ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ନିଶା; ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ହକି ଷ୍ଟିକ୍ ବାଲାନ୍ସ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜ ଗୋପାଳ ଭୋଇ ବିଶ୍ବରେ ସବୁଠାରୁ ବେଶୀ ସମୟ ଏକ ଆଙ୍ଗୁଠିରେ ୩ ଘଣ୍ଟା ୩୫ ମିନିଟ୍ ହକି ଷ୍ଟିକ ବାଲାନ୍ସ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି। ଗୁରୁବାର ସ୍ଥାନୀୟ ହରିଭବନଠାରେ ସେ ଏହା ପ୍ରଦର୍ଶନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଗିନିଜ୍ ୱାର୍ଲଡ୍ ରେକର୍ଡ ଗାଇଡ୍‌ଲାଇନ ଅନୁସାରେ ଟାଇମ କିପର୍ ଭାବରେ ବୈଷ୍ଣବ କବାଟ ଏବଂ ଅର୍ଜୁନ ଜାନୀ, ସାକ୍ଷୀ ପ୍ରମାଣ ପାଇଁ ଘନ ସତନାମୀ ଏବଂ ଦୋଳ ନେତ୍ର ମାଝି ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ସତ୍ୟପୀର ପଧାନ ପରିଚାଳନା କରିଥିଲେ। ରାଜଗୋପାଳ କହିଛନ୍ତି, ସତ୍ୟପୀରଙ୍କର ଦ୍ବିତୀୟ ଗିନିଜ ୱାର୍ଲଡ୍ ରେକର୍ଡ ଦେଖି ତାଙ୍କଠୁ ଅନୁପ୍ରେରିତ ହୋଇ ମୋ ମନରେ ରେକର୍ଡ କରିବା ପାଇଁ ଇଛା ହୋଇଥିଲା । ତାପରେ ହକି ଷ୍ଟିକ ବାଲାନ୍ସରେ ରେକର୍ଡ କରିବି ବୋଲି ସ୍ଥିର କଲି। ଦେଢ଼ ବର୍ଷ ହେଲା ମୁଁ ଅଭ୍ୟାସ କରି ଆସୁଛି ବୋଲି କହିଛନ୍ତି । ପୂର୍ବରୁ କର୍ଣ୍ଣାଟକ ରାଜ୍ୟର ହିମାଂଶୁ ଗୁପ୍ତାଙ୍କ ନାମରେ ଏହି ରେକର୍ଡ ରହିଥିଲା। ସେ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ବାଲାନ୍ସ ରଖିଥିଲେ। ଏହି କାର୍ୟ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦନଙ୍କଳ, ବରିଷ୍ଠ କ୍ରୀଡ଼ାବିତ ବିଜୟ ବଂଶଲ, ସନ୍ତୋଷ ଅଗ୍ରୱାଲ, ଅଚ୍ୟୁତ ସାହୁ, କେଦାର କବାଟ, ନିଲକମାଲ ସାହୁ, ଶୁଭେନ୍ଦ୍ର ମହାନ୍ତି, ସତ୍ୟବ୍ରତ ମିଶ୍ର, ଚିନ୍ମୟ ଯୋଶୀ, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଶୁଭେଚ୍ଛା ଜଣାଇଥିଲେ।

Comments are closed.