ପୂଜା ପୂର୍ବରୁ ପୁଲିସକୁ ଖୋଲା ଚ୍ୟାଲେଞ୍ଜ- ରାତିରେ ମାତିଲେ ଲୁଟେରା, ଖଣ୍ଡାରେ ହାଣି ଲୁଟିଲେ

ବଲାଙ୍ଗିର :ବଲାଙ୍ଗିର ନୂଆ ବସ୍‌ ଟର୍ମିନାଲରୁ ମନୋହରପୁର ପୁଲିସ ପଡ଼ିଆ ପଛପଟେ ଲୁଟେରାଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଶୁକ୍ରବାର ମଧ୍ୟ ରାତିରେ ୪ଜଣ ଲୁଟେରା ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ(ଏସ୍‌ଆଇଏଚ୍‌ଏମ୍‌)ର ୨ଜଣ କର୍ମଚାରୀଙ୍କୁ ଆକ୍ରମଣ ସହ ଲୁଟପାଟ କରିଛନ୍ତି । ୨ଆହତଙ୍କୁ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି । ଆଗକୁ ପୂଜା ଆସୁଥିବା ବେଳେ ବଲାଙ୍ଗିର ସହରରେ ଚୋର ଓ ଲୁଟେରା ମାତିଛନ୍ତି । ଅପରାଧ ଘଟାଇ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ।

ଗୋଟିଏ କି ଦୁଇଟି ନୁହେଁ, ସବୁଦିନ ବଲାଙ୍ଗିର ସହରରେ ଚୋରି ପରେ ଚୋରି ହେଉଛି । ଲୁଟ୍‌ପାଟ ହେଉଛି । ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରି ପଇଁତରା ମାରୁଛି । ତମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ନ୍ୟାୟରେ ଚୋର ଓ ଲୁଟେରା ପୁଲିସକୁ ନାକେଦମ୍‌ କଲେଣି । ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟାପକ ସାହିଲ ସାହୁ ନୂଆ ବସ୍‌ ଟର୍ମିନାଲ ଦେଇ ଷ୍ଟେସନକୁ ଯିବାକୁ ବାହାରିଥିଲେ । ବସ୍‌ ଟର୍ମିନାଲ ନିକଟରେ ୨ଟି ବାଇକ୍‌ରେ ୪ଜଣ ଯୁବକ ଆସିଥିଲେ । ମୁହଁରେ ଲାଇଟ୍‌ ପଡୁଥିବାରୁ ଅଧ୍ୟାପକ ଶ୍ରୀ ସାହୁ ବାଇକ୍‌ ଅଟକାଇ ଦେଇଥିଲେ । ପଛପଟୁ ଯୁବକମାନେ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଅଧ୍ୟାପକ ଶ୍ରୀ ସାହୁଙ୍କୁ ଷ୍ଟେସନରେ ଛାଡିବା ପାଇଁ ସହକର୍ମୀ ବି.ବିଜୟ କିରଣ ଅପେକ୍ଷା କରିଥିଲେ । ଅଧ୍ୟାପକ ଶ୍ରୀ ସାହୁ ବି.ବିଜୟ କିରଣଙ୍କ ଘରେ ବାଇକ୍‌ ରଖିବେ । ବି.ବିଜୟ କିରଣ ତାଙ୍କୁ ଷ୍ଟେସନରେ ଛାଡି ଆସିବେ ବୋଲି ପୂର୍ବରୁ କଥା ହୋଇଥିଲେ । କିନ୍ତୁ ଲୁଟେରାଙ୍କ ଲୁଟ୍‌ ଉଦ୍ୟମ ପରେ ବାଇକ୍‌ ଚଳାଇ ସେଠାରୁ ଆଗକୁ ବଢି ଯାଇଥିଲେ ଅଧ୍ୟାପକ ଶ୍ରୀ ସାହୁ । ଲୁଟେରାମାନେ ପିଛା କରିଥିଲେ । ବି.ବିଜୟ କିରଣଙ୍କ ଘର ନିକଟରେ ଅଧ୍ୟାପକ ଶ୍ରୀ ସାହୁ ଅଟକି ଥିଲେ ଆଉ ପଛେ ପଛେ ଆସି ଗାଡି ଲଗାଇ ଲୁଟେରା ଘେରି ଯାଇଥିଲେ । ଖଣ୍ଡାରେ ବି.ବିଜୟ କିରଣଙ୍କୁ ଆକ୍ରମଣ କରିଥିଲେ । ବାଁ ହାତ ଆଙ୍ଗୁଠିରେ ଚୋଟ ବାଜିଥିଲା । ଅଧ୍ୟାପକ ଶ୍ରୀ ସାହୁଙ୍କ ବାଇକ୍‌ ଓ ବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ବ୍ୟାଗ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ । ବାଇକ୍‌ ତଳେ ପକାଇ ଦେଲେ । କିନ୍ତୁ ଲୁଟେରାମାନେ ବି.ବିଜୟ କିରଣଙ୍କ ବାଇକ୍‌ ଚାବି ଓ ମୋବାଇଲ୍‌ ଲୁଟି ଚମ୍ପଟ ମାରିଥିଲେ । ଖବର ପାଇ ସହଯୋଗୀମାନେ ଆସିଥିଲେ । ମୁଣ୍ଡରେ ଆଘାତ ଲାଗିଥିବା ଶ୍ରୀ ସାହୁ ଓ ଆଙ୍ଗୁଠି କଟି ଯାଇଥିବା ବି.ବିଜୟ କିରଣଙ୍କୁ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଧ୍ୟାପକଙ୍କ ଚିକିତ୍ସା ଭୀମ ଭୋଇରେ ଚାଲିଥିବା ବେଳେ ବି.ବିଜୟ କିରଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ରାତିରେ ସହରାଞ୍ଚଳ ପୁଲିସ ପଇଁତରା ମାରୁଛି । ନୂଆ ବସ୍‌ ଟର୍ମିନାଲ, ରାଜୀବ ନଗର, ସାଲେପାଲି ଅଞ୍ଚଳରେ ଲୁଟ୍‌ପାଟ ଓ ଚୋରି ନୂଆ କଥା ନୁହେଁ । ତେଣୁ ରାତ୍ରୀ ପହରାକୁ କଡ଼ାକଡ଼ି କରାଯିବାକୁ ଥାନାରେ ପରାମର୍ଶ ଦିଆଯାଉଛି । କିନ୍ତୁ ଲୁଟେରା ଓ ଚୋରଙ୍କ ଉପରେ ଲଗାମ ଲାଗାଯାଇ ପାରୁ ନାହିଁ । ଶୁକ୍ରବାର ରାତିର ଘଟଣାରେ ସ୍ଥାନୀୟ ଅଞ୍ଚଳର ନିଶାସକ୍ତ ଯୁବକମାନେ ସାମିଲ ଥିବା ପୁଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ଆବଶ୍ୟକୀୟ ସିସି ଟିଭି ଫୁଟେଜ୍‌ ବି ଅଣାଯାଇ ଛାନ୍‌ବିନ ଚାଲିଥିବା ଜଣାପଡିଛି ।

Comments are closed.