ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ବୋମାମାଡ଼, ଯୁବକ ଗୁରୁତର

ଜଗତସିଂହପୁର : ଜଗତସିଂହପୁର ଥାନା ଅଧୀନ ପଲ୍ଲୀ ଠାରେ ସୋମବାର ସଂଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି। ଏଥିରେ ପ୍ରଭାତ ଗାଆଣ ନାମକ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇ ମେଡିକାଲରେ ଭର୍ତ୍ତୀ ହୋଇଛି। ପଲ୍ଲୀର ପ୍ରଭାତ ଗାଆଣ ଓ କାଠସିଙ୍ଗିପୁର ନିକଟ ଅନଗଡ ଗ୍ରାମର ହାପୁ ନାମକ ୨ଜଣ ପୂର୍ବରୁ ସାଙ୍ଗ ଥିଲେ। ତେବେ ଅଲଣାହାଟ ଅଞ୍ଚଳର ଜଣେ ଯୁବତୀକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଝିଅଟି ପ୍ରଭାତକୁ ଭଲ ପାଉଥିଲା ବେଳେ ହାପୁ ତାକୁ ଭଲପାଇବାକୁ ଚାହୁଁଥିଲା। ହାପୁ ସେମାନଙ୍କ ଭିତରେ ପଶି ହଇରାଣ କରିବା ଯୋଗୁ ଗତ ୬/୭ଦିନ ତଳେ ହାପୁକୁ ଡାକି ନେଇ କିଛି ଯୁବକ ପ୍ରବଳ ମାଡ ମାରିଥିଲେ। ଏଥିରେ ହାପୁର ନାକ ହାଡ ଭାଙ୍ଗି ଯାଇଥିଲା ଓ ସେ କଟକରେ ଯାଇ ଚିକିତ୍ସିତ ହୋଇଥିଲା। ଏହି ଘଟଣା ୩/୪ଦିନ ମଧ୍ୟରେ ଆପୋଷ ସମାଧାନ ହେବା ପାଇଁ ସ୍ଥିର ହୋଇଥିଲା। ମାତ୍ର ନାକ ହାଡ ଭାଙ୍ଗିବା ଯୋଗୁ ରାଗରେ ଥିବା ହାପୁ ତାର ଜଣେ ସାଙ୍ଗକୁ ନେଇ ସଂଧ୍ୟାବେଳେ ପ୍ରଭାତ ଝାଡା ଯାଇଥିବା ସମୟରେ ପୋଖରି କୂଳରେ ତା ଉପରକୁ ବୋମାମାଡ କରିଥିଲେ। ବୋମାମାଡରେ ପ୍ରଭାତର ଉଭୟ ଗୋଡ ଯୋରରେ ଖଣ୍ଡିଆ ଖାବରା ହୋଇଯାଇଛି। ପ୍ରଭାତକୁ ସଙ୍ଗେ ସଙ୍ଗେ ଜଗତସିଂହପୁର ମେଡିକାଲରେ ଭର୍ତ୍ତୀ କରାଯାଇଛି। ଖବରପାଇ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।