ପ୍ରେମ ନା ଅନ୍ୟ କିଛି! ସ୍ୱଚ୍ଛ ସାଥୀ ଅଷ୍ଟମୀ ବକୁଳ ହତ୍ୟାକାଣ୍ଡ

ହତ୍ୟାକାରୀକୁ ଧରି ଦୃଶ୍ୟ ପୁନରାବୃତ୍ତି କରାଇଲା ପୁଲିସ

ବଲାଙ୍ଗିର :ବଲାଙ୍ଗିର ସହରର ସଫେଇ ଅଭିଯାନରେ ବ୍ୟବହୃତ ସ୍ୱଚ୍ଛ ସାଥୀ ଗାଡି ଚଳାଉଥିବା ଟିକ୍ରାପଡ଼ାର ଅଷ୍ଟମୀ ବକୁଳଙ୍କୁ ଗତ ଶନିବାର ସଂନ୍ଧ୍ୟାରେ ହତ୍ୟା କରାଯାଇଥିଲା । ରାଜୀବ ନଗର-ବିଜାଖମନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (ଏମ୍‌ସିସି) ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଥିଲା । ରବିବାର ମୃତକ ଅଷ୍ଟମୀଙ୍କ କ୍ଷତାକ୍ତ ଶବ ଉଦ୍ଧାର କରାଯାଇଥିଲା । ସୁରକ୍ଷା ଓ ଅନ୍ୟାନ୍ୟ ୪ ଦଫା ଦାବିରେ ସ୍ୱଚ୍ଛ ସାଥୀମାନେ ସଫେଇ କାର୍ଯ୍ୟ ବନ୍ଦ ରଖିଥିଲେ । ପୌରପାଳିକା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଦିଆଯାଇଥିଲା । ସହରାଞ୍ଚଳ ପୁଲିସ ମାମଲାର ଖୋଳତାଡ କରୁଥିବା ବେଳେ ଜଣଙ୍କୁ ଗିରଫ କରିଛି । ବୁଧୁବାର ପୁଲିସ ହତ୍ୟାକାଣ୍ଡ ସ୍ଥଳକୁ ଅଭିଯୁକ୍ତକୁ ନେଇ କେମିତି ସେ ହତ୍ୟା କଲେ ତାର ଦୃଶ୍ୟ ପୁନରାବୃତ୍ତି କରାଯାଇଛି ।

ଅଷ୍ଟମୀଙ୍କ ଫାଇଲ୍‌ ଫଟୋ

ରାଜୀବ ନଗର-ବିଜାଖମନ ରାସ୍ତା ସନ୍ଧ୍ୟା ହେବା ବେଳକୁ ନିଛାଟିଆ ହୋଇଯାଏ । ଏହି ରାସ୍ତାରେ ନିଶାସକ୍ତ ଓ ଲୁଟେରା ତଥା ଅସାମାଜିକଙ୍କ ଆଡ୍ଡା ପାଲଟେ । ତେଣୁ ଅନେକ ସମୟରେ ସ୍ୱଚ୍ଛ ସାଥୀମାନେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଶୀଘ୍ର ଯାଇ ଫେରି ଆସନ୍ତି । ଶନିବାର ଅଷ୍ଟମୀଙ୍କ ସାଥୀମାନେ କାମକୁ ଯିବେ ନାହିଁ ବୋଲି ମନା କରିଥିଲେ । ସ୍ୱଚ୍ଛ ସାଥୀ ଅଷ୍ଟମୀ ସହରର ଅଳିଆ ଆବର୍ଜନା ଗାଡିରେ ଲଦି ଏମ୍‌ସିସିକୁ ଯାଇଥିଲେ । ସେଠାରେ ଲାଗିଥିବା ସିସି ଟିଭି ଅନୁସାରେ ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ଅଷ୍ଟମୀ ଗାଡି ରଖିବା ପରେ ନିଜ ସାଇକେଲ ଧରି କେନ୍ଦ୍ରରୁ ବାହାରି ଥିଲେ । ଜଣେ ସ୍ୱଚ୍ଛ ସାଥୀ ତାଙ୍କୁ ଫୋନ୍‌ କରିଥିଲେ । ସେ କଥା ହୋଇ ଆସୁଥିଲେ । ‘ଆଉ ଜୀବନରେ ଏମିତି ଭୁଲ କରିବି ନାହିଁ’ ବୋଲି ସେ ଅନ୍ୟଜଣଙ୍କୁ କହୁଥିବା ଫୋନ୍‌ ଲାଇନ୍‌ରେ ଥିବା ସାଥୀ ଶୁଣିଥିଲେ । ତା’ପରେ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା । ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ । ରବିବାର ସକାଳେ ରାସ୍ତା କଡ଼ରେ ଅଷ୍ଟମୀଙ୍କ ଶବ, ସାଇକେଲ ଆଦି ପଡିଥିଲା । ଉପଖଣ୍ଡ ଆରକ୍ଷୀ ଅଧିକାରୀ(ଏସ୍‌ଡିପିଓ) ତୋଫାନ ବାଗ, ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ଓ ଅନ୍ୟମାନେ ଘଟଣାସ୍ଥଳକୁ ଯାଇଥିଲେ । ସାଇଣ୍ଟିଫିକ୍‌ ଦଳ ଆବଶ୍ୟକୀୟ ଦସ୍ତାବେଜ ଜବତ କରି ଆଣିଥିଲେ । ଘଟଣାର ୪ ଦିନ ପରେ ପୁଲିସ ଅଷ୍ଟମୀ ହତ୍ୟାକାଣ୍ଡର ଖିଅ ଖୋଜି ପାଇଛି । ଅଷ୍ଟମୀ ହତ୍ୟାକାଣ୍ଡରେ ବେହେରାପାଲି ଅଞ୍ଚଳର ବାଲେକ ତାଣ୍ଡି ଓରଫ ଗୁଲ୍‌ଠୁ ସଂପୃକ୍ତ ଥିବା ଜଣାପଡିଛି । ବୁଧୁବାର ଅପରାହ୍ନରେ ହତ୍ୟାକାଣ୍ଡ ସ୍ଥାନକୁ ଏସ୍‌ଡିପିଓ ଶ୍ରୀ ବାଗ, ଥାନା ଅଧିକାରୀ ଶ୍ରୀମତୀ ରାଉତରାୟ ଓ ଅନ୍ୟମାନେ ଅଭିଯୁକ୍ତ ଗୁଲ୍‌ଠୁକୁ ଧରି କେମିତି ହତ୍ୟା କଲା ତାର ଦୃଶ୍ୟ ପୁନରାବୃତ୍ତି କରିବାକୁ କହିଥିଲେ । ମିଳିଥିବା ସୂଚନା ଅନୁସାରେ, ଗୁଲ୍‌ଠୁ ସହ ମୃତ ଅଷ୍ଟମୀଙ୍କର ସକାଳେ ଫୋନ୍‌ ଯୋଗେ ପାଟିତୁଣ୍ଡ ହୋଇଥିଲା ।ସମାଜଲାଇଭ୍

ଆଉ ଦିନ ୪ଟାରୁ ସାଢେ ୪ଟା ମଧ୍ୟରେ ଏକ ବସ୍ତାରେ ଖଣ୍ଡା ଧରି ଅଷ୍ଟମୀର ଯିବା ରାସ୍ତାକୁ ଅପେକ୍ଷା କରିଥିଲା ଗୁଲ୍‌ଠୁ । ସେ ଏମ୍‌ସିସିରେ ଗାଡି ରଖି ଫେରିବା ବେଳେ ଫୋନ୍‌ରେ କଥା ହେଉଥିବା ଦେଖିଥିଲା । ତା’ପରେ ଅଷ୍ଟମୀକୁ ଖଣ୍ଡାରେ ଚୋଟ ମାରିଥିଲା । ସେ ଧରିଥିବା ଫୋନ୍‌କୁ ତଳେ ପକାଇ ଭାଙ୍ଗି ଦେଇଥିଲା । ଗୁରୁତର ହୋଇ ରାସ୍ତାରେ ପଡିଥିବା ଅଷ୍ଟମୀ କାଳେ ବଞ୍ଚିଯିବ ସେଥିପାଇଁ ଚୋଟ ପରେ ଚୋଟ ମାରିଥିଲା । ଶବକୁ ରାସ୍ତା କଡ଼ ବୁଦା ମୂଳକୁ ଫିଙ୍ଗି ଦେଇଥିଲା । ରାଜୀବ ନଗର-ବିଜାଖମନ ରାସ୍ତାରେ ନଯାଇ ଏକ ଘରୋଇ କଲେଜ ବାଟ ଦେଇ ନୂଆ ବସ୍‌ ଟର୍ମିନାଲ ରାସ୍ତାରେ ବାହାରିଥିଲା । ପୁଲିସ ଏହି ମାମଲାର ଅଧିକ ଖୋଳତାଡ ଚଳାଇଛି । ପ୍ରେମ ସଂପର୍କ ଓ ମତାନ୍ତର ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏସ୍‌ଡିପିଓ ଶ୍ରୀ ବାଗ ଏସଂପର୍କରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

Comments are closed.