ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ: କୋଭିଡ କଟକଣା ବିଫଳ, ରୁଣ୍ଡ ହେଲେ ହଜାର ହଜାର ଭକ୍ତ

ବଲାଙ୍ଗିର/ଦେଓଗାଁ: ସରକାରଙ୍କ କୋଭିଡ କଟକଣା ସ୍ୱତ୍ତେ ଆଦିବାସୀଙ୍କ ପାରମ୍ପରିକ ଶୁଲିଆ ଯାତ୍ରା ଆୟୋଜିତ ହୋଇଛି ବଲାଙ୍ଗିର ଜିଲା ଦେଓଗାଁ ବ୍ଲକରେ। ପଶୁ ପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ଶୁଲିଆ ମାଟି। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ସବୁକିଛି। ଶୁଲିଆ ଦେବତା ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ ସହ ମାନସିକଧାରୀ।

ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁଲତାପଡା ପଞ୍ଚାୟତ ଖଇରଗୁରା ବଡ ଖଳା ଓ କୁମୁରିଆ ଗାଁର ସାନ ଖଳାରେ ଅନୁଷ୍ଠିତ ହୋଇଛି ଶୁଲିଆ ଯାତ୍ରା। ମଙ୍ଗଳବାର ଭୋରରେ ଆଦିବାସୀମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଆସିଲା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଖଇରଗୁରା ଶୁଲିଆ ମନ୍ଦିର ଓ କୁମୁରିଆ ଦେହେରୀ ଘରୁ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଆସିଥିଲେ କନ୍ଧ ଆଦିବାସୀମାନେ। ପ୍ରଥମେ ଦେହେରୀ ପୂଜାର୍ଚ୍ଚନା କରି ସମର୍ପଣ କଲା ପରେ ପାଟ ବୋଦା ଓ କଳା କୁକୁଡ଼ା, ପାରାକୁ ବଳି ଦିଆଯାଇଥିଲା। ପରେ ପରେ ମାନସିକଧାରୀ ଆଣିଥିବା ପୋଢ଼, କୁକୁଡ଼ା, ବୋଦାକୁ ବଳି ଦିଆଯାଉଥିବା ଦେଖାଯାଇଲା। ଆଦିବାସୀଙ୍କ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡିଆ ଭୋଗ ସହ ପୋଢ଼, ମେଣ୍ଡା, ବୋଦା, ପାରା, କୁକୁଡ଼ା ବଳି ଦେଇ ମାନସିକଧାରୀ ପୂଜାର୍ଚ୍ଚନା କରିଥିଲେ।

ଚଳିତ ବର୍ଷ କରୋନା କଟକଣା ଯୋଗୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଯାତ୍ରା ପାଇଁ ୩୭ଜଣଙ୍କୁ କୋଭିଡ ପରୀକ୍ଷା ମଧ୍ୟ କରାଯାଇଥିଲା । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ଖଇରଗୁରାରୁ କୁଲତାପଡ଼ା ପର୍ଯ୍ୟନ୍ତ ମୁତୟନ ରହିଥିଲେ। ଯାତ୍ରା ଖଳାରେ ବଲାଙ୍ଗିର ଉପ ଜିଲାପାଳ ଲମ୍ବୋଦର ଧରୁଆ, ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଳ, ତୁଷୁରା ତହସିଲଦାର, ପୁଇଁତଲା ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ। ଦେଓଗାଁ ବିଡିଓ ମୁରଲୀଧର ନାୟକ, ପୁଲିସ ଏସ୍ଡ଼ିପିଓ ତୋଫାନ ବାଗ ଯାତ୍ରା ଉପରେ ନଜର ରଖିଥିଲେ। ସୂଚନାଯୋଗ୍ୟ ଯେ, ପୌଷ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଏହି ଶୁଲିଆ ଯାତ୍ରା ହୋଇଥାଏ । କିନ୍ତୁ ଚଳିତ ବର୍ଷ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ତେବେ ଶୁଲିଆ ଯାତ୍ରା ପାଇଁ କନ୍ଧ ଅଦିବାସୀମାନେ ଲିପା ପୋଛା ସହ ସମସ୍ତ ପ୍ରସ୍ତୁତି ସାରି ଦେଇଥିଲେ। ବନ୍ଧୁବାନ୍ଧବ ବି ଆସିଥିଲେ।

ତେବେ ସୋମବାର ଦିନ ୧୨ଟାରେ ଦେବ ନିମନ୍ତ୍ରଣ ହୋଇଥିଲା। ମଧ୍ୟରାତ୍ରୀରେ ନିଶି ପୂଜାରେ ଗମ୍ଭିରାଘରେ ଥିବା ଟାଙ୍ଗିଆ, ଖଣ୍ଡା ଆଦି ପୂଜା କରି ଭୋରରୁ ‘ଦେହୁରୀ’ ପୀଠରେ ପହଞ୍ଚିଲା ପରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏକ ବାଉଁଶ ନଳରେ ଚାଉଳ, ଗୁଡ଼, ଘିଅ ଆଦି ଦେଇ ଭୋଗ ରନ୍ଧା ଯାଇଥିଲା। ଠିକ୍‌ ଭାବେ ଭୋଗ ପ୍ରସ୍ତୁତ ହେଲେ ଏ ବର୍ଷ ଭଲ ବର୍ଷା ହେବ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି। ଚଳିତ ବର୍ଷ ପ୍ରଥମ ସୋମବାର ଦିନ ପ୍ରତିପଦା ପଡିଥିବାରୁ ୨ୟ ସୋମବାର ଦିନ ରାତିରେ ନିଶି ପୂଜା ହେବା ସହ ମଙ୍ଗଳବାର ଯାତ୍ରା ଆୟୋଜନ ହୋଇଛି। ବଳିକୁ ନେଇ ଆଦିବାସୀ ଓ ପ୍ରଶାସନ ମଧ୍ୟରେ ବାଦ ବିବାଦ ଲାଗିରହୁଥିଲା । ୨୦୧୫ରେ ସର୍ବଚ୍ଚୋ ନ୍ୟାୟାଳୟ ଆଦିବାସୀଙ୍କ ପରମ୍ପରା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ରାୟ ଦେବା ଯୋଗୁଁ ପୁଣିଥରେ ବଳି ପ୍ରଥାର ଆରମ୍ଭ ହୋଇଛି।

Comments are closed.