ବହିପ୍ରେମୀଙ୍କ ପସନ୍ଦ ଇ-ବୁକ୍‌, ଗ୍ରାହକ ଅପେକ୍ଷାରେ ଦୋକାନୀ !

ସାରନଗରୀ: ପୁସ୍ତକ ମନୁଷ୍ୟର ଅନ୍ତରଙ୍ଗ ବନ୍ଧୁ । ଦିନଥିଲା ଗପ ବହି ଖଣ୍ଡିଏ ପଢୁ ପଢୁ ଆଖିରେ ନିଦ ଆସି ଯାଉଥିଲା । ବହି ବଜାରର ଚାହିଦା ପୁରାତନ କାଳରୁ ହାଇଟେକ ଯୁଗ ଯାଏ ସର୍ବାଗ୍ରେ ରହିଛି । ପାଠ୍ୟ ପୁସ୍ତକ ଜଣେ ବିଦ୍ୟାର୍ଥୀ ପାଇଁ ଜରୁରୀ ଆବଶ୍ୟକତା କହିଲେ ବୋଧେ ଭୁଲ ହେବ ନାହିଁ । ବହିର ଚାହିଦା ନା କେବେ କମିଥିଲା ନା କେବେ କମିବ । ସେ ଗପ ବହି ହେଉକି, ପଢା ବହି ଅବା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ବହି । ବହି ପ୍ରତି ସମସ୍ତଙ୍କ ଆଗ୍ରହ ଏବେବି ଅତୁଟ ରହିଛି । କିନ୍ତୁ ବହି ପଢିବାର ମାଧ୍ୟମ ବଦଳି ଯାଇଛି । ପୂର୍ବରୁ ଅନେକ ବହିକୁ ହାତରେ ଧରି ପଢୁଥିବ ବେଳେ ଏବେ ଅନଲାଇନରେ ଇ-ବୁକ ପଢିବାକୁ ଆଗ୍ରହ ପ୍ରକାଶ ପାଉଛି । ବହି ବଜାରରେ ପୁରୁଣା ବହି ବିକ୍ରେତାଙ୍କୁ  ମିଶାଇ  ରାଉରକେଲାରେ ପାଖାପାଖି ୨୦୦ଟି ବହି ଦୋକାନ ରହିଥିବା ବେଳେ, ଦକ୍ଷିଣ ରାଉରକେଲାରେ ୧୫ଟି ବହି ଦୋକାନ ରହିଛି ।  କରୋନା ସଂକ୍ରମଣ ଭୟରେ ଦୋକାନକୁ ଯାଇ ବହି କିଣି ପଢିବା ଅପେକ୍ଷା ଇ- ବୁକ ପଢିବାକୁ ଅନେକଙ୍କ ଆଗ୍ରହ ବଢିଛି । ବାହାରକୁ ଗୋଡ଼ କାଢିଲେ କରୋନାର ଭୟ । ଯାହାଦ୍ୱାରା ବହି ପ୍ରେମୀମାନେ ବହି କିଣି ପଢିବା ଅପେକ୍ଷା ଇ- ବୁକ୍ ପଢିବାକୁ ଆଗ୍ରହୀ ହେଉଛନ୍ତି । ଅନଲାଇନରେ ବିଭିନ୍ନ ଇ- ବୁକ, ଇ- କଂଟେଂଟ ପଢିବା ସହ ବିଭିନ୍ନ ବିଷୟର ଭିଡ଼ିଓ ଓ ଅଡ଼ିଓ କ୍ଲିପ୍ ମଧ୍ୟ ଶୁଣୁଛନ୍ତି । ସେହିପରି ସିଧାସଳଖ ଦୋକାନକୁ ଯାଇ ବହି କିଣିବା ଅପେକ୍ଷା ଲୋକମାନେ ଅନଲାଇନରେ ବହି ଅର୍ଡ଼ର କରୁଛନ୍ତି । ବହୁ ବ୍ୟକ୍ତି ଅନଲାଇନ ଅର୍ଡ଼ରକୁ ଅଧିକ ପସନ୍ଦ କରୁଛନ୍ତି । ବିଭିନ୍ନ ୱେବସାଇଟରୁ ନିଜ ମନପସନ୍ଦର ଗପବହି ଉପନ୍ୟାସ, କବିତା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି ଅର୍ଡ଼ର କରୁଛନ୍ତି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବହି ବ୍ୟବସାୟ ଉପରେ । ୟୁ-ଟ୍ୟୁବ ଚ୍ୟାନେଲ ପିଲାଙ୍କ ଆଦୃତ ହୋଇଛି । ମୋର ଇଚ୍ଛା ଥିଲା ଯେ, କିପରି ପିଲାମାନଙ୍କ ପାଇଁ ଜଣେ ଅନଲାଇନ ଗୁରୁ ଭାବରେ ନିଜକୁ ଉପସ୍ଥାପିତ କରିବି । ଆଉ କରୋନା ମୋତେ ଏହି ସୁଯୋଗ ଆଣି ଦେଇଛି ।

ଗ୍ରାମାଂଚଳ ଓ ସହରାଚଂଳର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମହାମାରୀ ସମୟରେ ଅନଲାଇନ ଶିକ୍ଷା ବେଶ ଜରୁରୀ ହୋଇ ପଡ଼ିଛି । ତେଣୁ ୟୁ-ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ମୋର ଏହି ପ୍ରୟାସ ଯେ ପିଲାମାନେ କିପରି ନିଜକୁ ଅସହାୟ ମନେ ନ କରି ଏପରି ସୁଯୋଗର ପୁରା ଫାଇଦା ଉଠାନ୍ତୁ ବୋଲି କହିଛନ୍ତି ଅଭିଭାବିକା ସନ୍ତୋଷିନୀ ବେହେରା । କରୋନା ପୂର୍ବରୁ ଅର୍ଥାତ  ଗତ ମାର୍ଚ୍ଚ ମାସରୁ ବହି ବେପାରରେ ସେତେଟା ପ୍ରଭାବ ପଡ଼ି ନଥିଲା । ତା’ ପୂର୍ବରୁ ଲୋକମାନେ ଇ- ବୁକ ପଢିବାକୁ ଆଗ୍ରହୀ ହେଉଥିଲେ, କିନ୍ତୁ ତାହା ସହ ବହି ମଧ୍ୟ ପଢୁଥିଲେ । କରୋନା କଟକଣା ପାଇଁ ୬ ମାସ ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ବହି ଦୋକାନ ଖୋଲିଛି । ତେବେ କରୋନା ସଂକ୍ରମଣ ଭୟରେ ଲୋକେ ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରୁଛନ୍ତି । ତେଣୁ ବହି ବଜାରରୁ ବହି କିଣିବା ପରିବର୍ତେ, ଅନଲାଇନରେ ବହି ମଗାଇବାକୁ ପସନ୍ଦ କରୁଛନ୍ତି । ଯଦିଓ ବହି ବଜାରରୁ ଲୋକେ ବାଛିବାଛି ବହି କିଣିବାକୁ ପସନ୍ଦ କରନ୍ତି, କିନ୍ତୁ ଏସମୟରେ ନିଜର ନିରାପତା ଦୃଷ୍ଟିରୁ ଲୋକେ ଅନଲାଇନରେ ବହି ଅର୍ଡର ଦେବାକୁ ଅଗ୍ରାଧିକାର ଦେଉଛନ୍ତି ।  ସାରନଗରୀରେ ଦୀର୍ଘ ୩୫ ବର୍ଷ ହେଲା ବହି ବିକ୍ରି କରି ଆସୁଥିବା ରମେଶ ପୃଷ୍ଟି ପ୍ରକାଶ କରିଛନ୍ତିଯେ, କରୋନା କାଳରେ  ବହିଟିଏ ବିକ୍ରି ହେଲା ବେଳକୁ ବେଳେବେଳେ ସଂଧ୍ୟା ହୋଇ ଯାଉଛି । ଲାଗୁଛି ଯେମିତି ନୂଆ କରି ବହି ଦୋକାନ ଖୋଲିଛୁ । ୨୫ ବର୍ଷ  ପଛକୁ ଫେରିଯିବା ପରି ପ୍ରତୀୟମାନ ହେଉଛି । ୯୦ ପ୍ରତିଶତ ବହି ବେପାର କମି ଯାଇଛି ।  ଅପରପକ୍ଷରେ ବହି ଖଣ୍ଡିଏ କିଣିବାକୁ ଯେଉଁଠି  ବହି ଦୋକାନରେ ଦିନେ ଗହଳି ଲାଗୁଥିଲା, ଆଜି ସେଠି  ଏବେ କାଁଭାଁ ପାଦ ପଡୁଛି । ବଜାରକୁ ବହି ନ ଆସୁଣୁ ଗପ ଓ ପତ୍ରିକା ପ୍ରେମୀ ମାନେ ଯାଇ ପଚାରି ବୁଝୁଥିବା ବେଳେ, ଆଜି ବହି ବଜାର ପାଠକ ଶୂନ୍ୟ ହୋଇ ପଡ଼ିଛି । ବହି ବଜାର ଅଲୋଡ଼ା ହୋଇ ପଡ଼ିଥିବା ବେଳେ, ଲାଗି ଯାଇଛି କରୋନାର କଳା ନଜର! ଥାକଥାକ ହୋଇ ବହି ସିନା ସଜା ହୋଇଛି, ମାତ୍ର ବହି କିଣିବାକୁ ଆଉ ଲୋକଙ୍କ ଭିତରେ ସଉକ ନାହିଁ । କରୋନା ମାଡ଼ରେ ଉଜୁଡ଼ି ଯାଇଛି ବହି ବଜାର ।  ବହି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ବହି ଦୋକାନୀ ମାନେ ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି ।

Comments are closed.