କୋକେନ୍‌ ସହ ଗିରଫ ହେଲେ ପ୍ରସିଦ୍ଧ ବଲିଉଡ୍‌ ମେକ୍‌ଅପ୍‌ ଆର୍ଟିଷ୍ଟ

ମୁମ୍ବାଇ: କୋକେନ୍‌ ରଖିବା ଅଭିଯୋଗରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ବଲିଉଡ୍‌ର ଜଣେ ପ୍ରସିଦ୍ଧ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ସୁରଜ ଗୋଡାମ୍ବେ। ବଲିଉଡ୍‌ର ଏକ ଆଗଧାଡ଼ିର ପ୍ରଡକ୍ସନ ହାଉସ୍‌ର ମେକ୍‌-ଅପ୍‌ ବିଭାଗରେ ସେ ମୁଖ୍ୟ (ଏଚଓଡି) ଭାବେ କାର୍ଯ୍ୟ କରନ୍ତି।

Image Courtesy: pepping moon

ଲୋକପ୍ରିୟ ଚଳଚ୍ଚିତ୍ର ଥ୍ରୀ-ଇଡିଅଟ୍‌ସ(୨୦୦୯), ଫିୟରଲେସ୍‌(୨୦୧୦) ଏବଂ ତନୁ ୱେଡ୍‌ସ ମନୁ ରିଟର୍ନ୍ସ(୨୦୧୫)ରେ କାର୍ଯ୍ୟ କରିଛନ୍ତି। ଗତ ବୁଧବାର ଏନସିବି ମୁମ୍ବାଇର ଜଣେ ବଡ଼ ଡ୍ରଗ୍ସ ବ୍ୟବସାୟୀ ଆଜମ ଶେଖ୍‌ ଜୁମାନଙ୍କୁ  ଗିରଫ କରିଥିଲା। ଲୋଖଣ୍ଡୱାଲାସ୍ଥିତ ମିଲଟ ନଗରରେ ଥିବା ଜୁମାନଙ୍କ ବାସଭବନରେ ଏନସିବି ଚଢ଼ାଉ କରି ସେଠାରୁ ୫ କିଲୋଗ୍ରାମ ଓଜନର ଗଞ୍ଜେଇ କଲି ସହିତ ୧୪ ଲକ୍ଷ ଟଙ୍କା ଜବତ କରିଥିଲା।

ଏହା ପରେ ଗୋଡାମ୍ବେଙ୍କୁ ଏନସିବି ଗିରଫ କରିଛି। ଉଭୟଙ୍କ ମଧ୍ୟରେ କିଛି ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଜୁମାନ ଗିରଫ ହେବା ପରେ ଦେଶରେ ଏକ ବଡ ଡ୍ରଗ୍ସ କାରବାର ରାକେଟ୍‌ ଚାଲିଥିବା ଅନୁମାନ କରାଯାଉଛି। ଗୁରୁବାର ଜୁମାନଙ୍କ ସହିତ ଗୋଡାମ୍ବେଙ୍କୁ କୋର୍ଟରେ ହାଜର କରାଯିବ।

ଅନ୍ୟପଟେ ଆଉଜଣେ ଡ୍ରଗ୍ସ ବ୍ୟବସାୟୀ ରେଗେଲ ମହାକାଳ ଗିରଫ ହେବା ପରେ ବୁଧବାର ଦୁଇ ଦିନ ପାଇଁ ଏନସିବି ହାଜତକୁ ପଠାଇ ଦିଆଯାଇଛି। ମହାକାଳର ନାମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ରହିଛି।

Comments are closed.