ଦୁର୍ଘଟଣାଗ୍ରସ୍ତ ବାଇକରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

ଖଲ୍ଲିକୋଟ : ବୋମାଧରି ଯାଉଥିବା ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣକର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆ ଫାସୁଳା ଗ୍ରାମରୁ  ଭରସା ପେଟ୍ରୋଲ ଟାଙ୍କି ଅଭିମୁଖେ ଯାଉଥିବା ବାଇକଟି ଆଜି ଅପରାହ୍ନରେ ନିର୍ମଳଝରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ବାଇକ ଆରୋହୀ ଧରିଥିବା ବୋମା ଭର୍ତ୍ତି ବ୍ୟାଗଟି ବିସ୍ଫୋରିତ ହୋଇଥିଲା। ବୋମା ବିସ୍ଫୋରଣରେ  ବାଇକ ଆରୋହୀ ୧୦୦ ମିଟର ଦୂରକୁ ଛିଟିକି ପଡି ପ୍ରାଣ ହରାଇଛି। ତାଙ୍କ ସହ ରହିଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆ ଫାସୁଳା ଗ୍ରାମର କବି ମହାରଣାଙ୍କ ପୁଅ ମଣ୍ଟୁ ମହାରଣା (୨୨) ତାଙ୍କ ବାଇକ  ( ନଂ ଆରଓ ୧୮୦ ) ଯୋଗେ ଘରୁ ବାହାରିଥିଲେ। ନିକଟସ୍ଥ ନୂଆ ଫାସୁଳା ଗ୍ରାମର ଏକ ବୁଦାରୁ ବ୍ୟାଗଭର୍ତ୍ତି ବୋମା ଧରି  ତୁଳସୀପୁର ଗ୍ରାମକୁ ଯାଇଥିଲେ। ସେଠାରୁ ବଇଁଶୀ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନଙ୍କୁ ସାଥିରେ ନେଇ ଭରସା ପେଟ୍ରୋଲ ଟାଙ୍କି ଅଭିମୁଖେ ଯାଉଥିଲେ।  ନିର୍ମଳଝର ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଟ୍ରାଫିକ ଚଉତରାକୁ ଧକ୍କା ଖାଇଥିଲା। ମଣ୍ଟୁ  ମହାରଣା ପଛ ପଟେ ରଖିଥିବା ବୋମା ଭର୍ତ୍ତି ବ୍ୟାଗଟି ବିସ୍ଫୋରିତ ହୋଇଯିବାରୁ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ୧୦୦ ମିଟର ଦୂରକୁ ଛିଟିକି ପଡିଥିଲା।   ପ୍ରଚଣ୍ଡ ବିସ୍ଫୋରଣରେ ମଣ୍ଟୁର ଏକ ହାତ ମଧ୍ୟ ଛିଣ୍ଡି ଯାଇଛି। ଆହତ ହୋଇଥିବା ସିଲୁ କୌଣସି ମତେ ଦୁର୍ଘଟଣାଗ୍ରସ୍ତ ବାଇକକୁ ଉଦ୍ଧାର କରି  ମୃତ ମଣ୍ଟୁର ଘରକୁ ଖବର କରିଥିଲା। ପରେ ପ୍ରାଥମିକ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜେ ଭର୍ତ୍ତି ହୋଇଥିଲା। ଖବର ପାଇ  ଛତ୍ରପୁର ଡିଏସପି ଉତ୍କଳକେଶରୀ ଦାସ, ଏସଡିପିଓ ଗୌତମ କିସାନ , ସେକେଣ୍ଡ ଅଫିସର ସୁଶାନ୍ତ ପ୍ରଧାନ , ରମ୍ଭା ଥାନା ଅଧିକାରୀ ଓ ଛତ୍ରପୁର ଆଅୋଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।  ପାରିବାରିକ ହିଂସା କାରଣରୁ ପ୍ରତିଶୋଧପରାୟଣ ହୋଇ  ବୋମା ବ୍ୟବହାର କରିବାକୁ ମୃତ ମଣ୍ଟୁ ନିଜ ପାଖରେ ରଖିଥିବା ସନ୍ଦେହ କରାଯାଇଛି ।

Comments are closed.