ମେଟ୍ରୋ କାର୍‍ ସେଡ୍‍ ଗଛ କଟା ପ୍ରସଙ୍ଗ – ମିଳିଲାନି ରହିତାଦେଶ, ୨୯ ଗିରଫ

ମୁମ୍ବାଇ: ମୁମ୍ବାଇର ଏକ ପ୍ରମୁଖ କଲୋନୀ ଆରେ ଠାରେ ଏକ ମେଟ୍ରୋ କାର୍‍ ସେଡ୍‍ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଡ଼ୁଥିବା ଗଛକଟା ଉପରେ ରହିତାଦେଶ ଜାରି କରିବାପାଇଁ ହୋଇଥିବା ଏକ ଆବେଦନକୁ ଶନିବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଅଞ୍ଚଳରେ ମୁମ୍ବାଇ ମେଟ୍ରେ ରେଲ୍‍ କର୍ପୋରେସନ୍‍ ଲିମିଟେଡ୍‍ – ଏମ୍‍.ଏମ୍‍.ଆର୍‍.ସି.ଏଲ୍‍. ଏହି ପ୍ରକଳ୍ପ ପାଇଁ ୨ ହଜାର ୬୫୬ଟି ଗଛ କଟା ଅଭିଯାନ ଉପରେ ସ୍ଥଗିତାଦେଶ ଲୋଡ଼ି କେତେକ ସବୁଜ ପରିବେଶ କର୍ମକର୍ତ୍ତା ସାନି ଆବେଦନ କରିଥିଲେ। ଗଛ କାଟିବାକୁ ମୁମ୍ବାଇ ମହାନଗର ନିଗମ ବୃକ୍ଷ ପ୍ରାଧିକରଣର ଅନୁମତି ପ୍ରଦାନ ନିଷ୍ପତ୍ତି ବିରୋଧରେ ଗତକାଲି ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଓ କର୍ମକର୍ତ୍ତାମାନଙ୍କଦ୍ୱାରା ଆଗତ ୪ଟି ପିଟିସନ୍‍କୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଗତକାଲି ବିଳମ୍ବିତ ରାତିରୁ ଏମ୍‍.ଏମ୍‍.ଆର୍‍.ସି.ଏଲ୍‍.ଦ୍ୱାରା ଆରମ୍ଭ ହୋଇଥିବା ଗଛକଟା ଅଭିଯାନକୁ ନେଇ ବହୁ ସବୁଜ ପରିବେଶ କର୍ମକର୍ତ୍ତା ଓ ଜନସାଧାରଣଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବାପାଇଁ ଗୋଟିଏ ସପ୍ତାହ ସମୟ ମାଗି ଆବେଦନକାରୀମାନେ ସେହି ସମୟ ପର୍ଯ୍ୟନ୍ତ ଗଛକଟା ଉପରେ ରହିତାଦେଶ ଜାରି କରିବାପାଇଁ ସେମାନଙ୍କ ଆବେଦନରେ ଦର୍ଶାଇଥିଲେ। ଆଜି ୬ ଜଣ ମହିଳାଙ୍କ ସମେତ ୨୯ ଜଣ ଲୋକଙ୍କୁ ଗଛକଟା ଅଭିଯାନର ବିରୋଧ ପାଇଁ ଗିରଫ କରାଯାଇଛି।

Comments are closed.