତାହା ବି ବୋଥ୍ରା ସ୍ପଷ୍ଟ କରିଛନ୍ତି।

ବୋଥ୍ରା କହିଛନ୍ତି, ଜୁଲାଇ ୧୪ ତାରିଖରେ ପରୀକୁ ହତ୍ୟା କରାଯାଇଥିଲା। ଲକ୍‌ଡାଉନ ଯୋଗୁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ। ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସବୁ ଟିକିନିଖି ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା। ତେଣୁ ତା’ ଉପରେ ସନ୍ଦେହ ହୋଇଥିଲା।

ସେହିପରି ତା’ ମୋବାଇଲ ଲକ୍‌ ଖୋଲିବାରୁ ଗୋଟେ ପପ୍‌ଅପ୍‌ ଆସିଥିଲା। ପପ୍‌ଅପ୍‌ ଥିଲା, ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସମ୍ପର୍କିତ ଖବର। କୌଣସି ଏକ ଜାଗାରେ ଘଟିଥିବା ଏହି ଖବରକୁ ସରୋଜ ଦେଖିଥିଲା। ପୂର୍ବରୁ ସେ ଏହାକୁ ଦେଖିଥିବାରୁ ମୋବାଇଲ ଅନ୍‌ କରୁ କରୁ ପପ୍‌ଅପ୍‌ ଆସିଥିଲା। ସରୋଜକୁ ନାବାଳିକା କଥା କହିବାରୁ ସେ ଆମକୁ ପ୍ରମାଣ ମାଗିଥିଲା। ଅନ୍ୟପଟେ ଗାଁର ଅଧିକାଂଶ ଲୋକ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇଥିଲେ। କିନ୍ତୁ ସରୋଜ ପ୍ରଥମରୁ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇ ନ ଥିଲା। ପଲିଗ୍ରାଫ ପାଇଁ ରାଜି ନ ହେଲେ ତା’କୁ ହିଁ ଅଭିଯୁକ୍ତ ଭାବେ ଧରାଯିବ ବୋଲି କହିବାରୁ ସେ ରାଜି ହୋଇଥିବା ବୋଥ୍ରା କହିଛନ୍ତି।

ବୋଥ୍ରା ଆହୁରି କହିଛନ୍ତି, ପରୀ ହତ୍ୟା ମାମଲାର କୌଣସି ପ୍ରତ୍ୟକ୍ଷ ସାକ୍ଷୀ ନାହାନ୍ତି। ଆମକୁ ସାଇଣ୍ଟିଫିକ୍‌ ପ୍ରମାଣ ମିଳିଛି। ମୃତଦେହ ନିକଟରୁ ମିଳିଥିବା ନଡ଼ିଆ ବାହୁଙ୍ଗାର ପରୀକ୍ଷା କରାଯିବ। ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ହେବ। ପରୀକ୍ଷା ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଦାଖଲ କରାଯିବ। ସରୋଜ ଦୋଷ ସ୍ବୀକାର କରିଥିବା ସମୟର ଭିଡିଓ ଏବଂ ଅଡିଓ ରେକର୍ଡ ହୋଇଛି। ଏସଆଇଟି ଛଡ଼ା ଅନ୍ୟ ୨ ଜଣଙ୍କ ଆଗରେ ସେ ଦୋଷ ସ୍ବୀକାର କରିଛି। ସେ ମୋବାଇଲରୁ ଡିଲିଟ କରିଦେଇଥିବା ତଥ୍ୟକୁ ରିକଭରି କରିବାକୁ ଉଦ୍ୟମ ଚାଲିଛି।

ସେହିପରି ମୃତଦେହରୁ ଲେଗିଙ୍ଗ୍‌ସ ଗାଏବ ଥିଲା। ଲେଗିଙ୍ଗ୍‌ସ ଖୋଜିବା ଲାଗି ପୋଖରୀ ଶୁଖାଯାଉଛି। ଏହାବ୍ୟତୀତ ମୃତହେଦ ପାର୍ଶ୍ଵରୁ ଫ୍ରକ୍‌ ମିଳିଥିଲା। ଫ୍ରକ୍‌ର ବାହାର ପଟ ମଇଳା ଥିବାବେଳେ ଭିତର ପଟ ସଫା ଥିଲା। ଫ୍ରକ୍‌ ଉପରେ ସିମେନ ମିଳିଥିଲା। ଏସବୁ ତଥ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ବୋଲି ବୋଥ୍ରା କହିଛନ୍ତି।

Comments are closed.