ଶୀତଳଷଷ୍ଠୀକୁ ନେଇ ବଲାଙ୍ଗିର ଉତ୍ସବମୁଖର

ବଲାଙ୍ଗିର: ପ୍ରତିବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିରରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଯାତ୍ରାଅନୁଷ୍ଠିତ ହେଉଥିବା ବେଳେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କିଛି କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଆରମ୍ଭ ହୋଇସାରିଥିବା ବେଳେ ଜୁନ ୮ରେ ଦେବ ଦମ୍ପତ୍ତିଙ୍କ ବିବାହ ଓ ୯ରେ ବିବାହ ପରେ ଲେଉଟାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ସହରର ଗାନ୍ଧିନଗରପଡା, ସୁଦପଡା ଓ ରାଧାରାଣୀ ପଡାରେ ଯାତ୍ରା ଆରମ୍ଭ ହୋଇଥିବା ଜଣାପଡିଛି।

ବଲାଙ୍ଗିର ସୁଦପଡା ଶିତଳଷଷ୍ଠୀ କମିଟି ପକ୍ଷରୁ ଏହି ଯାତ୍ରାକୁ ବେଶ ଆଡମ୍ବର ସହ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ଗୁରୁବାର ଦିନ ମା’ ପାର୍ବତୀଙ୍କୁ ସ୍ୱାଗତ କରାଯାଇଥିଲା। ଗାନ୍ଧିନଗରପଡାରେ ଶିବଙ୍କ ମାତାପିତାଙ୍କ ଘର ହୋଇଥିବା ବେଳେ ସୁଦପଡାରେ ମା’ ପାର୍ବତୀଙ୍କ ଘର ରହିଛି। ଫଳରେ ଆସନ୍ତା ୮ ତାରିଖରେ ଗାନ୍ଧିନଗରପଡାରୁ ଦେବାଧିଦେବ ଶିବ ପାର୍ବତୀଙ୍କୁ ବିବାହ ସକାଶେ ବରଯାତ୍ରୀରେ ଆସିବେ। ଏହି ଅବସରରରେ ସୁଦପଡା ପୂଜା କମିଟି ପକ୍ଷରୁ ଦଣ୍ଡନୃତ୍ୟ, ଅକେଷ୍ଟ୍ରା, ପାଲା, ସଂକୀର୍ତ୍ତନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା ୯ ତାରିଖରେ ଶିବଙ୍କ ସହିତ ମା’ ପାର୍ବତୀଙ୍କ ଲେଉଟାଣି ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ କନ୍ୟାପିତାମାତା ଭାବେ ସୁଦପଡାର ବିବେକାନନ୍ଦ ଭୋଇ ଓ କମଲିନୀ ଭୋଇ ଦାୟିତ୍ୱ ନେଇଥିବା ବେଳେ ବରପିତାମାତା ଭାବେ ଗାନ୍ଧିନଗରପଡାର ପୋଲଡିନ ବାରିକ ଓ ଲାବଣ୍ୟବତୀ ପାଣ୍ଡେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଗାନ୍ଧିନଗର ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁ ମଧ୍ୟ ଚଳିତ ବର୍ଷ ଯାତ୍ରା ୩୯ବର୍ଷରେ ପ୍ରଦାର୍ପଣ କରୁଥିବାରୁ ଏହାକୁ କିଭଳି ଆକର୍ଷଣୀୟ କରାଯିବ ସେ ନେଇ କମିଟି ସଦସ୍ୟମାନେ ଉଦ୍ୟମ ଚଲାଇଥିବା ଜଣାପଡିଛି। ଶୀତଳଷଷ୍ଠୀ ଯାତ୍ରା ପାଇଁ ୧୨ ଫୁଟର ମେଢ ଚଳିତ ବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗୁରୁବାର ସ୍ଥାନୀୟ ଲୋକନାଥ ମନ୍ଦିରରୁ ମହାପ୍ରଭୂ ଶିବ କର୍ତ୍ତାଗୃହକୁ ଆଗମନ କରିବେ। ସଂପୂର୍ଣ୍ଣ ଭାବେ ବୈଦିକ ରୀତିନୀତିରେ ୭ ତାରିଖରେ ସମସ୍ତ କାର୍ଯ୍ୟ କରାଯିବ।

ରାଧାରାଣୀପଡାରେ ମଧ୍ୟ ଚଳିତ ବର୍ଷ ଶିତଳଷଷ୍ଠୀ ଯାତ୍ରାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ବର୍ଷ ଆକର୍ଷଣୀୟ ରାଜବଂଶୀ ପରଭା ଓ ମେଢ ମୁଖ୍ୟ ଆକର୍ଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ପବଜି ମୋବାଇଲ ଗେମର ମୃତ୍ୟୁ ବିଭୀଷିକା, ସାମୁଦ୍ରିକ ଝଡ ଫନୀର କରାଲ ରୂପକୁ ନେଇ ଦୁଇଟି ପ୍ରଜ୍ଞାପନ ମେଢ ଲେଉଟାଣି ଶୋଭାଯାତ୍ରାରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.