ପୁଣି ବ୍ରିଟେନ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ୍‌

ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ଶୁକ୍ରବାର ପ୍ରକାଶ ପାଇବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଫଳାଫଳରୁ ମୋଟ ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟିକୁ ୨୫୦ ଆସନରେ ବିଜୟ ମିଳିଛି। ଅନ୍ୟପଟେ ବିରୋଧୀ ଲେବର ପାର୍ଟିକୁ ୧୮୩ ଆସନରେ ବିଜୟଲାଭ ମିଳିଛି। ଫଳରେ ବୋରିସ ଜନସନ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଏକଜିଟ୍‌ ପୋଲ ଅନୁସାରେ କଞ୍ଜରଭେଟିଭ ପାର୍ଟିକୁ ୩୬୮ ଏବଂ ଲେବର ପାର୍ଟିକୁ ୧୯୧ ଆସନରେ ବିଜୟ ମିଳିପାରେ ବୋଲି ଆକଳନ କରାଯାଇଛି।

ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପାଇବା ପରେ ବୋରିସ ଜନସନ ଟ୍ବିଟ୍‌ କରି ଏହି ବିଜୟ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବ୍ରିଟେନ ବିଶ୍ଵର ସବୁଠାରୁ ମହାନ ଲୋକତନ୍ତ୍ର। ଯେଉଁମାନେ ଆମ ପାଇଁ ଭୋଟ ଦେଇଛନ୍ତି, ଯେଉଁମାନେ ଆମର ପ୍ରାର୍ଥୀ ହୋଇଛନ୍ତି, ସମସ୍ତଙ୍କୁ ଶୁଭେଚ୍ଛା ବୋଲି ଜନସନ୍‌ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଲେବର ପାର୍ଟିର ପରାଜୟ ନିଶ୍ଚିତ ହେବା ପରେ ଦଳର ପ୍ରତିନିଧିତ୍ଵ କରୁଥିବା ଜେରେମି କାର୍ବିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଆଗକୁ କୌଣସି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ମତଦାତାମାନେ ଦେଶର ଐତିହାସିକ ଏବଂ ନିର୍ଣ୍ଣାୟକ ସାଧାରଣ ନିର୍ବାଚନ ପାଇଁ ମତଦାନ କରିଥିଲେ। ୟୁରୋପୀୟ ସଂଘରୁ ବ୍ରିଟେନ ବାହାରିଯିବା ପରେ ଦେଶର ଭବିଷ୍ୟତ କିପରି ହେବ, ବ୍ରେକଜିଟ୍‌କୁ ନେଇ ଲୋକଙ୍କ ମାନସିକତା କିପରି ରହିଛି, ଏ ସମସ୍ତ ପ୍ରସଙ୍ଗରେ ନିଆଯିବାକୁ ଥିବା ପଦକ୍ଷେପ ମଧ୍ୟ ଏହି ନିର୍ବାଚନ ଜରିଆରେ ହେବ। ତେବେ ବର୍ତ୍ତମାନ ସୁଦ୍ଧା ଏକଜିଟ୍‌ ପୋଲ ଆକଳନ ସମ୍ପୂର୍ଣ୍ଣ ରୂପେ ବୋରିସ ଜନସନଙ୍କ ସପକ୍ଷରେ ଯାଇଛି। ଜନସନଙ୍କ କଞ୍ଜରଭେଟିଭ ପାର୍ଟିକୁ ୩୬୮, ଲେବର ପାର୍ଟିକୁ ୧୯୧, ସ୍କଟିସ ନ୍ୟାଶନାଲ ପାର୍ଟିକୁ ୫୫, ଲିବେରାଲ ଡେମୋକ୍ରାଟ୍‌ସକୁ ୧୩ ଆସନରେ ବିଜୟ ମିଳିବ ବୋଲି ଏକଜିଟ୍‌ ପୋଲରେ ପୂର୍ବାନୁମାନ କରାଯାଇଛି।

Comments are closed.